Unknown

 

 

 

 

 

 

 

 

 

ମାଳା

ଶ୍ରୀମତୀ ଦେବହୂତି ଦେଇ

 

ମୁଖବନ୍ଧ

 

ଶ୍ରୀମତୀ ଦେବହୁତି ଦେଇଙ୍କ ‘ମାଳା’ର ପାଣ୍ଡୁଲିପି ମୁଁ ପଢ଼ିଛି । ସେଥିରେ କେତେଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର କବିତା ଅଛି । ତହିଁ ମଧ୍ୟରୁ କେତେଗୁଡ଼ିଏ ଗଳ୍ପ କବିତା ଓ ଆଉ କେତେ ଗୋଟି କେବଳ ଭାବାତ୍ମକ କବିତା ଅଟେ । ଏଗୁଡ଼ିକ ଲେଖିକାଙ୍କର ପ୍ରଥମ ଲେଖା ପରି ଅବଶ୍ୟ ଜଣାପଡ଼ୁଛି; କିନ୍ତୁ ତାଙ୍କ ପ୍ରାଣରେ ଯେ କବିଭାବ ନିହିତ ଅଛି, ତାହା ସେ ପ୍ରାୟ ପ୍ରତ୍ୟେକ ପଦ୍ୟରେ ଦେଖାଇଛନ୍ତି । ଲେଖାରୁ ମନେହୁଏ ଯେ, ସେ ଯାହା ହୃଦୟରେ ଅନୁଭବ କରିଛନ୍ତି, ସରଳ ଭାବରେ ତାହା ବ୍ୟକ୍ତ କରିଯାଇଛନ୍ତି । ଭାଷାରେ ହୃଦୟର ଭାବର ବିକାଶହିଁ କବିତା । ଭିନ୍ନ ଭିନ୍ନ ବିଷୟ ନେଇ ଲେଖିକାଙ୍କ ହୃଦୟରେ ନାନା କୋମଳ ମଧୁର ଭାବ ଜାତ ହୋଇଅଛି । ସେ ଗୁଡ଼ିକ ସେ ସୁନ୍ଦର ଭାବରେ ଚିତ୍ରିତ କରିଛନ୍ତି । ଓଡ଼ିଆ ସାହିତ୍ୟରେ ପ୍ରକୃତ ଭାବବହୁଳ କବିତାର ବିଶେଷ ଅଭାବ । ଏ ଶ୍ରେଣୀର ପଦ୍ୟମାନ ପ୍ରକାଶିତ ହୋଇ ତାହାର କଳେବର ବୃଦ୍ଧି କରିବାଦ୍ୱାରା ସାହିତ୍ୟସୌଧ ଯେ ପୂର୍ଣ୍ଣତ୍ୱ ଓ ସୌଷ୍ଠବ ଲାଭ କରିବ, ସେଥିରେ ସନ୍ଦେହ ନାହିଁ । ଲେଖିକାଙ୍କର ଏହି ‘ମାଳା’ର ଫୁଲଗୁଡ଼ିକ ସାହିତ୍ୟ-ଜଗତରେ ବହୁକାଳ ସଜ ହୋଇ ରହିବ ବୋଲି ଆଶା କରାଯାଏ । ପୁରୁଷପ୍ରାଣ ଅପେକ୍ଷା ନାରୀପ୍ରାଣରେ କବିଭାବ ବିଶେଷ ମାତ୍ରାରେ ଯେ ନିହିତ ଅଛି, ସନ୍ଦେହ ନାହିଁ, ମାତ୍ର ତାହା ନ ଫୁଟି ଲୁଚି ରହୁଛି । ନାରୀମାନେ କବିତା ଲେଖି ଚର୍ଚ୍ଚା କଲେ ସାହିତ୍ୟରେ କବିତାର ଉତ୍କର୍ଷ ବଢ଼ିବା ନିଶ୍ଚିତ ।

 

ଗୋଦାବରୀଶ ମିଶ୍ର

୩୦ । ୬ । ୩୧

•••

 

 

 

 

 

ପଦେ କଥା

 

ଏହାମଧ୍ୟରୁ କେତେକ ପଦ୍ୟ ‘ଉତ୍କଳ-ସାହିତ୍ୟ’ ଓ ‘ସହକାର’ରେ ଏଥି ପୂର୍ବେ ପ୍ରକାଶିତ ହୋଇଥିଲା, ଅନ୍ୟଗୁଡ଼ିକ ଅପ୍ରକାଶିତ ରହିଥିଲା । ବର୍ତ୍ତମାନ କେତେକ ବନ୍ଧୁଙ୍କ ସାତିଶୟ ଅନୁରୋଧରେ ଏଗୁଡ଼ିକ ପୁସ୍ତକାକାରରେ ପ୍ରକାଶ କରିବାକୁ ପ୍ରୟାସିନୀ ହେଲି ।

 

ଲେଖିକା

•••

 

 

 

 

 

ଉତ୍ସର୍ଗ ପତ୍ର

 

ଯା ଲାଗି ଜାଗିଲା ପ୍ରେରଣା ପରାଣେ

ତାଙ୍କରି ଗଳେ

ଶୋଭା ଏହି ମାଳା ସିକ୍ତ ଯାହା ପୂତ–

ଶରଧା-ଜଳେ ।

 

ଲେଖିକା

•••

 

ସୂଚୀପତ୍ର

 

୧.

ଅତୀତର ସ୍ୱପ୍ନ

୨.

ସୈନିକର ସ୍ୱଦେଶ-ଭାବନା

୩.

ଶାରୀଟିଏ

୪.

ତାଜମହଲ

୫.

ଶିଶୁର ଇଚ୍ଛା

୬.

ସ୍ମୃତିଟିଏ

୭.

ନାବିକ

୮.

ଅନ୍ଧ ବାଳକର ବିଳାପ

୯.

କ୍ଷମା

୧୦.

ସୁଖ ସନ୍ଧାନ

•••

 

ଅତୀତର ସ୍ୱପ୍ନ

 

ଚାଲ ଗୋ ଅଶୋକା ଚାଲ ଗୋ ବଉଳ

ଝଟ ଝଟ ପାଦ ଚାଳି

ଖରା ମାରିଲାଣି ବଡ଼ ତାପନରେ

ତାତିଲାଣି ନଈବାଲି ।

ଚାଲ ଗୋ ସକଳେ ନଈ ପାରି ହୋଇ

ଧରତବା ସଡକ ବାଟ

ଦେଖିବାକୁ ବାପ ଭାଇଙ୍କର ମୁଖ

ହେଉଛି ମନ ଉଚ୍ଚାଟ ।

ବଡ଼ ଧର୍ମଶୀଳ ଆମରି ରଜା ଲୋ

ତୋଳାଉଛନ୍ତି ଦେଉଳ

ଆଜ୍ଞା ଦେଇଛନ୍ତି ହେବ ଏମନ୍ତ ଲୋ

‘‘ଛୁଇଁବ ସରବ ପୁର ।

ନାହିଁ କେଉଁଠାରେ ନ ହୋଇବ କାହିଁ

ଏସନ ଦେଉଳ ଆଉ

ଶୋଭା ସମ୍ପଦରେ ଅତୁଳ ମଞ୍ଚେ ଲୋ

ଯେତେ ପଛେ ଧନ ଯାଉ ।

ଚିତ୍ର ବିଚିତ୍ରରେ ଗଢ଼ା ହୋଇଥିବ

ଦେଖିଲେ ପୂରିବ ଆଖି

ଆଖି ପଡ଼ିଯିବ ଯେଉଁ ଥାନରେ ଲୋ

ମନ ରହିଥିବ ଲାଖି ।’’

କେତେ ଫୁଲ ଫଳ ଗଛପତ୍ର ସବୁ

ସତେ କି ଜୀଇଲା ପରି

ଖୋଳା ହେଉଅଛି ସେହି ଦେଉଳେ ଗୋ

ନାହିଁ ତାକୁ କେହି ସରି ।

କେତେ ହାତୀ ଘୋଡ଼ା ସଇନ ସାମନ୍ତ

କେତେ ସ୍ୱର୍ଗ ଅପସରା

କଟା ହେଉଛି ସେ ପଥର ଦେହରେ

କାଗଜେ ଲେଖିଲା ପରା !

ଚିତ୍ରମୟ ସବୁ ଖାଲି ଜାଗା ତହିଁ

ରଖିବାକୁ ଖୁଦଟିଏ

ନ ରହୁଛି ସେହି ଅପୂର୍ବ ଅଦୃଷ୍ଟ

ଦେଉଳେ କାହିଁ ଟିକିଏ ।

ଚନ୍ଦ୍ରମା ପାଶରେ ସୁନ୍ଦର ଦିଶନ୍ତି

ଯେମନ୍ତ ନକ୍ଷତ୍ରମାନ

ତା ପାଶେ ତେମନ୍ତ ହୋଇବ ଦେଉଳ

ଆଉ କେତେ ସାନ ସାନ ।

ଗଢ଼ିବାକୁ ସେଇ ଦେଉଳମାନ ଗୋ

ରାଜାଙ୍କ ହକରା ପାଇ

ଧାଇଁ ଯାଇଛନ୍ତି ବହୁଦୂରରୁ ଗୋ

ଆମ ସ୍ୱାମୀ ବାପ ଭାଇ ।

ରାଇଜଯାକର ବିନ୍ଧାଣୀଏ ଆସି

ହୋଇଛନ୍ତି ତହି ଠୁଳ

ନିଜ ମନ ପ୍ରାଣ ଏକାଠି କରି ଗୋ

ଗଢ଼ନ୍ତି ସେହି ଦେଉଳ ।

ଜଣ ଜଣ କରି ଭାତ ବରତନ

ଖଞ୍ଜି ଦେଇଛନ୍ତି ରାଏ

ସେଥି ଲାଗି ଆଉ ତାଙ୍କ ମନରେ ଲୋ

ଭାବନା କିଛି ନ ଥାଏ ।

ଆମ ମନ ସିନା ନ ଦେଖି ତାଙ୍କୁ ଗୋ

ହେଉଛି ଗୋଳେଇ ଘାଣ୍ଟ

ସିଏ ତ କହନ୍ତି ‘‘ଦେଶ ଲାଗି ଆମେ

ପଥର କରିଛୁ ଛାତି ।

ଯୋଉଁ ପଥରକୁ ଖୋଳୁଛୁ ଆମେ ଗୋ

ତହିଁରେ ବାନ୍ଧିବୁ ମନ

ବିନିମୟେ ତାର ରଚିବୁ ତହିଁରେ

ଆମ ଆଶାର ସ୍ୱପନ ।

ଆମ ଯଉବନ ଜୀବନର ଯେଉଁ

ବାସନା କଳିକାରାଶି

କଳ୍ପନା ଆନନ୍ଦ ତାହାରି ନୀରସ

ଉରସେ ଦେବୁ ବିକାଶି ।

ସଂସାରର ସୁଖ ଅଢ଼େଇ ଦିନ ଗୋ

ନୋହୁଁ ତ ଆମେ ଅମର

କି ମିଳିବ ସେଇ ସୁଖରୁ ଜୀବନ

ନ କରି ମହତତର ?

ସବୁ ତୁଚ୍ଛ କରି ଦେଇଯିବୁଁ ଯାହା

ପାଷାଣ ଉପରେ ଖୋଳି

ଯୁଗେ ଯୁଗେ ସେହୁ ଦେଉଥିବ ଜନେ

ଆମ ମନ କଥା ବୋଲି ।’’

ଏ ବଚନ ଶୁଣି ତାଙ୍କଠୁଁ ସଖି ଲୋ

କେମନ୍ତେ କରିବା ମନା

ପାଳିବାକୁ ତାଙ୍କୁ କର୍ତ୍ତବ୍ୟ ଆମେ କି

ଏଡେ ନୀଚ ସ୍ୱାର୍ଥମନା ?

ପାଳନ୍ତୁ ସେ ତାଙ୍କ କର୍ତ୍ତବ୍ୟ, ସଖିଏ,

ଆମେ ଆମ କାମ ସାରି

ତାଙ୍କରି ଚରଣେ ମନଟି ରଖି ଲୋ

ସୁଖେ ଯିବା ଭବୁଁ ତରି ।

ମାସେ ଦି ମାସକେ ଆସି ଆମେ ଥରେ

ଦେଖୁଥିବା ତାଙ୍କ ମୁଖ

ଦେଇ ଯାଉଥିବା କର୍ତ୍ତବ୍ୟେ ଉତ୍ସାହ

ପୁଣି ଦରଶନ ସୁଖ ।

ଦେଖିବା ଆଖିରେ ଭୁବନେଶ୍ୱର ଗୋ

ଅରଜିବା ବଡ଼ ପୁଣ୍ୟ

ଗାଧୋଇଲେ ଥରେ ସେ ବିନ୍ଦୁସାଗରେ

ଦେହ ହେବ ରୋଗଶୂନ୍ୟ ।

ଜଣାଉଥିବା ଗୋ ପ୍ରଭୁଙ୍କ ପୟରେ

ପ୍ରଣମି ଭକତିଭରେ

ସୁଖ୍ୟାତିରେ ପୂର୍ଣ୍ଣ ହେଉ ତାଙ୍କ କାମ

ଶେଷ ହେଉ କୁଶଳରେ ।

•••

 

ସୈନିକର ସ୍ୱଦେଶ-ଭାବନା

 

କେତେ ନଦନଦୀ ବିଲଗିରି ଡେଇଁ

ଆଜି ଏ ବିଦେଶେ ଆସିଛି ଧାଇଁ

ଅରାତି ସଙ୍ଗତେ ଯୁଝି ପ୍ରାଣପଣେ

ସ୍ୱଦେଶ-ଗୌରବ କିଣିବା ପାଇଁ ।

କି ଘଟିବ କିଛି ବୁଝା ତ ନ ଯାଏ

ସଙ୍ଗେ ଘୂରେ ଅନୁକ୍ଷଣ ମରଣ

ତା କୋଳେ ଆଶ୍ରୟ ଅଥବା ବିଜୟ

ସୁଖେ ସ୍ୱଦେଶକୁ ପ୍ରତ୍ୟାଗମନ ।

ଦିଶିଯାଏ ଆଜି ଜନ୍ମଭୂମି ଛବି

କୋଳେ ତାର ମୋର କ୍ଷୁଦ୍ର ଗାଆଁଟି

ଜୀବନର ଶତ ସ୍ମୃତିରେ ସେ ଭରା

ମଧୁମୟ ମୋତେ ତାର ନାଆଁଟି ।

ସେ ପଲ୍ଲିଶ୍ୟାମଳ ରସାଳ ନିକୁଞ୍ଜେ

ରାଜେ କ୍ଷୁଦ୍ର କୁଟୀରଟି ମୋହର

ପୁଗ ନାରୀକେଳ କୀଚକ ପଣସ

ଛୟାଦାନେ ତିଳେ ନୋହି କାତର-

ଘେରି ରହିଛନ୍ତି ଚଉପାଶେ ତାର

ଯେସନ ସତର୍କ ପ୍ରହରୀ ପରି

ତପନ ତାପରୁ ଘୋର ବରଷାରୁ

ଝଞ୍ଜା ପ୍ରଭଞ୍ଜନୁଁ ଉଦ୍ଧାର କରି ।

ଖେଳୁଥିବେ ତହିଁ କେତେ ରଙ୍ଗେ ଖେଳ

ସେ କୁଟୀର କୋଳ କରି ଉଜ୍ଜ୍ୱଳ

ମୋ ବେନି ନୟନ ଆନନ୍ଦ ବର୍ଦ୍ଧନ

ଅତି ସୁକୁମାର ଶିଶୁଯୁଗଳ ।

ଭାଳୁଥିବେ କି ସେ ସରଳ ହୃଦୟେ

ପିତା କିଆଁ କୋଳେ ନ ଘେନେ ଆସି

ଅବୋଧ ଶିଶୁ ଏ ବୁଝିବେ କେମନ୍ତେ

ପିତା ତାଙ୍କ କେତେ ଦୂରେ ପ୍ରବାସୀ ।

ଚାହିଁ ଥିବେ ପଥ ବୃଦ୍ଧ ପିତାମାତା

ପୁତ୍ରର ବଦନ ଦେଖିବା ପାଇଁ

କେତେ ଦିନେ ଆହା, ଏ ଅଧମ ପୁତ୍ର

ସେ ପବିତ୍ର ପଦ ବନ୍ଦିବ ଯାଇ ।

ନାତି ନାତୁଣୀଙ୍କ ଆନନ ନିରେଖି

ଶମୁଥିବେ ମୋର ବିଚ୍ଛେଦ ଲବେ

ତାଙ୍କ ଚପଳତା ଦେଖି କହୁଥିବେ

ତୋ ପିତା ଏମନ୍ତ ଥିଲା ଶୈଶବେ ।

ଜୀବନ ସଙ୍ଗିନୀ ଅର୍ଦ୍ଧାଙ୍ଗିନୀ ମୋର

ଲାଗିଥିବ ଗୁରୁଜନ ସେବାରେ

ଅବସର ବେଳେ ଭାଳୁଥିବ ‘କିଆଁ

ହେଉଛି ବିଳମ୍ବ ଲେଉଟିବାରେ ।’’

ଦେଖୁଥିବେ ସେ ତ କେତେ ଦେଶ ବୁଲି

କିଆଁ ଅଭାଗିନୀ ପଡିବ ମନେ

ତାଙ୍କ ପଦ ବିନା ଅନ୍ୟଗତି ସିନା

ନାହିଁ ଆଉ ଏ ଦୁଃଖିନୀ ଜୀବନେ ।

ରାବୁଥିବ ଯେବେ ଅଙ୍ଗନରେ କାକ

ଧୀର ପଦକ୍ଷେପ ଗୋପନେ ଯାଇ

ଉଦ୍ଦେଗେ ଆଧାର ଦେଇ ଦେଖୁଥିବ

ଶୁଭାଶୁଭ ମୋର ବୁଝିବା ପାଇଁ ।

ଉତ୍ସବ ବ୍ୟସନେ ପଲ୍ଲିରମଣୀଏ

ସଜ ହୋଇ ମାତୁଥିବେ ହରଷେ

ସେ ମୋତେ ସୁମରି ସବୁ ପରିହରି-

ବସୁଥିବ ଗୃହ କୋଣେ ବିରସେ ।

ଗୃହେ ଅନୁଷ୍ଠିତ ପର୍ବ ପର୍ବାଣିରେ

ମାତା ଢାଳୁଥିବେ ନୟନୁ ନୀର

ଗୋପନେ ପ୍ରେୟସୀ ମଞ୍ଚୁଥିବ ଅଶୁ

ହର୍ଷେ ପୂର୍ଣ୍ଣ ନୋହୁଥିବ କୁଟୀର ।

ରୋପିଥିଲି ଯେଉଁ ଗୋଲାପ ତରୁଟି

ତା ମୂଳେ ସ୍ୱହସ୍ତେ ସଲିଳ ଢ଼ାଳି

ବଢ଼ାଉଣ ଥିବ ମୋ ଦେଖିବା ଲାଗି

ତାକୁ ପ୍ରିୟା ପୁତ୍ରୁଁ ଅଧିକେ ପାଳି ।

ଥିଲା ତହିଁ ଯେଉଁ ପୋଷା ଶାରିକାଟି

ପିତାମାତା ମୁଖୁଁ ମୋ ନାମ ଶୁଣି

ଅଭ୍ୟସ୍ତ ହୋଇଛି କହିବାରେ ତାହା

ପୂର୍ବପରି କହୁଥିବ ସେ ପୁଣି ।

ଜନନୀଙ୍କ ବାଣୀ ମଣି ଅତର୍କିତେ

ପ୍ରିୟା ମୋ ଚମକି ଫେରି ଚାହିଁବ

ବିସୋରିଥିବ ଯେ ମୋତେ, ତାହା ଶୁଣି

ସ୍ତୁତିପଥେ ଉଦେ କରାଉଥିବ ।

ବିଦାୟ କାଳର ହର୍ଷ ବିଷାଦର

ଛବି ମୋ ହୃଦୟେ ରହିଛି ଲାଖି

ଦେଶ ଲାଗି ହର୍ଷେ ମେଲାଣି ଦେବାର

ବିରହାଶ୍ରୁଭରା ସକଳ ଆଖି ।

କଳ୍ପନାରେ ମନ ଗମେ ଯେହ୍ନେ ସେହି

ଶକ୍ତିଦଣ୍ଡେ ଯେବେ ଅଙ୍ଗ ଲଭନ୍ତା

ନିମିଷକେ ଯାଇ ଦେଖିଣ ଆସନ୍ତି

ବେନି ପକ୍ଷ ହୃଦଭାର ଶମନ୍ତା ।

ସକଳେ ଏକତ୍ରେ ବସି ଯେତେବେଳେ

ମୋ କଥା ସୁମରୁଥାଆନ୍ତେ ମନେ

ମଳନ୍ତି ଯାଇ ମୁଁ ସେ ସ୍ଥାନେ, ସେକାଳ

ଆନନ୍ଦ ନୁହନ୍ତା କହି ବଚନେ ।

ସେ ପଲ୍ଲି ମୋହନ ସେହି ବିଲବଣ

ଅଛି ଯହିଁ ବାଲ୍ୟ କୈଶାର ସ୍ମୃତି

ଜୀବନର ନାନା ସୁଖଦୁଃଖ କଥା

ଆପଣା ଅଙ୍ଗେ ଯେ ରଖିଛି ଗୁନ୍ଥି ।

ସେହି ନଦୀ ସର ଶୋଭାର ଆକର

ବିରାଜୁଥିବ ସେ ଏବେ ତେମନ୍ତେ

ଏ ବିଦେଶୁଁ ଫେରି ସୁଷମା ତାହାର

ଦେଖିବି କି ଆଉ ନୟନେ ସତେ !

ଜନ୍ମଭୂମି ଛାଡି ଆସିଲା ଦିନରୁ

କେତେ ଦେଶ ଗାଆଁ ଆସିଛି ବୁଲି

ଯେତେ ଯାହା ଶୋଭା ପଡ଼ିଲା ନୟନେ

କେହି ତା ସଙ୍ଗତେ ନୋହିଲା ତୁଳି ।

ମୋ ଜନମ ଭୂମି ମୋ ବେନି ନୟନେ

ସ୍ୱରଗରୁ ବଳି ଦିଶେ ସୁନ୍ଦର

ଭାଳୁଛି ମୁଁ ତାକୁ ନିଶି ଦିବସ ସେ

ଅଭାବ କି ମଣୁଥିବ ମୋହର ।

•••

 

ଶାରିଟିଏ

 

ଶାରିଟିଏ ଥିଲା କାନନ ଗହଳ-

ତରୁ ଘନପର୍ଣ୍ଣୋତ୍ସଙ୍ଗେ

ନୀଡ଼ି ନିରିମାଇ ମନ ସୁଖେ ତହିଁ

କାଟୁଥିଲା ଦିନ ରଙ୍ଗେ ।

ପୂରି ରହିଥିଲା ସେ ବନେ ଉତ୍ତମ

ସୁସ୍ୱାସୁ ସୁପକ୍ୱ ଫଳ

କଳକଳ ନାଦେ ବହି ଯାଉଥିଲା

ତଟିନୀର ସ୍ନିଗ୍ଧ ଜଳ ।

ଭୁଞ୍ଜି ପିଇ ତାହା ଛାୟା ସଶୀତଳ

ସେ କାନନେ ନିରନ୍ତର

ଉଡି ବୁଲୁଥିଲା ଚିନ୍ତି ହୃଦୟରେ

ବିଭୁ ନାମ ପାପହର ।

ପଡ଼ୁ ନ ଥିଲା ସେ ବନେ କେବେ ହେଲେ

ବନେଚରଙ୍କର ଛାଇ

ପୂର୍ଣ୍ଣ ସ୍ୱାଧୀନତା ଛଡ଼ା ଶଙ୍କା ସ୍ଥାନ

ତା ହୃଦେ ନ ଥିଲା ପାଇ ।

କିଛିଦିନ ଅନ୍ତେ ସଙ୍ଗିଟିଏ ତାର

ମିଳିଗଲା କାହୁଁ ଆସି

ହୃଦ ବିନିମୟ କଲେ ସେ ବେନିଏ

ଆନନ୍ଦ ସାଗରେ ଭାସି ।

ବେନିଙ୍କ ହୃଦୟ ହେଲା ସମତୁଳ

ନ ରହିଲା କିଛି ଭେଦ

ତେଣୁ ସେ ବେନିଏ ଲୋଡିଲେ ସର୍ବଦା

ବେନିଙ୍କର ଅବିଚ୍ଛେଦ ।

ନିଦାଘ ବାସର- ଯୌବନେ ବେନିଏ

ବସି ଶାଖି-ଶାଖା ପରେ

ଗାଉଥିଲେ ନିଜ ହୃଦୟର ଗାଥା

କଳ ପ୍ରେମ ଆଳାପରେ ।

ମଣ୍ଡୁଥିଲା ଯେବେ ଶରଦୀୟା ଉଷା

ସେ ମୋହନ ବନଭୂମି

ଯାଉଥିଲା ନବ ଅରୁଣ କିରଣ

ତରୁଲତା ଶିର ଚୁମି ।

କାଶତଣ୍ଡି ସୋମ ଶେଫାଳୀ କୁସୁମ

ବାସ ସମୀର ଚୋରାଇ

ବହି ମନ୍ଦ ମନ୍ଦ ସାରା ବନସ୍ଥଳୀ

ଦେଉଥିଲା ମହକାଇ ।

ଏକାଳେ ବେନିଏ ନିଦ୍ରା ତେଜି ବେଗେ

ନୀଡ଼ ତେଜି ଏକ ସଙ୍ଗେ

କଳବର କରି ଖଣ୍ଡିଉଡ଼ା ଶୂନ୍ୟେ

ଦେଉଥିଲେ ନାନାରଙ୍ଗେ ।

ତା ପରେ ବେନିଏ ମିଶି ଯାଉଥିଲେ

ଗଗନର ନୀଳ ବକ୍ଷେ

ଧାଉଁଥିଲେ ଅବା ଅରୁଣ ଗୋଲକ

ଧରି ଆଣିବାକୁ ନଖେ !

ମନେ ଅଛି କିବା ଭୁଲି ଯାଇଛନ୍ତି

ଉଡିବା ବିଦ୍ୟା ତାଙ୍କର

ପରଖିବା ପାଇଁ ନିଦ୍ରାନାଶ ସଙ୍ଗେ

ଉଡ଼ୁଥିଲେ କି ସତ୍ୱର ?

ପଡ଼ୁଥିଲା ଯେବେ ଅବିରାମ ଭାବେ

ମୂଷଳ ଧାରେ ବରଷା

ଖୋଜି ନେଉଥିଲେ ତରତରେ ଦୁହେଁ

ତକ୍ଷଣେ ଆପଣା ବସା ।

ନୀଡ଼ ମଧ୍ୟେ ପଶି ଉଷୁମରେ ବସି

ଦେଖୁଥିଲେ ଅପଲକେ

ନବ ବରଷାର ଉଦ୍ଦାମ ବିଳାସ

ତୃଷିତା ଧରଣୀ ବକ୍ଷେ ।

ଏମନ୍ତ ସୁଖରେ ଦାରୁଣ ଦଇବ

ଭଗାରି ହୋଇ ତାଙ୍କର

ଦେଲା ଅତିଦୁଃଖ ଥିଲା ଯାହା ତାଙ୍କ

ସ୍ୱପନର ଅଗୋଚର ।

ଏକା ହୋଇ ଦିନେ ଉଡ଼ି ଯାଇଥିଲା

ଦୂର ବନସ୍ତକୁ ଶାରି,

ବ୍ୟାଧ ବିତଂସରେ ପଡ଼ିଗଲା କିଛି

ଭଲମନ୍ଦ ନ ବିଚାରି ।

ଆନନ୍ଦେ କିରାତି ଘେନି ଯାଇ ତାକୁ

ବିକିଲା ଧନୀକୁ ଗୃହସ୍ଥେ

କ୍ରୟ କରି ଧନୀ ଲୌହ ପିଞ୍ଜରାରେ

ରଖିଲା ନିଜ ଆୟତ୍ତେ ।

ଏଣେ ସଙ୍ଗୀତାର ଚଉଦିଗେ ତାକୁ

ଖୋଜି ଖୋଜି ହେଲା କ୍ଷୀଣ,

ଦୁଃଖ ତା ନିମନ୍ତେ ହୃଦୟରେ କେତେ

ସହିଲା ନ ଦେଖି ଚିହ୍ନ ।

ବୁଝୁଥିଲା କି ସେ କେଉଁ କଷଣରେ

ପଡିଅଛି ବନ୍ଧୁ ତାର

ବୁଝିଥାନ୍ତା ଯେବେ ଅକ୍ଷମ ସେ ଅବା

କରନ୍ତା କି ପ୍ରତିକାର ?

ପିଞ୍ଜରାରେ ପଶି ବେଦନାରେ ଶାରି

କରେ ଉଚ୍ଚସ୍ୱରେ ପାଟି

ଦାରୁଣ ଦୁଃଖରେ ହେଉଥାଏ ତାର

ଛାତି ଗଲା ପରି ଫାଟି ।

ପର ପାଇଁ ଯେହୁ ବାଢ଼ଇ ଅମୂଲ୍ୟ

ଆନନ୍ଦ ପସରା ନିତି

କିଏ ସେ ବୁଝିବ ? ତା ହୃଦ ମଧ୍ୟରେ

କି ଦୁଃଖ ହୋଇଛି ସ୍ଥିତି

ଫୁଟଇ ଗୋଲାପ ଆନ ସୁଖ ପାଇଁ

ଘେନି ସୁଷମା ସୁବାସ

ମାତ୍ର ତାହା ପାଇଁ ରଚିଅଛି ବିଧି

କଣ୍ଟକମୟ ଆବାସ ।

ବିକଣେ ପଙ୍କଜ ପର ପ୍ରୀତି ପାଇଁ

ଘେନି ମଧୁ ହୃଦୟରେ

ପଙ୍କରୁ ଜନମ ଲଭିଣ ସିନା ସେ

ସଢ଼ଇ ସେହି ପଙ୍କରେ ।

ସୌଦାମିନୀ ପ୍ରଭା ସ୍ଫୁରଇ ଗଗନେ

ମୁଗ୍‌ଧ ହୁଏ ଦେଖି ନର

ମାତ୍ର ତା ହୃଦୟେ ଜ୍ୱାଳା ଦିଏ ଲୁଚି

ବଜ୍ରଗର୍ଭ ବୈଶ୍ୱାନର ।

ସଞ୍ଚଇ ସରଘା କୁସୁମର ମଧୁ

ଦିବାରାତ୍ରି କର୍ମ କରି

ଲଗାନ୍ତି ମାନବେ ଭୋଗେ, ତାହା ପ୍ରତି

ନିଷ୍ଠୁରତାକୁ ଆଚରି ।

ଆପଣା ଆନନ୍ଦ ନିମନ୍ତେ ସାରିକି

ରଖିଲା ଧନୀ ପିଞ୍ଜରେ

ତିଳେ ନ ବୁଝିଲା ରହି ତହିଁ ପକ୍ଷୀ

କି ଦୁଃଖ ଭୁଞ୍ଜେ ମନରେ ।

ଖାଇବାକୁ ତାକୁ ଦିଅନ୍ତ ଆଦରେ

ନାନା ମିଷ୍ଟ ଫଳ ଆଣି

ଦୁଃଖରେ କାତର ହୋଇ ଶାରି ମାତ୍ର

ନ ଛୁଅଇଁ ଫଳ ଆଣି ।

ଚାହିଁ ରହିଥାଏ ନୀଳ ଆକାଶକୁ

ନିରନ୍ତର ଅନିମେଷେ

ଡେଣା ମେଲି ଉଡ଼ି- ବାକୁ ଥରେ ଥରେ

ସ୍ୱଭାବସୁଲଭ ବଶେ-

କରେ ବୃଥା ଚେଷ୍ଟା ଅବସ୍ଥା ବିସୋରି

ହରାଇ ବାହ୍ୟ ଗିଆନ,

ପ୍ରତିହତ ଗତି ହୋଇ ବସିପଡ଼େ

ଛୁଇଁ ପିଞ୍ଜରା ମଥାନ ।

ଅନ୍ୟ ପକ୍ଷୀଙ୍କର ସ୍ୱାଧୀନ ଭାବରା

ଚରାବୁଲା ଉଡା ଚାହିଁ

ଆକୁଳ ହୃଦୟେ ପିଞ୍ଜରା ଭିତରେ

ଛଟପଟ ହେଉଥାଇ ।

ଝୁରୁଥାଇ ସେହି ସଙ୍ଗୀକି ତାହର

ମନେ ମନେ ଅନୁକ୍ଷଣ

ଭାଳୁଥାଇ ସେ କି ସହୁଥିବେ ମନେ

ମୋ ଲାଗି ଏତେ କଷଣ ?

କିଛି ଦିନ ଗଲା, ଏମନ୍ତେ ଦେଖିଲା

ନ ଖାଇ ଆହାର ଜଳ

ଦୁଃଖରେ କିଛିହିଁ ଫଳ ହେଉ ନାହିଁ

ଦେହରୁ ଗଲାଣି ବଳ ।

ଅନମନା ହୋଇ କିଛି କିଛି ଏବେ

ଆହାରେ ଦେଲାଣି ମନ

ମାତ୍ର ଦେଖୁଥାଇ ମଉନେ ସର୍ବଦା

ଅତୀତ ସୁଖ ସ୍ୱପନ ।

ଏହି କାଳେ ଆଉ ଗୋଟିଏ ବିହଙ୍ଗ

ଛାଡ଼ିଲେ ସେ ପିଞ୍ଜରରେ

ଭାଳିଲେ ରହିବେ ସାଥୀ ହୋଇ ବେନି

ମନପୁରା ଆନନ୍ଦରେ ।

ଦେଖି ତାକୁ ହେଲା ମୁହୂର୍ତ୍ତକ ପାଇଁ

ଶାରି ଗାତ୍ର ଉଲ୍ଲସିତ

ଧାଇଁ ଆସିଲା ତା ନିକଟକୁ ଗାଇ

ଅବ୍ୟକ୍ତ ମଧୁର ଗୀତ ।

ଚଞ୍ଚୁମୁନେ ଧୀରେ ପରଶି ଦେଖିଲା

ନୁହଇ ଏ ସଙ୍ଗୀ ତାର

ଭାସିଗଲା ସବୁ ଆନନ୍ଦ, ହୃଦୟ

ହୋଇଗଲା ଛାରଖାର ।

ଘୁଞ୍ଚିଯାଇ ବେଗେ ବସିଲା ମଉନେ

ପୂର୍ବପରି ଅନ୍ୟ କୋଣେ

ତେଜି ଦୀର୍ଘ ଶ୍ୱାସ ଗତ ସୁଖସ୍ମୃତି

ସୁମରି ଆକୁଳ ମନେ ।

ନବୀନ ଉଦ୍ୟମ ନବୀନ ଉଚ୍ଛ୍ୱାସ

ବାଧା ଯେବେ ପାଏ ଥରେ

ଆଉ କି ତେମନ୍ତ ହୁଏ ଅଗ୍ରସର

ଆପଣା ଗମ୍ୟ ପଥରେ ?

ଉଠିଥାଇ ଯେବେ ବାଲ୍ୟକାଳୁଁ ଏକ

ତରୁକୁ ଆଶ୍ରୟ କରି

ତା ଅଙ୍ଗେ ମିଶାଇ ଆପଣାର ଅଙ୍ଗ

ଊର୍ଦ୍ଧ୍ୱେ ଲତିକା ସୁନ୍ଦରୀ;

କ୍ରମେ ହୋଇଥାଏ ତରୁ ଲତିକାଙ୍କ

ଯୌବନ କାଳ ଆଗତ

ଲତାକୁ ଆଶ୍ରୟ ଦେଇ ତରୁ ଦେହେ

ବହିଥାଏ କ୍ଷୟ କ୍ଷତ ।

ସେହିକାଳେ ଯଦି କେହି ଆସି ତହିଁ

ଲତାକୁ ଆପଣା ବଳେ

ଭବିଷ୍ୟ ନ ହେଜି ଆଶ୍ରିତ ପାଦପୁଁ

ଛଡାଇ ଆଣି କୌଶଳେ;

ଆଉ ଏକ ବୃକ୍ଷେ ବାନ୍ଧିଣ ତାହାକୁ

ଦିଅଇ ସ୍ଥାପନ କରି

ତେବେ କି ପୁରୁବ ସରାଗେ ଲତିକା

ଉଠଇ ପୁଣି ମଞ୍ଜରି ?

ତେମନ୍ତ ସାରି ତା କାନନ ସଙ୍ଗୀକି

ମୂରୁଛି ନ ପାରି ମନୁ

ନୂଆ ସଙ୍ଗୀ ସଙ୍ଗେ ନ ମିଶି ନିରତେ

ନୀର ତାଳଇ ନୟନୁ ।

ରହି ତା ସଙ୍ଗତେ ଅଧିକ ଯନ୍ତ୍ରଣା

ଭୋଗିଲା ହୃଦୟେ ସେହି

ଭାଳଇ ମନରେ ପୁର୍ବ ସଙ୍ଗୀତାର

ହୋଇଥାନ୍ତା ଯେବେ ଏହି;

ଏ କାରା ଆବାସ ବେଦନା ତଥାପି

ହୋଇଥାନ୍ତା ସୁଖକର

ଖେଳୁଥାନ୍ତୁ ସୁଖେ ମାନସେ ନ ଗଣି

ଏସ୍ଥାନ ଅପରିସର ।

କୁହା କୁହି ହୋଇ ଦୁହିଙ୍କ ନିକଟେ

ଦୁହେଁ ନିଜ ମନ କଥା

ପାଶୋରୁଥାଆନ୍ତୁ ହେଳେ ଏହି ବନ୍ଦି

ଶାଳାର ଦାରୁଣ ବ୍ୟଥା ।

ଏହା ପୁଣି ଚିନ୍ତେ ସ୍ୱାଧୀନ ସୁଖରେ

ଥାଆନ୍ତୁ ମୋ ବନ୍ଧୁବର

ମୋ ଲାଗି ସହନ୍ତେ ସେ କିଆଁ ଏ ଦୁଃଖ

ମୁଁ ତ ବଡ଼ ସ୍ୱାର୍ଥପର ।

ଯେତେ ଦିନ ଥିବି କଟାଇବି କାଳ

ତାଙ୍କ କଳ୍ପନାରେ ମଜ୍ଜି

ସେତିକି ମୋ ସୁଖ ଦିନେ ହେଲେ ମନେ

ବିସ୍ମରଣକୁ ନ ଭଜି ।

ପିଞ୍ଜରାରେ ଥାଏ ଦେହଟି ତାହାର

ମାନସଟି ଅନୁକ୍ଷଣେ

ସ୍ୱପ୍ନପଥେ ଉଡ଼ି ଯାଏ ସେହି ପ୍ରିୟ

ପୁରାତନ ନିକେତନେ ।

ସ୍ୱପନେ ଦେଖଇ ବନ୍ଧୁର ବଦନ

ସ୍ୱପନେ ତା ସଙ୍ଗେ କଥା

କହଇ ଖେଳଇ ବୁଲଇ ହରଷେ

ପାଶୋରି ଅନ୍ତର ବ୍ୟଥା ।

ଗାଆଇ ବନ୍ଧୁର ନିକଟେ ଆପଣା

ଅଙ୍ଗେ ନିଭାଇଲା ଦୁଃଖ

ଅତୃପ୍ତ ପରାଣେ ଦେଖଇ ବନ୍ଧୁର

ବିରହ-ମଳିନ ମୁଖ ।

କହଇ ବନ୍ଧୁକୁ ତବ ସଙ୍ଗ ତେଜି

ଆଉ ମୁଁ ନ ଯିବ କାହିଁ

ସ୍ୱପନେ ଉଡ଼ଇ ନୀଳ ନଭବକ୍ଷେ

ବନ୍ଧନ ଦଶା ଏଡ଼ାଇ ।

ଭୁଞ୍ଜୁଥାଇ ଏହି କାଳ୍ପନିକ ସୁଖ

ସ୍ୱପନେ ହୋଇ ମଗନ

ଭାଙ୍ଗିଯାଏ ଯେବେ ସ୍ୱପନ ଅଧୀରେ

ବିକଳେ କରେ ରୋଦନ ।

କିଏ ସେ କହିବ କେଉଁ ଦିନ ତାର

ଘୁଞ୍ଚିବ ଏ ଦୁଃଖ ଦଶା

ମଲେ ଅବା ପାଇ ଅଯୋଗେ ପିଞ୍ଜର

ଅର୍ଗଳୀ ମୁକ୍ତ ସହସା ।

•••

 

ତାଜମହଲ

 

ଫୁଟିଥିଲା ଚାରୁ- କାମିନୀ କୁସୁମ

ଯବନ ବେଗମ ମହଲେ

ଅସମୟେ ତାହା କ୍ରୁର କାଳକୀଟ

କାଇଲା ନିଜ କବଳେ ।

ଜଗତର ଶ୍ରେଷ୍ଠ ସଉଭାଗ୍ୟବତୀ

ସ୍ୱାମୀସୋହାଗିନୀ ଧନ୍ୟ ଗୋ

ସୁଗୁଣ ସୌରଭେ ଭରି ପତି ମନ

ପୁର କରି ଗଲ ଶୂନ୍ୟ ଗୋ !

ବିଳାସେ ସଜ୍ଜିତ ଯବନ ସମ୍ରାଟ

ମନ ମୋହିଲା କି ମନ୍ତରେ

ତବ ବିନା ଧରା ଶୁଷ୍କ ମରୁ ପ୍ରତେ

ହୋଇଲା ବାଦଶା ଅନ୍ତରେ ।

ଜଗତରେ ଶ୍ରେଷ୍ଠ ତବ ସ୍ମୃତି ଚିହ୍ନ

ରଖିବେ ମାନସେ ଭାଳି ଗୋ

ସମାଧି ଉପରେ ନିର୍ମାଇଲେ ତାଜ

ସ୍ମୃତି କରି ଜପାମାଳୀ ଗୋ ।

ଯେଉଁ ଠାବେ ତବ ସୌନ୍ଦର୍ଯ୍ୟ ବିଭବ

ମିଶିଗଲା ମାଟି ସଙ୍ଗତେ

ସେହିଠାବେ ଚାହିଁ ଛାଡ଼ିଲେ ବାଦଶା

ଦୀର୍ଘଶ୍ୱାସ ଅନବରତେ ।

ଶାହାଜାହାନଙ୍କ ଦୀରଘ ନିଶ୍ୱାସ

ଉଠ ଉଠ ଊର୍ଦ୍ଧ ପଥରେ

ପରିଣତ ହେଲା ପରଶି ମଳୟ-

ଅନିଳ ମର୍ମ୍ମର ପୁଷ୍ପରେ ।

ଅଙ୍କିଯାଇଥିଲ ପ୍ରାଣେଶ ମାନସେ

ଯେଉଁ ଗୁଣ କୋଟି କୋଟି ଗୋ

ପୁଷ୍ପରୂପେ ତାହା ଫୁଟିଲା ମର୍ମ୍ମରେ

ଶିଳ୍ପୀ କରେ ଗୋଟି ଗୋଟି ଗୋ ।

ମର୍ମ୍ମର ପାଷାଣେ ଖୋଦିତ କବିର

ମାନସ ମଧୁର କଳ୍ପନା

ସ୍ୱପ୍ନ ରାଇଜର ପୁରୀ ସେ ଯେ ଅବା

ସ୍ୱର୍ଗୀୟ ସ୍ୱରର ମୂର୍ଚ୍ଛନା ।

କିବା ତବ ନବ- ଯୌବନ ମଧୁର

ଭବିଷ୍ୟତ ଆଶାରାଶି ଗୋ

ରହିଥିଲା ଯାହା- ଅପୂର୍ଣ୍ଣ ଉଠିଲା

ଜଗତ ସମକ୍ଷେ ଭାସି ଗୋ ?

ସକଳ ହୃଦୟ- ବିଜୟିନୀ ଯେଉଁ

ଶୋଭା ସୁରପୁର କାମିନୀ

ସେ ଆଜି ପାଷାଣ ବିତଂସେ ତୁମର

ସ୍ମୃତି-ସୌଧକରେ ବନ୍ଦିନୀ ।

ଯେତେ ରୂପଗୁଣ ଧରିଥିଲ ଦେହେ

ଅୟି, ମମ ତାଜମହଲ !

ତହୁଁ ଶତ ଗୁଣେ ଉଭା ହେଲା ତବ

ସ୍ମୃତି-ସୌଧ ତାଜମହଲ ।

ଭାତିଲା ଭାରତେ ଅପୂର୍ବ ପବିତ୍ର-

ସ୍ୱର୍ଗୀୟ ପ୍ରେମର ଗୌରବ

ମୁଗ୍ଧ କରେ ଆଜି ମାନବ ମାନସେ

ପ୍ରଣୟ-କୁସୁମ ସୌରଭ ।

ଆଗ୍ରା ବକ୍ଷେ ଉଭା ତାଜ ରୂପେ ତବ

ପ୍ରଣୟଲୀଳାର ମାଧୁରୀ

ଧନ୍ୟ ଭାଗ୍ୟବତୀ ନାରୀକୁଳ-ଶ୍ରେଷ୍ଠ

ପତିସୋହାଗିନୀ ସୁନ୍ଦରୀ ।

•••

 

Unknown

ଶିଶୁର ଇଚ୍ଛା

 

ଗଡ଼ି ପଡ଼ିଲାଣି ବାସର-ଯୌବନ

ପଶ୍ଚିମେ ଢଳିଲେ ରବି

ଅଙ୍ଗନ ପ୍ରାନ୍ତରେ ରୋପିତ ମଲ୍ଲିକା

ଧରିଛି ଶ୍ୟାମଳ ଛବି ।

କିଶଳୟ କୋଳେ ଈଷତ ପୀତାଭ

କୋରକ ଗୁଚ୍ଛନିକର

ଶିଶୁର କୋମଳ କରମୁଠା ପ୍ରାୟ

ଦିଶୁଅଛି ମନୋହର ।

ବହୁଅଛି ସ୍ନିଗ୍ଧ- ସମୀର ତା ସିକ୍ତ

ପତର ସବୁ ପରଶି

ଖେଳୁଛି ଶିଶୁଟି ଧୂଳି ନୀରପୂର୍ଣ୍ଣ

ଆଳବାଳ ପାଶେ ବସି ।

ସମୀର ତାଡ଼ନେ କ୍ଷୁଦ୍ର କୃଷ୍ଣ କେଶ

କମ୍ପୁଅଛି ଥର ଥର

ଧୂଳି ଧୂସରିତ ଗଉର-ତନୁଟି

ଦିଶେ ଅତି ଶୋଭାକର ।

କର୍ମେ ରତ ତାର ମାଆ ଥରେ ଥରେ

ଚାହିଁ ତାକୁ ମୁଗ୍‌ଧ ନେତ୍ରେ

ଜୀବିକା ଅର୍ଜନ ନିମନ୍ତେ ଜନକ

ଯାଇଛନ୍ତି କର୍ମ କ୍ଷେତ୍ରେ

ମନ ଧ୍ୟାନ ଦେଇ ଧୂଳିଘର ଶିଶୁ

ନିର୍ମ୍ମାଣି ଅତି ଯତନେ

ଆପଣା କ୍ଷମତା ଦେଖାଇବ ବୋଲି

ପିତାଙ୍କୁ ଭାଳିଲା ମନେ ।

ନାହିଁ କେହି ତହିଁ ସାଙ୍ଗ ସାଥି ତାର

ଲଭି ପିତାଙ୍କ ଆଦର

ମଣିଥାଏ ଶିଶୁ ସେଇ ସାଥି ପୁଣି

ଗୁଣଗ୍ରାହକ ସେ ତାର ।

ଖେଳ ଛାଡ଼ି ଶିଶୁ ଆପଣା ରଚିତ

ଧୂଳି ଘରେ କ୍ଷଣେ ଚାହିଁ

କି ମନେ ବିଚାରି ଗଲା ତତ୍‌କ୍ଷଣେ

ପିତାଙ୍କ ସନ୍ଧାନେ ଧାଇଁ ।

ମନେ ମନେ ଶିଶୁ ଏଣେ ତେଣେ ଖୋଜି

ଦେଖିଲା ନାହାନ୍ତି ଘରେ

ତାଙ୍କର ଆସିବା ପଥକୁ ଘଡ଼ିଏ

ଚାହିଁଲା ଅନିମେଷରେ ।

ଚଞ୍ଚଳ ହୃଦୟେ ଘଡ଼ିକ ସମୟ

ମଣିଲା ପ୍ରହରେ ପରି

ନିରାଶ ମାନସେ ମୁହଁଟି ଶୁଖାଇ

ମାତା ପାଶେ ଗଲା ଚଳି ।

ମାତାଙ୍କ କୋଳରେ ବସି ଶିଶୁ ତାଙ୍କ

ଗଳା ଧରି ଅତି ଗେଲେ

ଦରସ୍ଫୁଟ ଭାଷେ କଲା ପୁଛା ‘ବାପ

ଆଛିବେ ମା କେତେ ବେଲେ ?’’

ଜନନୀ ବୋଇଲେ ଆସିବେ ଏକ୍ଷଣି

ନୋହି ତୁ ଉଝଟ ଭଲେ

ପିଇଦେଲେ ଦୁଧ’’ ଏତେ କହି ଧୂଳି

ଝାଡ଼ି ତା ଅଙ୍ଗୁ ଅଞ୍ଚଳେ ।

କ୍ଷୀର ପାନ ତାକୁ କରାଇ ସହଜେ

କାର୍ଯ୍ୟେ ଲାଗିଲେ ଜନନୀ

ଶେଷ ହେଲା ଦିନ ଚକ୍ରବାଳ ସୀମା

ଲଙ୍ଘିଗଲେ ଦିନମଣି ।

ଶୁକ୍ଳା ଚତୁର୍ଦ୍ଦଶୀ ଚାନ୍ଦ ପୂର୍ବ ନଭ

କୋଳୁ ସନ୍ଧ୍ୟା ସଙ୍ଗେ ଧୀରେ

ଉଠି ଆସୁ ଆସୁ ଶୁଭ୍ର କରରାଶି

ବୁଣିଦେଲେ ଧରଣୀରେ ।

କର୍ମକ୍ଳାନ୍ତ ଦେହେ ଏକାଳେ ଶିଶୁର

ପିତା ପରବେଶି ଘରେ

ଲଭିଲେ ଅସାର ଶାନ୍ତି ଶିଶୁ ମୃଦୁ-

ତନୁ ଚାପି ବକ୍ଷ ପରେ ।

ଆନନ୍ଦରେ ଶିଶୁ ଗଦଗଦ ହୋଇ

ଜଣାଇଲା ପିତା ପାଶେ

ନିଜ ରଚିଥିବା ଧୂଳିଘର କଥା

ସୁମଧୁର କଳଭାଷେ ।

ଶ୍ରମ ଦୂର କରି ଚଳିଲେ କୌତୁକେ

ପିତା ଧରି ଶିଶୁକର

ଦେଖିବା ନିମନ୍ତେ ସରଳତାଭରା

ଯତ୍ନେ ଗଢ଼ା ଧୂଳିଘର ।

ଦେଖାଇ ପିତାଙ୍କୁ ନିଜ କର୍ମ୍ମ ଶୁଣି

ତାଙ୍କ ପ୍ରଶଂସା ବଚନ

ମଧୁର ହାସ୍ୟରେ ହେଲା ଉଦ୍‌ଭାସିତ

ଶିଶୁ ସୁନ୍ଦର ଆନନ ।

ଏମନ୍ତ ସମୟେ ମଲ୍ଲିକା-କୋରକ

ବିକଶିଲେ ଗୋଟି ଗୋଟି

କି ବା ସେ ଶିଶୁର ଇଚ୍ଛା ପୂର୍ଣ୍ଣ ହୋଇ

ପୁଷ୍ପ ଛଳେ ଗଲା ଫୁଟି !

•••

 

ସ୍ମୃତିଟିଏ

 

ଅଳପେ ଉନ୍ମୋଚି ଗୋଲାପି ପାଖୁଡ଼ା

ଫୁଟି ଆସୁଥିଲା ଗୋଲାପ କଳି

ନାଚୁଥିଲା ତାର କୋମଳ ତନୁଟି

ସମୀର ପରଶେ ବୃନ୍ତରେ ହଲି ।

ରକ୍ତିମ ଅଧର ଅଳପ ବିକାଶି

ହସୁଥିଲା କିବା ଆପଣା ମନେ

ଜାଣି ନ ଥିଲା ସେ ମୁହୂର୍ତ୍ତକ ଅନ୍ତେ

କି ଅବା ଘଟିବ ତାର ଜୀବନେ ।

କୋମଳ ପଲ୍ଲବ- କୋଳେ ବୃନ୍ତାସନେ

ମେଲୁଥିଲା ତାର ସୌନ୍ଦର୍ଯ୍ୟ ଡାଲା

ସମ୍ପୂର୍ଣ୍ଣ ବିକଶି ଥିଲେ ହୋଇଥାନ୍ତା

କେଉଁ ଭାଗ୍ୟବାନ ଗଳାରେ ମାଳା ।

ପାଶେ ଗଲା ଜନେ ଆମୋଦିତ କରି

ଚହଟାଉଥିଲା ମୃଦୁ ସୌରଭ

ଫୁଟି ବାସ ଯେବେ ପ୍ରକଟାଇଥାନ୍ତା

ନ ବଢ଼ନ୍ତା ତାର କେତେ ଗୌରବ ?

ସହିଲା ନାହିଁ ତା ଦାରୁଣ ବିଧାତା

କାହୁଁ କାଳକୀଟ ନିଷ୍ଠୁର ଆସି

କାଟିଦେଲା ଦନ୍ତେ ବୃନ୍ତ ମୂଳୁଁ ତାର

ଶୁଖିଗଲା ସବୁ ସୌନ୍ଦର୍ଯ୍ୟରାଶି ।

ସୁଷମା ଭରା ତା କୋମଳ ତନୁଟି

ସଢ଼ି ମାଟି ସଙ୍ଗେ ଗଲାଣି ମିଶି

ମଧୁର ସୌରଭ ସ୍ମୃତିଟି ତାହାର

ଜାଗେ ହୃଦ ମଧ୍ୟେ ଦିବସ ନିଶି ।

ଫୁଟି ଝଡ଼ିବା ତ ପ୍ରକୃତି ନିୟମ

ଦିନେ ହେଲେ ଝଡ଼ି ନ ଥାନ୍ତା କି ସେ !

ଫୁଟି ନ ଫୁଟୁଣୁ ଝଡ଼ିଗଲା ମନ

ତେଣୁ ସିନା ଜଳେ ବିଷାଦ-ବିଷେ ।

ରହିବା ଘଡ଼ିକ ରହି ଯାଇଥାନ୍ତେ

ଯେବେ ସେ ନଶ୍ୱର ସଂସାର ବକ୍ଷେ

ତେବେ ବା କାହିଁକି ଅପୂର୍ଣ୍ଣତା ତାର

ଭାଳି ଝୁରୁଥାନ୍ତେ ତା ପାଇଁ ଲୋକେ ?

ଯେତେ ଦିନ ଲାଗି ଆସିଥିଲା ମର୍ତ୍ତ୍ୟେ

ତେତେ ଦିନ ତାର କର୍ତ୍ତବ୍ୟ ପାଳି

କାହିଁକି ରହନ୍ତା ବିଶ୍ୱପିତାଙ୍କର

ପବିତ୍ର ଆହ୍ୱାନେ ଗଲା ସେ ଚାଲି ।

ଯାଉ, ସେ ତାହାର ନଶ୍ୱର ଅଙ୍ଗଟି

ମିଶିଗଲା ସିନା ମାଟି ସଙ୍ଗତେ

ଚିରଦିନ ପାଇଁ ଆଙ୍କି ରଖିଛି ତା

ସ୍ମୃତିଟି ମୋ ହୃଦପଟେ ଗୁପତେ ।

•••

 

ନାବିକ

 

ସୁନୀଳ ଆକାଶେ ହସଇ ଚନ୍ଦ୍ରମା

ସୁଲୁସୁଲୁ ବହି ଯାଉଛି ବାଆ;

ସୁନୀଳ ସଲିଳ- ତଟନୀ ବକ୍ଷରେ

ତରୁଣ ନାବିକ ମେଲିଛି ନାଆ ।

କଳକଳ ତାନେ ନାନା ରଙ୍ଗେ ଗୀତ

କେତେ ସେ ତଟନୀ ଯାଉଛି ଗାଇ

ତରଙ୍ଗ ହିଲ୍ଲୋଳେ ତରୁଣ ନାବିକ

ନାଆ ଖଣ୍ଡି ତାର ଯାଉଛି ବାହି ।

ଦୂର ଉପବନୁ ସୁମନ ସୁବାସ

ଚୋରାଇ ବହୁଛି ମନ୍ଦ ପବନ,

ମଧୁର ମୋହନ ସେ ଦୃଶ୍ୟେ ମଗନ

ବିବଶ ବିହ୍ୱଳ ନାବିକ ମନ ।

ତଟିନୀ କଲ୍ଲୋଳେ ମିଶାଇ ସୁସ୍ୱର

ତୋଳି ଅପୂରୁପ ଗୀତଲହରୀ

ଘର ଅଭିମୁଖେ ମେଲିଛି ତରଣୀ,

ଅଧେ ବାଟ ଆସି ଗଲାଣି ସରି ।

ନାହିଁ ତାର ମନେ ଚିନ୍ତାଦକ କିଛି

ଆଉ ଅଧେ ବାଟ ଅଛି ତ ଗାଆଁ

ରାତି ପହରକେ କୁଟୀରେ ମିଳିବ,

ଚାହିଁଥିବେ ପଥ ଭାରିଯା ମାଆ ।

ଜାଣିନାହିଁ ସେ ତ ନିମିଷକ ଅନ୍ତେ

କି ବାଧା ଅଛି ତା ସୁଖ ସ୍ୱପନେ,

ଏହିପରି ସିନା ଭବିଷ୍ୟତ ସଦା

ଅନ୍ଧକାରମୟ ନର ନୟନେ ।

ଚାହୁଁ ଚାହୁଁ କାହୁଁ କଳାମେଘ ଖଣ୍ଡ

ଆକାଶ ମାର୍ଗରେ ଆସିଲା ଘୋଟି,

ଗ୍ରାସିଲା ତକ୍ଷଣେ ଚନ୍ଦ୍ରମା ସହିତେ

ନକ୍ଷତ୍ରମାନଙ୍କୁ ଗୋଟିକି ଗୋଟି ।

ଅନ୍ଧକାର ମାଡ଼ି ବସିଲା ଚୌଦିଗେ

ଗାଆଁ ବିଲବଣ ନଦୀ ଆବରି

ତା ଦେଖି ନାବିକ ମତି ଛନ୍ନ ହେଲା

ବେଗ ବେଗ ହୋଇ ବାହିଲା ତରୀ ।

ପ୍ରତିକୂଳ ବାୟୁ ବହିଲା ପ୍ରବଳେ

ମୁହଁକୁ ଛାଟିଲା ବରଷା ପାଣି

ବାରି ହେଉ ନାହିଁ ପଥ ଘାଟ କିଛି

ପ୍ରାଣପଣେ କାତ ମାରୁଛି ଟାଣି ।

ହାତକରୁ ବେଶି ଚଳୁନାହିଁ ନାଆ

ଯାଉଛି ଯେତିକି, ଆସୁଛି ଫେରି

ହାତ ଗୋଡ଼ସବୁ। ହେଲାଣି ଅବଶ

ଦେହ ଉଠିଲାଣି ଶୀତରେ ଥରି ।

ଘୋର ନାଦ କରି ଝଞ୍ଜା ପ୍ରଭଞ୍ଜନ

ଯମଦୂତ ପ୍ରାୟ ଆସିଲା ମାଡ଼ି,

ନ ପାରିଲା ଆଉ ସମ୍ଭାଳି ନାବିକ

କାତଖଣ୍ଡି ଗଲା ମୁଷ୍ଟିରୁ ଛାଡ଼ି ।

ଚଷୁଫାଳ ପ୍ରାୟେ ଦୂରନ୍ତ ପବନ

ନାଆଖଣ୍ଡି ତାର ନେଲା ଉଡ଼ାଇ

ଡଅଁର ଭିତରେ ଖେଳାଇ ଭଉଁରି

ନାଆ ସଙ୍ଗେ ତାକୁ ଦେଲା ବୁଡ଼ାଇ ।

ଉତ୍କଣ୍ଠିତ ହୋଇ ଘରେ ତାର ମାଆ

ସ୍ତିରୀ ବସିଛନ୍ତି ବାଟ ଅନାଇ

ମନାସି ମନରେ କେତେ ଠାକୁରଙ୍କୁ

ଫେରିଲେ ନାବିକ, ପୂଜିବେ ଯାଇ ।

ବେଳୁ ବେଳ ଦେଖି ବହୁତ ବହୁତ

ବରଷା ପବନ ଏ ଘଡ଼ଘଡ଼ି

ରନ୍ଧା ଭାତ ଆସି ଶୁଖି ତ ଗଲାଣି

ଆସିବା ସମୟ ଗଲାଣି ଗଡ଼ି !

ନିଦ ନ ଆସଇ ବେନିଙ୍କ ନୟନେ

କେତେ ଦୁଃଖେ ଫାଟି ଯାଉଛି ଛାତି

ଅନାଇ ଅନାଇ ନ ପୂରିଲା ଆଶା

ପାହିଲା ସେ ଝଡ଼ି ବରଷା ରାତି

ପ୍ରଭାତେ ଦେଖିଲେ ଗାଆଁ ଲୋକମାନେ

ଘାଟ ଆରପାରି ନଦୀ ପନ୍ଥାରେ

ଶୋଇଛି ନାବିକ, ଡାକିଲେ ଏପାଖୁ

ନ ଦିଏ ଉତ୍ତର ତାଙ୍କ କଥାରେ ।

ଶୁଣି ତାର ମାଆ ସ୍ତିରୀ ଅସମ୍ଭାଳେ

ନଦୀ ପାରି ହୋଇ ଗଲେଟି ଧାଇଁ

ପରଶି ବୁଝିଲେ ଶବ ମାତ୍ର ସେ

ଦେହେ ତାର ଆଉ ପରାଣ ନାହିଁ ।

•••

 

Unknown

ଅନ୍ଧ ବାଳକର ବିଳାପ

 

(୧)

ପ୍ରଥମ ଯେ ଦିନ ପ୍ରଭାତ ଆଲୋକ

ବୋଳି ହେଲା ମୋର ଅଙ୍ଗେ

ସେ ଦିନ ମୁଁ ଭବେ ନବୀନ ଅତିଥି

ଅଚିହ୍ନା ସବୁରି ସଙ୍ଗେ ।

ତଥାପି କି ଏକ ମୋହନ ମଦିରା

ଢାଳିଲା ସେ ମୋର ପ୍ରାଣେ

ସେହିଦିନୁ ହେଲି ତା ରୂପେ ମୁଁ ମୁଗ୍‌ଧ

ଉନ୍ମତ୍ତ ହେଲି ତା ନାମେ ।

ଧରାଅଧିବାସି- ଗଣଙ୍କ ସହିତ

କ୍ରମେ ମୋର ପରିଚୟ

ବଢ଼ିଲା ମୁଁ ମଧ୍ୟ ବଢ଼ିଲି ତାଙ୍କର

ଲଭିଣ ସ୍ନେହ ଆଶ୍ରୟ ।

ଯେତେ ହେଲି ବଡ଼ ତତେ ମୁଁ ଆଲୋକ

ରୂପମୋହେ ହେଲି ବାଇ

ଦେଖି ଦେଖି ତାକୁ ନ ମେଣ୍ଟଇ ତୃଷ୍ଣା

ଅନିମେଷେ ରହେ ଚାହିଁ ।

ଚିତ୍ରଇ ଯେବେ ସେ ବିଚିତ୍ର ଶୋଭାରେ

ଅବନୀ ସୁନ୍ଦରୀ ଅଙ୍ଗ

ମୋ ହୃଦ ନଦୀରେ ବହଇ ତା ଦେଖି

ବିପୁଳ ହର୍ଷ ତରଙ୍ଗ ।

ଲୀନ ହୋଇଯାଏ ଧରା ଅଙ୍ଗୁ ଯେତେ

ଶେଷ ରେଖାଟିକ ତାର

ନିଦ୍ରାରେ ମଗନ ହୁଏ ମୁଁ ତା ଲାଗି

କରି ମନେ ହାହାକାର ।

ଜାଗେ ମୁଁ ତାହାରି ଆଗମନ ସଙ୍ଗେ

ତାହାରି ଶୋଭାକୁ ଚାହିଁ

ତାହାରି ଅସ୍ତିତ୍ୱ ଥିବା ଯାଏ ମୁହିଁ

ଖେଳୁଥାଏ ଧାଇଁ ଧାଇଁ

ଏମନ୍ତ ସୁଖରେ ଗଲା ମୋ ନିକଟୁ

ଶିଶୁ କାଳ ଅତିକ୍ରମ

ଦେଖିଲି ମୁଁ କେତେ ନୂଆ ନୂଆ ଦୃଶ୍ୟ

ସଖାଙ୍କ ସଙ୍ଗତେ ଭ୍ରମି

ନିତି ନବ ଭାବେ ଆସନ୍ତି ତପନ

ମୋହନ ମୂରତି ଧରି

ନିତି ନବଭାବେ ଧରା ହୁଏ ସଜ

ତାଙ୍କ କର ଲାଭ କରି ।

ପାନ କରେ ମୁଁ ସେ ମଧୁର ସୁଷମା

ବେନି ନେତ୍ର-ଦ୍ୱାରପଥେ

ମନଟି ମୋହର ବୁଡ଼ିଯାଏ କେଉଁ

ଅଜଣାର ଅନ୍ତର୍ଗତେ ।

ପାଠଶାଳେ ଯାଇଁ ଗୁରୁଙ୍କ ନିକଟେ

ପଠନରେ ଦେଲି ମନ

କେତେ ନୂଆକଥା ଶିଖିଲି ତହିଁରେ

କଲି ଦିବ୍ୟଜ୍ଞାନାର୍ଜନ ।

ଗୁରୁ ଗରଜନେ ଆସଇ ବରଷା

ଫୁଟଇ କଦମ୍ୱ ଫୁଲ

ପଠନାବସରେ ବାଳଦଳ ସେହି

ତରୁମୂଳେ ହେଉଁ ଠୁଳ ।

କଦମ୍ୱ କୁସୁମ ତୋଳି ସର୍ବେ ତହିଁ

ବିରଚି କୃତ୍ରିମ ରଥ

ମହାକୋଳାହଳେ ରଥ ଟାଣିବାରେ

ମୁଖରିତ କରୁଁ ପଥ ।

ଆସଇ ଶିଶିର ହିମବିନ୍ଦୁ ଘେନି

କୁହେଳିକା ଆବରଣେ

ନ ଡ଼ରି ଶୀତକୁ ରତ ହୁଏଁ ପ୍ରାତେ

ପକ୍ୱ ବଦରୀ ଭକ୍ଷଣେ ।

ବସନ୍ତ ଆସଇ ଧରାକୁ ଭୂଷଇ

ନାନା କୁସୁମ ସମ୍ଭାରେ

ସଖା ସଙ୍ଗେ ନିତି ପ୍ରଜାପତି ପଛେ

ବୁଲେଁ ପ୍ରଦୋଷ ଉଷାରେ ।

ଗ୍ରୀଷମ ବାଳକ ମନୋଲୋଭା ଅତି

ହୁଅଇ ରସାଳକୁଞ୍ଜ

ବେଳ ଉଣ୍ଡି ତହିଁ ରୁଣ୍ଡ ହେଉଥିଲୁ

ସତୀର୍ଥ ବାଳକପୁଞ୍ଜ ।

ଏହିମତେ ସୁଖେ ଆଠଟି ବସନ୍ତ

ଗଲା ମୋ ଜୀବନେ ବହି

‘ଏହାଠାରୁ ବଳି ସୁଖ ବଡ଼ ହେଲେ’

ଆଶା ବୁଲେ କାନେ କହି ।

ମାତ୍ର ଏତେ ସୁଖ। ଲଲାଟେ ମୋହର

ନ ସହିଲା ବିଧାତାର

ଦିନେ ନିଦ୍ରାକାଳେ ହରିନେଲା ମୋର

ଶ୍ରେଷ୍ଠ ସୁଖର ଆଧାର ।

କର୍ମ କୋଳାହଳେ ଜାଗି ମୁଁ ଚକିତେ

ଅନାଇଲି ଚଉପାଶ

ଅନ୍ଧକାର ମୋତେ ଘେରି ଚଉଦିଗୁଁ

କଲା ତୀବ୍ର ଉପହାସ ।

ଯେତେ ଚେଷ୍ଟାକଲି ଦେଖିବା ନିମନ୍ତେ

ଆଲୋକର କ୍ଷୀଣ ରେଖା

ନିବିଡ଼ ଅନ୍ଧାର ବିନା ଆଉ ମୋତେ

କିଛିହିଁ ନ ଗଲା ଦେଖା ।

ଆସିଛି କି ନାହିଁ ଆଲୋକ ଧରାକୁ

ପୁଚ୍ଛିଲେ ଆତ୍ମୀୟଗଣେ

‘ଆସିଛି’ ନିଷ୍ଠୁର ପ୍ରତ୍ୟୁତ୍ତର ମୋତେ

ଦେଲେ ତହୁଁ ପ୍ରତି ଜଣେ ।

ନୟନ ମୋହର ପରଖି ଆହୁରି

ଆଘାତ ଦେଲେ ମୋ ମନେ

‘‘ଅନ୍ଧ ହେଲୁଣି ତୁ ଚିରଦିନ ପାଇଁ

ହରାଇ ବେନି ନୟନେ ।’’

ଭ୍ରମିଗଲା ମୋର ମସ୍ତକ ପଶି ମୋ

କର୍ଣ୍ଣପୁରେ ଏ ବାରତା

ମୂର୍ଚ୍ଛିତା ହୋଇ ମୁଁ ପଡ଼ିଲି ଧରାରେ

ବାତାହତ ତରୁ ଯଥା ।

(୨)

ଏତେ ଦୁଃଖେ ସୁଦ୍ଧା ଏ ବଜ୍ରକଠୋର

ପ୍ରାଣ ତ ଛାଡ଼ିଲା ନାହିଁ,

ସବୁ ସୁଖ ହରି ପୁଣି ଧାତା ମୋତେ

ରଖିଲା ପ୍ରାଣେ ବଞ୍ଚାଇ ।

କରିବା ନିମନ୍ତେ ମୃତ୍ୟୁକୁ ବିକଳେ

ଡାକିଲି ଯେତେ ନିକଟେ

ସେ ଆକୁଳ ବାଣୀ ନିଷ୍ଠୁର ମୃତ୍ୟୁର

ବାଜିଲା କର୍ଣ୍ଣ ପଟେ ।

କେତେ କାଳ ଆଉ ଜଳିବ ହୃଦୟେ

ବେଦନାର ତୁଷାନଳ

ଲିଭିବ ନାହିଁ କି ଦିନେ ଲଭି ତାର

ପରଶ ସୁଧା ଶୀତଳ ?

ଜୀବନରେ ମୋର ସାର ହେଲା ମାତ୍ର

ବ୍ୟର୍ଥତାର ହାହାକାର

ସେଥିଲାଗି ଦୋଷ ନ ଦେଇ କାହାକୁ

ବିଧିକି ଦିଏ ଧିକ୍କାର ।

ସୁଖ ଶାନ୍ତି ମୁଖ ଦେଖିବାର ଆଶା

ଭବିଷ୍ୟ ଜୀନ ପଥେ

ବୃଥ ସିନା ଆଉ ଆସିବ ସେ ବୋଲି

ମନରେ ନାହିଁ ପରତେ ।

ମରୁ ହୋଇଯାଏ ଶ୍ୟାମଳ କାନନ

ମୋ ଆକୁଳ ଦୀର୍ଘ ଶ୍ୱାସେ

ଶୁଖିଯାଏ ତାର ଶାନ୍ତି ନିର୍ଝରିଣୀ

ଯେ ଆସଇ ମୋର ପାଶେ ।

ହାହାକାର-ସାର- ଜୀବନ ଘେନି ମୁଁ

କିଆଁ ଦେଲି ଭବେ ଦେଖା

ଗଗନ-ପ୍ରାଙ୍ଗଣେ ଅଶାନ୍ତିସୂଚକ

ଯଥା ଧୂମକେତୁ ରେଖା ।

ହୋଇଥିଲେ ଯେହୁ ବେଶି ଉପକାରୀ

ସେହି ଅତି ନିର୍ଦ୍ଦୟରେ

ଆଶାପଥ ରୋଧି ସୁଖ-ସୌଧ ଚୂନା

କଲେ ମୋର ଅକାତରେ ।

ଉପକାରୀ ଯଦି ବେଦନା ବିହଇ

ବାଧଇ ସେ ସିନା ଅତି

ପରିତ୍ରାଣ ଯେବେ ଲଭିବାକୁ ତହୁଁ

ଥାଏ ନାହିଁ ଆଉ ଗତି ।

ବିନା ଦୋଷେ ଯେଉଁ ଶାସ୍ତି ମୁଁ ଲଭିଲି

କିଏ ତା ପାରିବ କଳି

ଏ ଦାଣ୍ଡ ପାଖରେ ମୁଣ୍ଡକାଟ ଦଣ୍ଡ

ସ୍ୱରଗ ସୋପାନ ଭଳି ।

ଆଲୋକ ସଙ୍ଗତେ ଆନନ୍ଦ ମୋ ପାଶୁଁ

ଘେନିଲା ଚିର ବିଦାୟ

ଭିତରେ ବାହାରେ ନିବିଡ଼ ଅନ୍ଧାର

ଘେରିଲା ପ୍ରହରୀ ପ୍ରାୟ ।

ସେହିଦିନୁଁ ମୁହିଁ ବୁଝିଛି ଜଗତେ

ଯେତେ ଦିନ ଥିବି ବଞ୍ଚି

ତେତେ ଦିନ ଲାଗି ଦଇବ କେବଳ

ଯାତନା ରଖିଛି ସଞ୍ଚି ।

ଲଭଇ ଯେବେ ମୁଁ ପରଶ ଏକ୍ଷଣି

ସେହି ପ୍ରିୟ ଆଲୋକର

ଗଣ୍ଡସ୍ଥଳେ ତୀବ୍ର ବେଦନାର ଅଶ୍ରୁ

ବହିଯାଏ ଝର ଝର ।

ଦୃଷ୍ଟି ଶକ୍ତି ହରି ନୟନେ ବିଧାତା

ଦେଇଛି ସଲିଳ ସଞ୍ଚି

ଢାଳୁଥିବି ତାହା ଅକାତରେ ଭବେ

ଯେତେ ଦିନ ଥିବି ବଞ୍ଚି ।

ଏକମାତ୍ର ମୃତ୍ୟୁ ବାଞ୍ଛିତ ମୋହର

ଦିନେ ସେ ଆସିବ ଯେବେ

ତା ଅମୃତ କୋଳେ ଲଭିଲେ ଆଶ୍ରୟ

ପାଇବି ବା ଶାନ୍ତି ତେବେ ।

•••

 

କ୍ଷମା

 

(୧)

ଦେଶ ଏକ ଥିଲା ଅନ୍ଧକାର ନାମେ

ସେ ଦେଶେ ନିଷ୍ଠୁର ରଜା

ତାଙ୍କରି ସଦୃଶ ହୃଦୟ ବହନ୍ତି

ଯେତେ ସେ ନୃପଙ୍କ ପ୍ରଜା ।

ରୋଗ ଅନୁଚର ଯାତନା ପରାଏ

ନୃପ ଅନୁଚରଗଣ

ରୋଷ, ହିଂସା, ଦ୍ୱେଷ ନାମକୁ ସାର୍ଥକ

କରନ୍ତି ଜଣକୁ ଜଣ ।

ମଣି ମୁକୁତାରେ ମଣ୍ଡିତ ସେ ଦେଶେ

ଆବାସ କକ୍ଷନିକର

ସ୍ୱର୍ଣ୍ଣ ରୌପ୍ୟ ଆଦି ପାର୍ଥିବ ସମ୍ପଦେ

ପୂରିଛି ସକଳ ଘର ।

ନ ହେବ କାହିଁକି ! ଏ ଜଗତେ ପରା

ଦୁର୍ଜନ ଲଭଇ ସୁଖ

ସୁଜନ ନିମନ୍ତେ ସଞ୍ଚା ହୋଇଥାଇ

ସବୁକାଳେ ସିନା ଦୁଃଖ ।

ସ୍ୱାର୍ଥପର ତହିଁ ସକଳେ ଲୋଡ଼ନ୍ତି

ଆପଣା ସୁଖ ସର୍ବଦା

ସରଳତା ଦୟା କାହାରି ହୃଦୟେ

ସ୍ଥାନ ନ ଲଭଇ କଦା ।

ପ୍ରେମ, ପ୍ରୀତି, ଶ୍ରଦ୍ଧା ନାମ ଆଜିଯାଏ

ଶୁଣି ନାହିଁ ସେହି ଦେଶ

ସ୍ନେହ ମମତାକୁ ଦୂରୁଁ ଘଉଡ଼ାନ୍ତି

ନ ଦେଖାଇ ଦୟା ଲେଶ ।

ଦଇବେ ସେ ଦେଶେ ସେ ରାଜାଙ୍କ ପୂରେ

ଜନମିଲା ଏକ ସୁତା

ପଙ୍କରୁ ପଙ୍କଜ ପରାଏ ସକଳ

ଅପାର୍ଥିବ ଗୁଣୟତା ।

ରାଜସୁତାଙ୍କର କି ନାମ ହୋଇବ

ଭାଳି ବସିଲେ ସକଳେ

ତହୁଁ ଏକ ଲୋକ ଆନ ଦେଶେ ଦିନେ

ଯାଇଥିଲା ଦୈବବଳେ ।

ଶୁଣି ଆସ ତହୁଁ ମନେ ରଖିଥିଲା

ସେ ଦେଶର ଏକ କଥା

କ୍ଷମା ସେ କଥାଟି, ଏକାଳେ ସେ ଲୋକ

ହଲାଇ କହିଲା ମଥା-

‘‘ନାଆଁଟିଏ ଅଛି ଶୁଣ ମୋହଠାରୁ

ନୁହେଁ ତା ଆମ ଦେଶର

ଆନ ଦେଶ କଥା ‘କ୍ଷମା’ ଏହି ନାମ

ହେଉ ରାଜସୁତାଙ୍କର ।’’

ଶୁଣି ରାଜାଙ୍କର ସନମତି ହେଲା

ସୂତା ନାମ ହେଲା କ୍ଷମା

ସାକ୍ଷାତ ନାମର ପ୍ରତିମୂର୍ତ୍ତି ହୋଇ

ରାଜିଲା କନ୍ୟା ଉତ୍ତମା ।

ଅମର୍ତ୍ତ୍ୟସୁଲଭ ହୃଦୟେ ତାହାର

ସରଳତା ଥିଲା ପୂରି

ବଢ଼ାଉଣ ଥିଲା ତାକୁ ଶତଗୁଣ

ସେନେହ ପ୍ରୀତି ମାଧୁରୀ ।

ଜନମ କାଳରୁ ଏ ଗୁଣ ତା ହୃଦେ

ନିହିଥିଲେ ସୃଷ୍ଟି ପିତା

ବିପରୀତ ଗୁଣ ଦେଶେ ରହି ଛାଡି

ନ ପାରିଲା ତା ଦୁହିତା ।

ତନୁବୃଦ୍ଧି ସଙ୍ଗେ ସେ ଗୁଣ ତା ହୃଦେ

ବୃଦ୍ଧି ଲଭୁଥିଲା ନିତି

ଲଭୁଥିଲା ଘୋର ଦୁଃଖ ହୃଦୟରେ

ଦେଖି ସେ ଦେଶ ଅନୀତି ।

ପିତାମାତା ତୁଲେ ଆନ ଲୋକ ପରେ

ଢ଼ାଳଇ ସେ ଯେତେ ପ୍ରୀତି

ତେତେ କଷ୍ଟ ତାକୁ ଦିଅନ୍ତି ସକଳେ

ମନ୍ଦ ମଣି ତା ଏ ରୀତି ।

ତାଙ୍କରି ପରାୟେ ହୋଇବାକୁ ତାକୁ

ଶିକ୍ଷା ଦେଉଥାନ୍ତି ସର୍ବେ

ମାତ୍ର ତାଙ୍କ ବାଣୀ ସ୍ୱଭାବେ ତାହାର

କାର୍ଯ୍ୟ ନ କରଇ ଲବେ ।

ଯେତିକି ତାହାକୁ ବ୍ୟଥା ଦେଉଥାନ୍ତି

ଏକତ୍ର ସକଳେ ମିଳି

ତେତିକି ତାହାଙ୍କ ପ୍ରତି ତାର ହୃଦେ

ପଡ଼ଇ ଶ୍ରଦ୍ଧା ଉଛୁଳି ।

ସେ ଦେଶ ଲୋକଙ୍କ ସୁଗୁଣର ନାମ

ନିଷ୍ଠୁରତା ବର୍ବରତା

ପରସ୍ପର ପ୍ରତି ପରସ୍ପରେ ତହିଁ

ଆଚରନ୍ତି ସେହି କଥା ।

କେହି ଯେବେ କାହା ମସ୍ତକ ଉପରେ

ପ୍ରହାରଇ ବେନି ପଦ

ଅନ୍ୟ ସେହିପରି କରଇ ଅଥବା

ଭୟରେ ହୁଏ ସ୍ତବଧ ।

ଦୁହିଙ୍କର ହେଲେ ସମବ୍ୟବହାର

ଦୁହେଁ ମନେ ହିଂସା ପୋଷି

ଲଭିଲେ ସୁଯୋଗ ବେନିଏ ବେନିଙ୍କ

ରକତ ଖାଆନ୍ତି ଶୋଷି ।

ନୋହିଲେ ଯଦିଚ ଭୟରେ ନିଉନ

ହୁଅଇ ତହିଁରୁ ଜଣେ

ଆନ ତାକୁ ଚାହିଁ ଅବଜ୍ଞା ଦୃଷ୍ଟିରେ

ଚାଲିଯାଏ ବଡ଼ ପଣେ ।

ନ ହୁଏ ସେ ଦେଶେ ରୋଗୀ, ଦୁଃଖୀ ପ୍ରତି

କରୁଣା କାହାରି ମନେ

ରୋଗିକୀ ନିସତ ଦେଖିଲେ ପକାଇ

ଦିଅନ୍ତି କବାଟ କଣେ ।

ଆୟୁ ଥିଲେ ରୋଗୀ ବଞ୍ଚେ ନତୁ ଯାଏ ।

ଯମପୁରେ ଛଟପଟେ

ମରିବା ଜାଣିଲେ ଘୋଷାରି ପକାଇ

ଦିଅନ୍ତି ତଟିନୀ ତଟେ ।

ସନ୍ତାନ ଜନ୍ମିଲେ ସସ୍ନେହେ ଜନନୀ

ନ କରେ ତାକୁ ପାଳନ

ଅବହେଳା ଲଭି ବିଭୁଙ୍କ ଇଚ୍ଛାରୁ

ଧରଇ ମାତ୍ର ଜୀବନ ।

ନ ପାଏ ଜୀବନେ ଜନନୀ ନିକଟୁ

ସନ୍ତାନ କେବେ ଆଦର

ଏହି ଘେନି ତାର ଶୈଶବ କାଳରୁ

ରୁକ୍ଷ ହୁଅଇ ଅନ୍ତର ।

ଆହୁରି ସନ୍ତାନ ଜନମିଲା କ୍ଷଣି

ଚିପି ଦେଇ ତାର ଗଳା

ଫିଙ୍ଗିଦେଇ ବନେ ଗୃହକୁ ଲେଉଟି

ଆସଇ ଦୁଷ୍ଟା ଅବଳା ।

ଅନ୍ଧଟିଏ କେହି ଦେଖିଲେ ନୟନେ

ଉପହାସ ତାକୁ କରି

କୁଟିଳ ଉପାୟେ ଖାତରେ ପକାଇ

ଦିଏ ତାର କର ଧରି ।

କଉତୁକ ମଣି ଆନନ୍ଦ ଲଭନ୍ତି

ସେ କଥା ଦେଖିଲା ଜନେ

ବଧିର ସଙ୍ଗତେ ଧୀର କଥା କହି

ଦୁଃଖ ବଢ଼ାନ୍ତି ତା ମନେ ।

ନାରୀ ନିର୍ଯ୍ୟାତନ ଦେଖନ୍ତି ହରଷେ

‘ବାହାବା’ ଦିଅନ୍ତି ସୁଖେ

ବିଳାସ ସାମଗ୍ରୀ ନାରୀ ତହି ତାର-

ଦୁଃଖ କହି ନୋହେ ମୁଖେ ।

ଏହି ମତ ଅଟେ ସେ ଦେଶର ରୀତି

ଏହାକୁ ମଣନ୍ତି ଭଲ

ଅସଲ ଭଲକୁ ନ ଚିହ୍ନନ୍ତି କେହି

ତାହାକୁ ମଣନ୍ତି ସଲ ।

ଏ ନିଷ୍ଠୁର ଦେଶେ ସେ ରାଜବାଳିକା

ସହି ଏହା ନିରନ୍ତରେ

ବିନିମୟେ ତାର ଅମୂଲ୍ୟ ସେନେହ

ଢାଳଇ ସବୁରି ପରେ ।

ରୋଗୀକୁ ଯତନେ କରଇ ଶୁଶ୍ରୁଷା

ଅହର୍ନିଶ ବସି ପାଶେ

ଶୋଷୀକି ତୋଷଇ ଶୀତଳ ସଲିଳେ

ଭୋଖୀକି ପୂର୍ଣ୍ଣ ଗରାସେ ।

ଶରଧା ଯତନ କରଇ ସଭିଙ୍କି

ଅନ୍ଧକୁ ଦେଖାଏ ପଥ

ବୃଥା ଦଣ୍ଡତିକୁ ସାନ୍ତ୍ୱନା ଦେଇଣ

ପୂର୍ଣ୍ଣ କରେ ମନୋରଥ ।

ସେ ଦେଶର ଲୋକେ ରାଜସୁତା ଠାରେ

ଏ ବିପରୀତ ବେଭାର

ଦେଖି ତାହା ପ୍ରତି କ୍ରୋଧ ବହି ମନେ

କଲେ ତା ନିନ୍ଦା ଅସାର ।

ଏହି କଥା ଶାଖା- ପଲ୍ଲବିତ ହୋଇ

ବାଜିଲା ନୃପଙ୍କ କର୍ଣ୍ଣେ

ପ୍ରହାରେ ଦଣ୍ଡିତ କଲେ ଦୁହିତାକୁ

ନିଷ୍ଠୁର ନିର୍ଦ୍ଦୟ ପଣେ ।

ବୋଇଲେ ବିଦେଶୀ ନାମ ଦେଲାକ୍ଷଣି

ଧରିଲୁ ବିଦେଶୀ ଗୁଣ

ଆଉ ଯେବେ ହେବୁ ଏମନ୍ତ ତୋ ଦେହ

କାଟି ବୋଳିବ ମୁଁ ଚୂନ ।

କ୍ଷମା ତାହା ସହି କ୍ଷମିଲା ପିତାଙ୍କୁ

ବ୍ୟଥାରେ ହୋଇ ମଉନ

ଅନ୍ତରେ ଲଭିଲେ ଘୋର ଦୁଃଖ ସୁଦ୍ଧା

ନ ଛାଡ଼ିଲା ତାର ଗୁଣ ।

ହୃଦୟ ବେଦନା ବୁଝିବାକୁ ସଙ୍ଗୀ

ନାହିଁ ତା ସେ ଦେଶେ ଜଣେ

ନୀରବେ ରହଇ ଅଶ୍ରୁ ଢାଳି ଦେଇ

ମନକଥା ମାରି ମନେ ।

କେବେ ନିରଜନେ ତଟିନୀ ପୁଳିନେ

ବସି ତାର କଳ ତାନେ

ମଶାଇ ଆପଣା କଳକଣ୍ଠ ଶମେ

ହୃଦଭରା ଦୁଃଖ ଗାନେ ।

ବୃକ୍ଷଡ଼ାଳେ ଯେବେ ରାବଇ କୋକିଳ

ତାହାକୁ ଉଦ୍ଦେଶ କରି

କ୍ଷମା କହେ ବାଣୀ- ‘‘ଯେବେ ମୁଁ ଶକତି

ଲଭନ୍ତି ପକ୍ଷି, ତୋପରି;

ଗାଉଥାନ୍ତି ମୋର ହୃଦୟର ଗାଥା

ଗ୍ରାମେ ଗ୍ରାମେ ଦେଶେ ଦେଶେ

ଚାଳନ୍ତି ଜନଙ୍କୁ ସତପଥେ ତୋଷି

ତାଙ୍କ ମନ ଉପଦେଶେ ।

କେତେ ବନଗିରି ଦେଖି ଦେଖି ଉଡ଼ି

ଲଙ୍ଘି ଯାଉଥାନ୍ତି ମୁହିଁ

ଉପରେ ଅନନ୍ତ ନୀଳାକାଶ, ତଳେ

ରହନ୍ତା ଶ୍ୟାମଳ ଭୂଇଁ ।

ମନ ଅନୁରୂପ ସଙ୍ଗିଟୀଏ ଖୋଜି

ଆଣନ୍ତି ମୋର ନିମନ୍ତେ

କାଟୁଥାନ୍ତି କାଳ ମୋ ହୃଦ ବେଦନା

ଗାଇ ତାହାର ଅଗ୍ରତେ ।

ମେଲିଛି ଚୌଦିଗେ ଏହି ବସୁମତୀ

ପ୍ରକୃତି ଶୋଭା ଭଣ୍ଡାର

ଜନମ ତା ବୃଥା ସେ ଦୃଶ୍ୟ ଦର୍ଶନୁଁ

ବଞ୍ଚିତ ନେତ୍ର ଯାହାର ।

ଲୋଡ଼େ ମୋ ପରାଣ ସେହି ସଙ୍ଗୀ ସଙ୍ଗେ

ହୁଅନ୍ତି ବନବାସିନୀ

ମାତ୍ର ନ କରାଏ ନିୟତ ମୋତେ ସେ

ସୁଖପଥପଥିକିନୀ ।

ଇଚ୍ଛା ମୋର ସଦା ଭ୍ରମି ଦେଖୁଥାନ୍ତି ।

ପ୍ରକୃତ ଲୀଳା ଅନନ୍ତ

ମେଣ୍ଟୁଥାନ୍ତା ମୋର ନୟନ ପିପାସା

ଚିତ୍ତ ହୁଅନ୍ତା ତୃପତି ।

ଚନ୍ଦ୍ରକରେ ବସି ସଙ୍ଗ ସଙ୍ଗତରେ

ଗିରି ନିର୍ଝରିଣୀ ତଟେ

ହୃଦୟ-କପାଟ- ଅର୍ଗଳ ମୋଚନ

କରୁଥାନ୍ତି ଅକପଟେ ।

ଦୁହେଁ ଦୁହିଙ୍କର ମନକଥା ଗାଇ

ଲଭୁଥାନ୍ତି ମନେ ସୁଖ

ଦଣ୍ଡକ ବିଚ୍ଛେଦ ହୃଦୟେ ଆଣନ୍ତା

ପର୍ବତ ପରାଏ ଦୁଃଖ ।

କଟୁଥାନ୍ତା ସୁଖେ ବିଭାବରୀ ସ୍ନିଗ୍ଧ-

ଉପଳ ଶେଯ ଶୟନେ

ବସୁଥାନ୍ତୁ ବେନି ଲତିକା-ନିକୁଞ୍ଜେ

ଦିବସର ଯଉବନେ ।

ପାଦପେ ଅତିଥି ସେବା କରୁଥାନ୍ତେ

ଖଞ୍ଜି ମିଷ୍ଟ ପକ୍ୱପାଳ

ଦୂର କରୁଥାନ୍ତା ପିପାସା ତଟିନୀ

ଅରପି ଶୀତଳ ଜଳ ।

ମାନସ ଉଲ୍ଲାସେ ତୋଳି ବନଫୁଲ

ହାର ଗୁନ୍ଥ ଯତନରେ

ଲମ୍ବାଉ ଥାଆନ୍ତୁ ଦୁହେଁ ଦୁହିଙ୍କର

ଗଳାରେ ସ୍ନେହ ଆଦରେ ।

ନୂଆ ନୂଆ ଦୃଶ୍ୟ ହେଉଥାନ୍ତା ଯେବେ

କିଛି ନୟନ ଗୋଚର

ଦେଖି ଦେଖାଇଣ ମହାସୁଖ ମନେ

ଲଭୁଥାନ୍ତୁ ପରସ୍ପର ।

କେଡ଼େ ଭାଗ୍ୟବତୀ       ଶବରଳଳନା

ପ୍ରକୃତି କୋଳେ ବର୍ଦ୍ଧିତା

ବିଳାସ ବାସନା ପଶୁ ନାହିଁ ପ୍ରାଣେ

ଶୁଭ୍ର ସାରଲ୍ୟେ ମଣ୍ଡିତା ।

ପ୍ରକୃତି ଦେବୀଙ୍କ ଅସରନ୍ତି ଦ୍ରବ୍ୟ-

ଭଣ୍ଡାରେ ସେ ଅଧୀଶ୍ୱରୀ

ତାଙ୍କ ଭାଗ୍ୟ ସଙ୍ଗେ କେଉଁ ଗୁଣେ ହେବ

ରାଜାରାଣୀ ଭାଗ୍ୟ ସରି ?’’

କହୁ କହୁ ଏହା କୋକିଳକୁ କ୍ଷମା

ଯାଏ ସେହୁ ତହୁଁ ଉଡ଼ି

ସନ୍ଧ୍ୟା ସମାଗମେ କ୍ଷୁଣ୍ଣ ମନେ ବାଳା

ଗୃହକୁ ଆସେ ବାହୁଡ଼ି ।

ଏହିପରି କ୍ଷମା ଦୁଃଖେ କାଟେ କାଳ

ଭୋଗି ସେ ଦେଶ ଅନୀତି

ମନକଥା ମନେ ମାରଇ ମଉନେ

ସଦା ଅଶ୍ରୁ ଜଳେ ତିନ୍ତି ।

(୨)

କିଛିଦିନ ଅନ୍ତେ ନିଦାଘ ନିଶାନ୍ତେ

ମହୀରେ ହେଲା ପ୍ରକାଶ

ଶମ୍ପାଶୋଭି-ବଜ୍ର- ଗର୍ଭ ମେଘରଥେ

ଚଢ଼ିଣ ଆଷାଢ଼ ମାସ ।

ଝର ଝର ଝର ଝରିଲା ବରଷା

ନିଦାଘତାପିତା ଧରା

ତୃପତି ଲଭିଲା ସୁଶୀତଳ ହେଲା

ସଜରେ ହେଲା ତତ୍ପରା ।

ଦୂର୍ବା ପଲ୍ଲବିଲା ତଟିନୀ ପୂରିଲା

ଚୌଦିଗେ ଶ୍ୟାମଳ ଶୋଭା-

ବିକଶିତ ହୋଇ ସୌନ୍ଦର୍ଯ୍ୟପିପାସୁ

ମନ କଲା ଅତି ଲୋଭା ।

ଏହିକାଳେ କ୍ଷମା ଦିନେ କରୁଥିଲା

ତଟିନୀ ତୀରେ ଭ୍ରମଣ

ଦେଖିଲା ସ୍ରୋତରେ ଭାସି ଆସୁ ଆସୁ

ଏକ ନର ଅପଘନ ।

ତରଙ୍ଗ ଆଘାତେ ସେହିଠାରେ ତାହା

ଲାଗିଗଲା ବାଲିଚରେ

କୌତୁହଳ ବହି କ୍ଷମା ତା ନିକଟେ

ପ୍ରବେଶିଲା ଅତି ଖରେ ।

ଦେଖିଲା ସେ ନୁହେଁ ଯୁବା ଅବା ବୃଦ୍ଧ

କିଶୋର ଅତି ସୁନ୍ଦର

ପ୍ରତି ଅଙ୍ଗେ ତାର ଫିଟି ଯାଇଅଛି

ସତେ କି ଲାବଣ୍ୟଝର ।

ଗୌର ତନୁ ତାର ନିନ୍ଦଇ କନକେ

ମୁଖ ଅତି ପରସନ୍ନ

ପ୍ରତେ ହୁଏ ଅବା ସ୍ରୋତାଘାତେ ପଦ୍ମ

ହୋଇଛି ଏଥି ପତନ ।

ଚାଲୁଅଛି କ୍ଷୀଣ ନିଶ୍ୱାସ ପ୍ରଶ୍ୱାସ

ଦେହେ ତାର ନାହିଁ ଜ୍ଞାନ

ଯତ୍ନେ ଶୁଷ୍କ ସ୍ଥାନେ ଆଣି କଲା କ୍ଷମା

ତା ଦେହେ ତାପ ପ୍ରଦାନ ।

କ୍ରମେ ସଞ୍ଚରିଲା ଚେତା ଜଡ଼ ଦେହେ

ନୟନ ଫିଟିଲା ଧୀରେ

ଫୁଟିଗଲା କିବା ନୀଳ-ଇନ୍ଦୀବର

ମୁଖ ହେମ-ସରସୀରେ ।

ଜ୍ଞାନ ଲଭି ମନେ ଦେଖିଲା ବାଳକ

କ୍ଷମା ବହୁତ ଯତନେ

ଜନନୀରୁ ବଳି ସେବା କରୁଅଛି

କରୂଣା-ମଣ୍ଡିତାନନେ ।

ଭାଳିଲା କିଶୋର ମୋହପ୍ରତି ଏତେ

ଦୟା କେଉଁ ଦେବୀ ବହି

ତ୍ରିଦିବୁଁ ଓହ୍ଲାଇ ରଖିଲା ମୋ ପ୍ରାଣ

କେତେ କଷ୍ଟ ଦେହେ ସହି ।

ଅମରୀ ନୋହିଲେ ଏ ଅପୂର୍ବ ଶୋଭା

ଧରନ୍ତା କେଉଁ ଯୁବତୀ

ଏ ଚାରୁ ଶୋଭାକୁ ଉପମା ହେବାକୁ

ନାହିଁ ଭବେ ଭାଗ୍ୟବତୀ ।

କନକ ଚମ୍ପକ ଜିଣି ଦେହକାନ୍ତି

ଦିଶୁଅଛି ତାରତର

ସୁଡ଼ୋଲ ମୁଖରେ ସୁଢ଼ଳ ନାସିକା

ଆହା କିବା ମନୋହର ।

ସୁନୀଳ କମଳ- ନୟନଯୁଗଳ

ଚାହାଣୀ କୋମଳେ ଭରା

ତାହାରି ଭିତରେ ପୀୟୂଷ ବିଧାତା

ଲୁଚାଇ ରଖିଛି ପରା !

କୁଞ୍ଚିତ କୁନ୍ତଳ ପୃଷ୍ଠକୁ ଆବରି

ଲୋଟୁଅଛି କଟିତଳେ

ନବୀନ ନୀରଦ ସରି ନୋହେ ତାକୁ

ଦଳିତ ଅଞ୍ଜନ ଦଳେ ।

ଫୁଟିଲା କମଳ ଜିଣେ କରତଳ

ବାହୁ ମୃଣାଳକୁ ବଳି

ଚାରୁ ଚରଣର ତଳ ରଙ୍ଗିମାରେ

କୋକନଦେ ଦିଏ ଦଳି ।

ରୁଜୁ ଦେହଲତା ନୁହେ ଅତିଉଚ୍ଚ

ନୁହଇ ତ ଅତି ଛୋଟ

ନୁହେ ଅତିଶୟ କ୍ଷୀଣ ତ କିଶୋରୀ

ଅବା ନୁହେ ଅତି ମୋଟ ।

ଯହିଁ ଯେଉଁ ଶୋଭା ସାଜିବ ତେମନ୍ତ

ଖଞ୍ଜିଛି ବିଧାତା ଜାଣି

ଅଳଙ୍କାର ନାହିଁ ଗୋଟିଏ ସେ ଦେହେ

ସେ ତ ଅଳଙ୍କରରାଣୀ ।

ଏତେ ସୌନ୍ଦର୍ଯ୍ୟର ଅଧିକାରିଣୀ ଯେ

ତାହାର ଅନ୍ତରପୁର

ସୁଗୁଣ-କୁସୁମ- ସୌରଭରେ କିଆଁ

ନ ଦୋଇବ ଭରପୂର !

କମଳେ ସୁଷମା ସୁଗନ୍ଧ ଥିଲେ କି

ନ ଥାଏ ମଧୁ ଭିତରେ

ଆଗେ ଗଢ଼ିସାରି କମଳକୁ ବିଧି

ଗଢ଼ିଛି ୟାକୁ ପଛରେ ।

ଏମନ୍ତ ବିଚାରୁ ବିଚାରୁ କିଶୋର

କ୍ଷମାର ନେତ୍ରଯୁଗଳ

ମିଳିତ ହୋଇଲା କିଶୋର ନୟନେ

ପୁଲକିଲା ଗଣ୍ଡସ୍ଥଳ ।

ଚାହିଁ ବାର ଦେଖି କୁମାରକୁ କ୍ଷମା

ଗୃହେ ଗଲା ବେଗେ ଧାଇଁ

ଇଷଦୁଷ୍ମ ଦୁଗ୍‌ଧ ଆଣି ସୁସ୍ଥ କଲା

ସେ କିଶୋରକୁ ପିଆଇ ।

ପିନ୍ଧାଇଲା ଶୁଷ୍କ ଅମ୍ବର ତା ସିକ୍ତ

ବସ୍ତ୍ର ପାଲଟାଇ ଦେଇ

ଶୁଆଇଲା ତାକୁ ଯତନେ ଶଯ୍ୟାରେ

ଆପଣା ମନ୍ଦିରେ ନେଇ ।

ଶାନ୍ତି ଲଭିଥିଲା କିଶୋର ସକଳ

ଚିନ୍ତା ମନୁ ଦୁର କରି

ନେଲା ନିଦ୍ରାଦେବୀ- ଉତ୍ସଙ୍ଗେ ଆଶ୍ରୟ

ମାତାକୋଳେ ଶୁଶୁସରି ।

ନିନ୍ଦ୍ରାନ୍ତେ କିଶୋର ଉଠିବାର ଦେଖି

କ୍ଷମା ତାର ପାଶେ ବସି

ପୁଚ୍ଛିଲା- ‘‘କହେ ହେ କି ନାମ ତୁମ୍ଭର

କେଉଁ ଦେଶ-ନଭ-ଶଶୀ ?

ସେ ଦେଶ ଉଜ୍ଜଳ ଭାଲପଟେ ଢାଙ୍କି

ଘୋର ଅମା ଅନ୍ଧକାର

କେଉଁ ଦୁର୍ଘଟନା ଆଣିଲା ଏଥିକି

ଜଳସ୍ରୋତେ ଏ ପ୍ରକାର ?

କେଉଁ ପିତା ମାତା କୋଳ ଅଳଙ୍କାର

କେଉଁ ଗୃହ ଶୋକେ ଭରି

ଆସିଲ ଏ ସ୍ଥାନେ କହ ହେ ଶ୍ରବଣେ

ଉତ୍ସୁକ ମନ ମୋହରି ।’’

କହିଲା କିଶୋର- ‘‘ଶୁଣ ଗୋ ସୁନ୍ଦରି !

ମୋର ପୂର୍ବ ବିବରଣ

ଦୟାପୁର ନାମେ ଦେଶ ଅଛି ତହିଁ

ଦୟାବନ୍ତ ସର୍ବଜନ ।

ପିତାଙ୍କର ନାମ ଦୟାସାଗର, ମୋ

ନାମ ଅଟେ ଦୟାନିଧି

ଭର୍ଗଧାରିଣୀଙ୍କ ନାମ ଦୟାବତୀ

ଘଟଣା କରିଛି ବିଧି ।

ଯୁବରାଜ ମୁହିଁ ସେ ଦେଶର, ମୋର

ଜନ୍ମଦାତା ନରବର

ଏକମାତ୍ର ମୁହିଁ ସୁତ ଗୋ ରୂପସି !

ଜନକ ଜନନୀଙ୍କର

ଯତନରେ ମୋତେ ବଢ଼ାଇ ସେ ବେନି

ଭୁଞ୍ଜୁଥିଲେ ଅତି ସୁଖ

ବାଇ ହେଉଥିଲେ ଦଣ୍ଡେ ନ ଦେଖିଲେ

ସେମାନେ ମୋହର ମୁଖ ।

ପରିମାଣି ନୋହେ ସେ ବେନିଙ୍କ ସ୍ନେହ

ବର୍ଷଇ ଯା ମୋ ଉପରେ

ଖଣ୍ଡ ସାଚି କେହି କା’କୁ ଊଣା ଯେହ୍ନେ

ନୁହନ୍ତି ମଧୁରସରେ ।

ମୋ ଲାଗି ତାଙ୍କର ମଧୁର ଦାମ୍ପତ୍ୟ-

କଳହ ବଢ଼ଇ ସଦା

ଜନକ ବୋଲନ୍ତି ‘ମୋ ପ୍ରତି ପୁତ୍ରର

ବେଶି ଭକତି ଶରଧା ।

ଜନନୀ ଭାଷନ୍ତି ‘ଭ୍ରାନ୍ତି ତୁମେ ଅତି

ନ ବୁଝ ବାଳକ ମତି

ସନ୍ତାନ ମନରେ ପିତା ଠାରୁ ବେଶି

ସ୍ନେହ ଧରେ ମାତା ପ୍ରତି ।

ଅବଶେଷେ ଦୁହେଁ ମାତନ୍ତି ହରଷେ

କଳି ଭାଙ୍ଗି ମୋ ବଚନେ

ମୁଁ ବୋଲଇ ଯହୁଁ ‘ସମାନ ଭକତି

ଅର୍ପେ ବେନିଙ୍କ ଚରଣେ ।

କେମନ୍ତେ ସେ ବେନି ବଞ୍ଚୁଥିବେ ଏବେ

ତାଙ୍କ କଥା ଭାଳି ମନେ

ଦୁଃଖରେ ବିଦାରି ହୁଅଇ ହୃଦୟ

ଅଶ୍ରୁ ଝରଇ ନୟନେ ।

ଦେଶ ଛାଡ଼ି ପିତା ଆସୁଥିଲେ ଦିନେ

ଦୁର କାନନ ଭ୍ରମଣେ

କହିଲେ ମାତାଙ୍କୁ ଛାଡ଼ିବା ପାଇଁକି

ମୋତେ ତାଙ୍କର ଗହଣେ ।

ଜନନୀ ବୋଇଲେ ‘ତା ଯେବେ ହୋଇବ

କି ଘେନି ବଞ୍ଚିବି ମୁହିଁ

ଦଣ୍ଡେ ନ ଦେଖିଲେ ତା ମୁଖ ମୋ ଜୀବ

ଛାଡିଯିବ ମର୍ତ୍ତ୍ୟଭୂଇଁ ।

ଏକାଳେ ମୁଁ ଯାଇ ମାତା ପାଶେ ଅଳି

କଲି ବନେ ଯିବାପାଇଁ

ଏଡି ନ ପାରି ମୋ ବଚନ ପିତାଙ୍କୁ

କହିଲେ ମାତା ବୁଝାଇ ।

‘ମୋ ଯିବା ନିମନ୍ତେ ଆୟୋଜନ ତେବେ

କର ତବ ସଙ୍ଗତରେ

କିଛି ଦିନ ଦେଖି କାନନ ସୁଷମା

ବାହୁଡ଼ିବା ପୁଣି ଘରେ ।’

ତାହା ଶୁଣି ପିତା ଯୋଗାଡ଼ ନିମନ୍ତେ

ଆଜ୍ଞା ଦେଲେ ଅନୁଚରେ

ଯଥାକାଳେ ପିତା ମାତା ବାହାରିଲେ

ମୋତେ ଘେନି ସଙ୍ଗତରେ ।

ଜଳକ୍ରୀଡ଼ା ପାଇଁ ପରିଚାରବର୍ଗ

ବହି ନେଲେ ଜଳଯାନ

କରିବର-ପୃଷ୍ଠେ ହାଉଦା ପଡ଼ିଲା

ଖଞ୍ଜା ତହିଁ ରତ୍ନମାନ ।

ମୋ ସହିତେ ବସି ତହିଁରେ ଗମିଲେ

ମାତା ପିତା ଦୁଇଜଣ

ପଶ୍ଚାତେ ଚଳିଲେ ନାନା ଦ୍ରବ୍ୟ ଘେନି

ସଙ୍ଗତେ କିଙ୍କରଗଣ ।

ଏମନ୍ତେ ଚଳନ୍ତି ଦିନମାନ ଦେଖି

ବସନ୍ତ ବିଳାସ ବନେ

ରଜନୀ ସମୟ ବସ୍ତ୍ରାବାସ ଟାଣି

ଯାପନ୍ତି ଆନନ୍ଦ ମନେ ।

କି କହିବ ସେହି କାନନର ଶୋଭା

ଆସୁନାହିଁ କହିବାର

ଅଟେ ସେ ଏମନ୍ତ ନେତ୍ରେ ଦେଖି ହୃଦେ

ଅନୁଭବ କରିବାର ।

ଏକେତ ହୋଇଛି ୠତୁରାଜଙ୍କର

ଆଗମନ ଧରାଧାମେ

ମଧୁସ୍ୱର ପିକେ ଢାଳୁଛନ୍ତି କର୍ଣ୍ଣେ

ଗୀତି ଗାଇ ବିଭୁନାମେ ।

ଶୀତାନ୍ତେ ତରୁଏ ନୂତନ ପଲ୍ଲବ-

ଦୁକୂଳ ପିନ୍ଧିବା ପାଇଁ

ପୁରାତନ ପକ୍ୱ- ପର୍ଣ୍ଣ-ଚେଳମାନ

ଦେଇଅଛନ୍ତି ଖସାଇ ।

ଶୋଭୁଛନ୍ତି ତହିଁ ନାନା ଜାତି ତରୁ

ପିନ୍ଧିଣ ପଲ୍ଲବ-ପାଟ

ସହକାରକୁଞ୍ଜେ ଲାଗି ଯାଇଅଛି

ମଧୁପଗଣଙ୍କ ନାଟ ।

ଚୂତ ମୁକୁଳରୁ ସୌରଭ ଚୋରାଇ

ବହୁଛି ମଳୟ ବନେ

ଶୋଭା ଧରିଛନ୍ତି ପ୍ରତି ବୃକ୍ଷେ ତହିଁ

କେବା ପୁଷ୍ପେ କେବା ପର୍ଣ୍ଣେ ।

ସ୍ୱର୍ଣ୍ଣକାନ୍ତି ଜିଣା କେତକୀ କଣ୍ଟକ-

ଦୁର୍ଗେ ଲୁଚି ରହି କାହିଁ

ସମୀର ହସ୍ତରେ ଦେଉଛି ସୁରଭି

ଚଉଦିଗକୁ ପଠାଇ ।

ଚମ୍ପକ କଳିକା ଦେଉଛନ୍ତି ଦେଖା

ଶ୍ୟାମଳ ପତ୍ର ଗହଳେ

କାହିଁବା ଅଶୋକ ପିନ୍ଧି ରକ୍ତାଂଶୁକ

ଟାଣେ ନୟନଯୁଗଳେ ।

ଯହିଁ ପଡ଼ିଯାଏ ନୟନ ସେଇଠି

ଅନାୟତ୍ତେ ରହେ ଲାଖି

ପୁଣି ନବ ଶୋଭା ଦର୍ଶନ ଆଙ୍କାଙ୍କ୍ଷା

ଫେରାଏ ତାହାକୁ ଡାକି ।

ନୀଳ ନଭେ ଜିଣି ନୀର ନୀଳିମାରେ

ପ୍ରକୃତିନିର୍ମିତ ସର

କୁମୁଦ ବହ୍ଲାର ଶତଦଳେ ପୂରି

ଦିଶୁଅଛି ମନୋହର ।

ରଜତେ ଧିକ୍କାରି କାନ୍ତିରେ ସଫରି

ବିହରନ୍ତି ତାର ବନେ

ବକ କାରଣ୍ଡବ ଚକ୍ରବାକ ତହିଁ

ଚରୁଛନ୍ତି ସୁଖମନେ ।

ରାତ୍ରେ ସେହି ଜଳେ ଚନ୍ଦ୍ର ତାରା ସହ

ପଡ଼ି ଗଗନର ଛାଇ

ଊର୍ଦ୍ଧ୍ୱେ ଅବା ସର ଜଳ, ନିମ୍ନେ ନଭ

ଭ୍ରମ ଦିଏ ଉପୁଜାଇ ।

କେଉଁଠାରେ ଅବା ବୃକ୍ଷେ ପାଚି ଝଡ଼ି

ପଡ଼ୁଛି ସକ୍ୱବଦରୀ

ଆସୁଛନ୍ତି କକ୍ଷେ ପାତ୍ର ଘେନି ତୋଳି

ନେବାକୁ ତାହା ଶବରୀ ।

ଭାସି ଆସେ କେଉଁ ବୃକ୍ଷ ଅନ୍ତରାଳ

ଅନାମା ବିହଙ୍ଗସ୍ୱର

ନାନାବର୍ଣ୍ଣେ ପକ୍ଷୀ ବିହରୁଅଛନ୍ତି

ସେ ବନେ ବିରଚି ଘର ।

କାହିଁ ଚରୁଛନ୍ତି ବିଚିତ୍ର କୁରଙ୍ଗ

ଚପଳନୟନେ ରହି

କେଉଁଠାରେ ନାଚେ ବର୍ହୀ ବର୍ହ ତୋଳି

ଆନନ୍ଦେ କଣ୍ଠ ଫୁଲାଇ ।

ତାହିଁ କୁସୁମିତ ସର୍ଷପ କେଦାର

ଚଉପାଶେ ଘନବନ

ପ୍ରସାରିତ କିବା ସେ ବନଲକ୍ଷ୍ମୀଙ୍କ

ନିମନ୍ତେ କନକାସନ !

ବେଢିଛି କେଉଁଠି ନିବିଡେ ବଲ୍ଲରୀ

ତମାଳ ତରୁର କାୟେ

ଦିଶୁଅଛି ସେହି ଲତାର କୁସୁମ

ମୁକୁତା ମୁକୁଟ ପ୍ରାୟେ ।

ପ୍ରେୟସୀର ଗଣ୍ଡେ ବିଦାୟ ଚୁମ୍ବନ

ପ୍ରାୟ ନବ ପ୍ରଣୟୀର

ଚୁମ୍ବେ ଅସ୍ତୋନ୍ମୁଖ ତପନ-କିରଣ

କୁସୁମିତା ଲତା ଶିର ।

କୁସୁମ ଭୂଷଣେ ଭୂଷିତ ପଳାଶ

ଦୂରରୁ ମୋହୁଛି ମତି

ଟେକିଛି ସେ କିବା ବନଲକ୍ଷ୍ମୀଙ୍କର

ଶିରେ ନାଲି ପାଟଛତି ।

ଠାବେ ଠାବେ କେତେ ନକ୍ଷତ୍ର ପରାଏ

ଫୁଟିଛି ବନମଲ୍ଲିକା

ତୋଳି ନେଇ ତହୁଁ ଖୋଷନ୍ତି ଖୋଷାରେ

ଶବରୀ ଫୁଲରସକା ।

ଏହିମତେ ଦେଖି ଦେଖି ବନ ଶୋଭା

ହେଉଥିଲୁ ଅଗ୍ରସର

ମଧୁଋତୁ ଯାଇ ନିଦାସ ରାଜତ

କଲା କ୍ରମେ ଧରା ପର ।

ଏତେ ଦିନ ଗଲା ମୋତେ ନ ଲାଗିଲା

ମାତ୍ର ଦିବସକ ପରି

ତୁଷ୍ଣା ବଢ଼ୁଥାଏ ଆକଣ୍ଠ ସେ ଶୋଭା

ନୟନରେ ପାନ କରି ।

ନିତି ସେ ଶୋଭାରେ ଭରି ଉଠୁଥାଏ

ବାଳକ ହୃଦୟ ମୋର

ଛାଡି ଯିବା ଲାଗି ଇଚ୍ଛିଲେ ଜନମେ

ମାନସେ ଉତ୍କଣ୍ଠା ଘୋର ।

ମୋ କ୍ଷୁଦ୍ର ବୁଦ୍ଧିରେ ଭାଳିବସେ ମୁହିଁ

ମୋ ଆସିଥିବାର ଜାଣି

ଚଉଦିଗେ ସିନା ଏ ଶୋଭା ସଜାଇ

ରଖିଛି ପ୍ରକୃତିରାଣୀ ।

ନୋହିଲେ କି ଆଉ ସବୁ ଦିନେ ବସି

ଥାଏ ଏ ସୁଷମା-ହାଟ ।

ନିତି ଏକ ଶୋଭା ଅକ୍ଷୁଣ୍ଣ ରଖିବ

କା ଶକ୍ତି ଏଡେ ବିରାଟ ?

ଦେଖିଛି ଉଦ୍ୟାନେ ଫୁଟଇ ଏକ୍ଷଣି

ଯେଉଁ କୁସୁମରତନ

ମୁହୂର୍ତ୍ତକ ଅନ୍ତେ ଘଟିଯାଏ ପୁଣି

ତାଠାରେ ପରିବର୍ତ୍ତନ ।

ମାତ୍ର ରହିଅଛି ଆନନ୍ଦ ଅଲକ୍ଷ୍ୟେ

ଏ ଦୃଶ୍ୟ ପରିବର୍ତ୍ତନେ

ନ ହେଲେ ଏକଇ ଦୃଶ୍ୟ ଦେଖି ନିତି

ଳିଟା ଧରନ୍ତାଣି ମନେ ।

ବିବର୍ତ୍ତନ ମଧ୍ୟେ ଜାଗି ଉଠୁଅଛି

ମହିମା ଚିରନ୍ତନର

ଯହିଁରେ ହରାଇ ଦେଇ ବସେ ସତ୍ତା

ସୌନ୍ଦର୍ଯ୍ୟ-ପିପାସୁ ନର ।

ବିଭୁଙ୍କ ଅସ୍ତିତ୍ୱ ପ୍ରକଟାଏ ଏଥେଁ

ଅଦୃଶ୍ୟ କର କୌଶଳ

ଏଥିଲାଗି ସ୍ୱତଃ ନତ ହୋଇ ମଥା

ଭାଜେ ଦାମ୍ଭିକର ବଳ ।

ଭାଳି ଏହା ଦେଖି ଦେଖି ଯାଉଁ ଯାଉଁ

ସେହି ବନଶୋଭାମାନ

ଏହା ମଧ୍ୟେ କଲା ଋତୁରାଟ ମଧୁ

ମହୀରୁ ବେଗେ ପ୍ରସ୍ଥାନ ।

ଅତି ସୁଖେ ସର୍ବେ ନିଦାଘ ଯାପିଲୁଁ

ଏକ ମନୋହର ବନେ

ଆଦ୍ୟରେ ଆମ୍ଭକୁ ଦେଖି ଭୟ କଲେ

ସେ ବନର ଜୀବଗଣେ ।

କହିଛି ମୋ ଦେଶ ଜନେ ଦୟାବନ୍ତ

ନ ଜାଣନ୍ତି କଟୁ ଭାଷା

ନ ମାରନ୍ତି ବନୁଁ ଗୋଟିଏ ଶ୍ୱାପଦ

ହୃଦୟେ ବହି ଜୀଘାଂସା ।

କାହାରି ଉପରେ ହିଂସା ନ ରଖନ୍ତି

ନ ରହି ବାଦ ବିବାଦେ

ଦୟା କ୍ଷମା ସ୍ନେହ ମୈତ୍ରୀକି ଆଚରି

ଚଳୁଥାନ୍ତି ନିର୍ବିବାଦେ ।

ଯହୁଁ ସେ ଲାଗିଲେ ଆପଣା କରମେ

ନ ଦେଖାଇ ତାଙ୍କୁ ଭୟ

ତେଣୁ ସେ ବନରେ ପଶୁ ପକ୍ଷୀ ସର୍ବେ

ରହିଲେ ହୋଇ ନିର୍ଭୟ ।

ମହକାଇ ଦେଲା ବନ ଚଉଦିଗ

ମଧୁଦ୍ରୂମେ ଫୁଟି ଫୁଲ

ସେ ଗନ୍ଧେ ଆକୃଷ୍ଟ ହୋଇଣ ଧାଇଁଲେ

ମଧୁଲୁବ୍‌ଧ ଅଳିକୁଳ ।

ବାସର-ଯୌବନେ ତରୁତଳେ ମୁହିଁ

ବସି ହୋଇ ହର୍ଷଚିତ୍ତ

ଶୁଣଇ ନିବିଷ୍ଟେ ବିହଙ୍ଗ-କାକଳୀ

ଦୂର ମୁରଲୀ ସଙ୍ଗୀତ ।

ଅପୂର୍ବ କୀର୍ତ୍ତନ କରନ୍ତି ପକ୍ଷୀଏ

ସ୍ୱରଗ ସୁଧାକୁ ଜିଣି

କାଠହଣା ତହିଁ ବଜାଏ ମୃଦଙ୍ଗ

ଗୁଣ୍ଡିଚି ବଜାଏ ଗିନି ।

ଉଷାର ଓଢ଼ଣା ଫେଡ଼ଇ ସେ ବନେ

କଜଳପାତିର ଗାନ

ମଧୁର ମଳୟ ବହି ସେତେବେଳେ

ପୁଲକିତ କରେ ପ୍ରାଣ ।

ଏମନ୍ତ ଆନନ୍ଦେ ନିଦାଘ ସମୟ

କଟିଗଲା ତର ତର

ନିଦାଘ ଦାରୁଣ ନଗରବାସୀଙ୍କି

ବନେ ଅତି ମନୋହର ।

ପ୍ରବେଶ ହୋଇଲା ଏ ବରଷା, ନଭେ

ଉଇଁଲା ନୀଳ ନୀରଦ

ବକାଳୀ ତା ଗଳେ ବିନାସୂତ୍ରେ ଗୁନ୍ଥା

ମଲ୍ଲିକା ପ୍ରାୟେ ବିଶଦ ।

ବିଜୁଳୀ ପ୍ରଭାରେ ଆଲୋକିଲା ଦିଶା

ଗର୍ଜିଲା ବଜ୍ର ଅମ୍ବରେ

କିବା ଦେବତାଙ୍କ ଯୁଦ୍ଧଯାତ୍ରା ବାଦ୍ୟ

ନାଦ ହେଲା ସ୍ୱରଗରେ ।

ଏହା ଦେଖି ହୋଇ ଆନନ୍ଦେ ଉନ୍ମତ୍ତ

ସେ ବନେ ଅମାପ କେକୀ

ଜୀମୂତ ଗର୍ଜନ ତାଳେ ପଦ ଯୋଖି

ନାଚିଲେ ଚନ୍ଦ୍ରିକା ଟେକି ।

ଇନ୍ଦୁଗୋପ କୀଟ ନାଲିପାଟ ପିତ

ଚାଲିଲେ ଧରା ଉପରେ

ମୂଷଳ ଧାରରେ ବାରିଧାରା ମେଘ

ଢାଳିଦେଲା ଅକାତରେ ।

ପୂରିଗଲା ଜଳେ ଯହିଁ ଥିଲା ଯେଉଁ

ଖାଲ ବିଲ ନଦୀ ସର

ବନଲକ୍ଷ୍ମୀଙ୍କର ଦରପଣ ପରି

ଦିଶିଲା ସେ ଶୋଭାକର ।

ଶ୍ୟାମଳ ସମ୍ପଦ ପ୍ରକୃତି ଭଣ୍ଡାର

ଚଉଦିଗେ ଗଲା ପୂରି

ଯହିଁ ପଡ଼େ ନେତ୍ର ଦେଖଇ ପଡୁଛି

ହରିତ ଶୋଭା ଉତୁରି ।

ନଭ ନୀଳିମାକୁ ଧରିଲେ ଭୂଧରେ

ସୌନ୍ଦର୍ଯ୍ୟ ହୋଇ ଉତ୍‌ଫୁଲ୍ଲ

ଯଉବନ ଭାରେ ତଟିନୀଏ ବିଚା-

ରିଲେ ଲଙ୍ଘିବାକୁ କୂଳ ।

ଏହିକାଳେ ପିତା ମାତା ବଳାଇଲେ

ସଲିଳ ବିହାରେ ମନ

ଜଳଯାନେ ବସି ଏକ ତଟିନୀରେ

ବିହରିଲୁ ତିନିଜଣ ।

ସେତେବେଳେ ଯେଉଁ ଅବ୍ୟକ୍ତ ମଧୁର

ଭାବେ ପୂରିଥିଲା ମନ

କିଏ ଭାବିଥିଲା ଘଟିବ ତହିଁରୁ

ଉପସ୍ଥିତ ଅଘଟନ ?

ଅନୁକୂଳ ସ୍ରୋତେ ତରାଇ ଆମ୍ଭର

ତରୀ ନେଉଥାଏ ବାହି

ନାଚି ଉଠୁଥାଏ ହୃଦୟ ମୋହର

ସେ ଦୃଶ୍ୟ ଶୋଭାକୁ ଚାହିଁ ।

ପରାଜିତ କରି ନୀଳିମାରେ ଚାରୁ

ଶାରଦ ନଭ-ବିତାନେ

କ୍ଷେତ୍ର ଏକ ପ୍ରାନ୍ତେ ତୋଳିଥାନ୍ତି ଶିର

ବହୁ ଦୂରେ ଗିରିମାନେ ।

ଶସ୍ୟ ଭଣ୍ଡାରର ପ୍ରାଚୀର ପରାଏ

ଦୂରୁଁ ଦିଶେ ନଗଶ୍ରେଣୀ

ବହିଆସେ ସୁଲୁ ସୁଲିଆ ସମୀର

ପୁଷ୍ପସରିମଳ ଘେନି ।

ଅନିଳ ପରଶେ ଢ଼େଉ ଖେଳୁଥାଏ

ତରୁଣ ହରିତ ଶସ୍ୟେ

ସେ ଦୃଶ୍ୟ ସୁଷମା ଦର୍ଶକ ମାନସ

ଟାଣିନିଏ ନିଜ ବଶେ ।

ତରଙ୍ଗ ଠାଣିରେ ଦେଖାଏ ତାହାର

ଉଜ୍ଜ୍ୱଳ ଶୋଭା ପବନ

ଅବନୀରାଣୀ କି ପିନ୍ଧିଅଛି ଅବା

ସବୁଜ ପଟ୍ଟ ବସନ !

ବହି ଯାଉଅଛି ମଧ୍ୟେ କଲ୍ଲୋଳିନୀ

ଭାଙ୍ଗି କ୍ଷୁଦ୍ର ବୀଚିଦଳ

ଜନନୀ ପରାୟେ ବକ୍ଷେ ଧରି କିବା

ପବିତ୍ର ପୟଃ ଶୀତଳ ।

ପିଇବାକୁ ତାହା ବେନି ପାଶେ ଉଭା

ତା ଶସ୍ୟସନ୍ତାନକୁଳ

ନିଜ ତନୁ ପୁଷ୍ଟ କରିବା ନିମନ୍ତେ

ତୃଷ୍ଣାରେ ହେଲେ ଆକୁଳ ।

କଣ୍ଟକ-ବେଷ୍ଟିତ ପର୍ଣ୍ଣ କରବାଳ

ପ୍ରସାରି ଅସଙ୍ଖ୍ୟ କିଆ

ପ୍ରହରୀ ପରାଏ ବେନି ତୀରେ ତାର

ହୋଇଛନ୍ତି ଦମ୍ଭେ ଠିଆ ।

କ୍ଷେତ୍ରସମୂହକୁ ଦ୍ୱିଖଣ୍ଡିତ କରି

ବିସ୍ତାରିତ ଶୀର୍ଣ୍ଣ ପଥ

ପ୍ରତୀତ ସେ କିବା କେଦାର-ବଧୁର

ମସ୍ତକେ ଚାରୁ ସୀମନ୍ତ !

ଅଥବା ଅସାର ଲକ୍ଷ୍ମୀଙ୍କ ଶ୍ୟାମଳ

ଅଞ୍ଚଳ ସମ୍ପ୍ରସାରିତ

ତନ୍ମଧ୍ୟେ ହୋଇଛି ବିଶୁଦ୍ଧ ଜରୀର

ବିଶଦ ରେଖା ଅଙ୍କିତ ।

ଅନ୍ୟ ପ୍ରାନ୍ତେ ବନ- ବାସୀଙ୍କ ମୃଣ୍ମୟ

କୁଟୀରପନ୍ତି ଶୋଭିତ

ଶ୍ୟାମଳ ତମାଳ ଶାଳ ତାଳଦଳେ

ତନୁ କରି ଆଚ୍ଛାଦିତ ।

ତଥି ମଧ୍ୟ କାହିଁ କଦମ୍ବ ପାଦପ

ମଣ୍ଡିତ ହୋଇ କୋରକେ

ଚନ୍ଦ୍ରାତପ ଟାଣି ଦେଇଛି ସାଦରେ

ଶବରପଲ୍ଲୀ ମସ୍ତକେ ।

ତରଣୀ ଚାଳିତ ହେତୁ ନଦୀଜଳେ

ଉଠି କେତେ କ୍ଷୁଦ୍ର ଊର୍ମ୍ମି

ଲୀନ ହେଉଥାନ୍ତି ଆସି ତରୀ ପାଶେ

ଥରେ ସେ ତରୀକି ଚୁମି ।

ତାଙ୍କରି ପରାଏ ଉଠି ମୋ ହୃଦୟୁ

ଅସୀମ ଭାବଲହରୀ

ଗୋଟି ଗୋଟି ହୋଇ କ୍ରମେ ଲୀନ ହୋଇ

ଯାଆନ୍ତି ହୃଦେ ମୋହରି ।

ମନ ହୁଏ ଏହି ତଟିନୀ ବକ୍ଷରେ

କରିଥିବ ସଦା ଘର

ଗାଉଥିବି ମୋର ହୃଦୟର ଗୀତ

ତା ସଙ୍ଗେ ମିଶାଇ ସ୍ୱର ।

ନିଶ୍ଚେ ହସୁଥିଲା ଦଇବ ଅଲକ୍ଷ୍ୟେ

ବୁଝି ମୋ ମନବାରତା

ନୋହିଲେ କେମନ୍ତେ ଏଥି ଆସି ମୁହିଁ

କହୁଥାନ୍ତି ଗତ କଥା ?

ତାହାପରେ କିସ ଘଟିଲା ସୁନ୍ଦରୀ

ଶୁଣ ଏବେ ଦେଇ ମନ

କି ଘଟନା ମତେ ଟାଣିଲା ଏଠାକୁ

ଲଭିଲି ତବ ଦର୍ଶନ ।

ଏହିମତେ ଅତି- ବାହିତ ହୋଇଲା

କେତେ ଦିନ ତହିଁ ସୁଖେ

ଝଡ଼ ଦେଖି ତରୀ ବାହିଲା ନାବିକ

ସଞ୍ଜେ ତମ୍ବ ଅଭିମୁଖେ ।

ବାରୁଣୀ ଗଗନ ଅଙ୍ଗନେ ପ୍ରସାରି

ଲୋହିତ ମେଘ-ଚାଦର

ନଗ ଅନ୍ତରାଳେ ଲୁଚି ଯାଉଥିଲେ

ଅସ୍ତଗାମୀ ଦିନକର ।

ନିପତିତ ହୋଇ ନଦୀଜଳେ ସେହି

କନକ କିରଣ ଛଟା

ଦେଖାଉଣା ଥିଲା ଜଳମୟ କିବା

ତରଳ ସ୍ୱର୍ଣ୍ଣର ଘଟା ।

ରଜନୀ ଆଗମ ଦେଖି ଚକ୍ରବାକ

ଚକ୍ରବାକୀ ପାଶେ ଯାଇ

ଅଶ୍ରୁ ଭରି ନେତ୍ରେ ଘେନି ଆସୁଥିଲା

ବିଦାୟ ରାତ୍ରିକ ପାଇଁ ।

ବକ ଦଳେ ଦଳେ ଆହାରରୁ ଅଧେ

ପ୍ରିୟା ଲାଗି ଘେନି ମୁଖେ

ନଦୀ ବେନୀ ତଟୁ ଉଡ଼ି ଯାଉଥିଲେ

ନିଜ ନୀଡ଼ ଅଭିମୁଖେ ।

କାଆ କାଆ ରବେ ସମ୍ଭାଷଣ କରି

ନିଶାକୁ ବାୟସକୁଳ

ଦିବା ଅବସାନ ଦେଖିଣ ବସାକୁ

କରୁଥିଲେ ଅନୁକୂଳ ।

ତୀର ତରୁଗଣ ସାନ୍ଧ୍ୟ ସମୀରଣ

ଆଘାତେ ମନ୍ଦେ ଦୋହଲି

ବନ୍ଦାପନା ସାରୁ- ଥିଲେ ତଟିନୀର

ସମର୍ପି କୁସୁମାଞ୍ଜଳି ।

ଏକାଳେ ପୂରବ ଗଗନ କୋଳରୁ

ଉଇଁ ଖଣ୍ଡେ କଳା ମେଘ

କ୍ରମେ ନିଜ ତନୁ ବିସ୍ତାରି ଆକାଶେ

ଗ୍ରାସ କଲା ବେଗ ବେଗ ।

ଦ୍ୱିତୀୟାର କ୍ଷୀଣ ଶଶୀ ଗଲା ଲୁଚି

ଗାଢ଼ କୃଷ୍ଣ ଜୀମୂତରେ

ଏହିପରି ସିନା ପୁଣ୍ୟ ରେଖା ଲୀନ

ହୁଏ ପାପ କବଳରେ ।

ପେଚକ ଦେଖିଲା ଅନ୍ଧକାର ମାଡି

ଗଲାଣି ଧରଣୀ ଯାକ

ପତ୍ର ଗହଳରୁ ଆବେଗେ ପ୍ରେୟସୀ

ନାମ ଧରି ଦେଲା ଡାକ ।

ତୀର ବେଗେ ନଦୀ ବକ୍ଷେ ଗାର କାଟି

ତରୀ ଯାଉଥିଲା ଚାଲି

ତାରୀଟିଏ ତୀର ତରୁ ଅନ୍ତରାଳୁଁ

ଖେଳୁଥିଲା ଲୁଚୁକାଳୀ ।

ନଭ କୋଣେ ଥାଇ ଦେଖୁଥିଲି ତାହା

ଏକମନେ ମୁହିଁ ବସି

ହଲିଗଲା ତରୀ ଦାଢ଼େ ବସିଥିଲି

ଜଳେ ମୁଁ ପଡିଲି ଖସି ।

ପିତାମାତାଙ୍କର ହାହାକାର ଥରେ

କର୍ଣ୍ଣେ ପଶିଗଲା ଆସି

ନ ଜାଣଇଁ କେଉଁ ଦିଗେ ମୁଁ କେମନ୍ତେ

ଆସିଲି ଏଠାକୁ ଭାସ ।

ଯେଉଁ କଥା ଲାଗି ଦେଶ ଛାଡ଼ି ମାତା

ସଙ୍ଗେ ଆସିଥିଲେ ଧାଇଁ

ସେହି କଥା ପୁଣି ଅନାୟତ୍ତ ଭାବେ

ଦଇବ ଦେଲା ଘଟାଇ ।

ଯେତେବେଳେ ଜ୍ଞାନ ଲଭିଲି ଦେଖିଲି

ବସି ତୁମେ ମୋ ଶିୟରେ

ଜନନୀରୁ ବଳି ସେବା କରୁଅଛ

ସ୍ନେହପୂର୍ଣ୍ଣ ସତର୍କରେ ।

ଭାବିଲି ମୋ ପ୍ରତି କେଉଁ ଦେବୀ ରହି

କରୁଣା ଆସି ଏ ସ୍ଥାନେ

ବଞ୍ଚାଇଲେ ମୃତ ତନୁକୁ ଆଦରେ

ପୁଣି ନବଜୀବ ଦାନେ ।

ମାତ୍ର ଦେଖୁଅଛି ତାହା ପରିଣତ

ନ ହୋଇବ ପରା ସତ୍ୟେ

ତ୍ରିଦିବ ଅମରୀ ଜନପୂର୍ଣ୍ଣ ଗୃହେ

ନୁହଇ ସୁଲଭ ମର୍ତ୍ତ୍ୟେ ।

ଏ ରୂପମାଧୁରୀ ଗୁଣରାଶି ମନେ

ଦ୍ୱନ୍ଦ୍ୱ ଲଗାଉଛି ପୁଣି

କପଟ ନ କରି ଦିଅ ପରିଚୟ

ଏତିକି ମୋର ମାଗୁଣି ।

ନାରୀ ବା ପୁରୁଷ ଦୁଇଜଣଙ୍କର

ହୋଇଥିବ ସମରୁଚି

ସମଗୁଣ ସମ- ବୟସ୍କ ତହିଁକି

ମନକଥା ରହେ ଲୁଚି ?

ଉତ୍ତରିଲା ବାଳା ବୀଣାଜିଣା ସ୍ୱରେ

‘‘ଲୁଚାଇବି କିଆଁ କହ

ପିତାମାତା ଦେଶ- ରୀତି ଆପଣାର

ଦେଲା ସବୁ ପରିଚୟ ।’’

ବଖାଣିଲା ତହିଁ ଯେତେକ ତାହାର

ଅଙ୍ଗେ ନିଭାଇଲା ଦୁଃଖ

ସେ ଦେଶ ପ୍ରଥାରେ କେମନ୍ତେ ସର୍ବଦା

ହୃଦୟ ତାର ବିମୁଖ ।

କହିଲା କିଶୋର ‘‘ଶୁଣ ଗୋ ସୁନ୍ଦରି !

ତାଟକା ହେଲି ମୁଁ ଶୁଣି

ହେଲେ ବିଧି ଇଚ୍ଛା କିସ ଅଘଟନ

ନ ଘଟାଏ ସେହୁ ପୁଣି !

ଶୋଭାରେ ଅତୁଳ ପଙ୍କଜକୁ ଜାତ

କରାଏ ପଙ୍କରୁ ସେହି

ଏତେ ତରୁ ଥାଉଁ କଣ୍ଟକ ବୃକ୍ଷରେ

ଗୋଲାପ ଫୁଟାଏ ନେଇ ।

ବିଧାତା ଇଚ୍ଛାରେ ମନୋହର ଶିଖୀ

ନିବସଇ ଘୋର ବନେ

କୁରୂପ ବାୟସ ଶ୍ରୂତିକଟୁ ରାବେ

ମୁଖର କରେ ଅଙ୍ଗନେ ।

ଏ ନିଷ୍ଠୁର ଦେଶେ ଜାତ କରାଇଛି

ଅମୂଲ୍ୟ ରମଣୀମଣି

ବହିବାକୁ ହୃଦେ ତୁଷାଗ୍ନି ପରାଏ

ସଦା ବେଦନାର ଖଣି ।

କେମନ୍ତେ ଗୋ ବାଳ ! ଏ ଯନ୍ତ୍ରଣା ସହି

ଦେହେ ମନେ ନିରନ୍ତରେ

କଟାଉଛ କାଳ ସଙ୍ଗିହୀନ ଭାବେ

ଏଦି ନିଷ୍ଠୁର ବେଶରେ ?’’

ଭାଷିଲା କିଶୋରୀ ‘‘ତୁମେ ସିନା ବନ୍ଧୁ !

ଆସି ଏ ଦେଶେ ଏକାକୀ

ଶୁଣି ମୋର ଦୁଃଖ ସମବେଦନାର

ଜଳେ ପୂରାଇଲ ଆଖି ।

କହନ୍ତି କା ଆଗେ ଇଚ୍ଛିବ କିଏସେ

ମୋ ଦୁଃଖ ଶୁଣିବା ପାଇଁ ?

ଦୁଃଖୀ କଥା ମିନା ହୃଦେ ଜାତ ହୋଇ

ହୃଦୟେ ଯାଏ ମିଳାଇ !

ସୁଖୀ ଲାଗି ସଖା ଅଛନ୍ତି ବହୁତ

ଦୁଃଖୀ ପାଇଁ ସଖା ଜଣେ

ଖୋଜିଲେ କେବେହେଁ      ନ ମିଳିବ ବନ୍ଧୁ !

ଏ ସ୍ୱାର୍ଥପର ଭୁବନେ ।

ଦୁଃଖୀ ସିନା ବୁଝେ ଦୁଃଖୀର ବେଦନା

ଆବର ବୁଝିବ କିଏ

ଦରିଦ୍ରର ବ୍ୟଥା ନୃପତିନନ୍ଦନ

ଅନୁଭବେ କି ଟିକିଏ ?

ଜନମ ଲଭିଛି ଏଥି ଦୁଃଖେ ପଡି

ଭଲମନ୍ଦ ନ ବିଚାରି

ଯିବା ଅବା କାହିଁ ଚଳେ କଷ୍ଟେ ତେଣୁ

ମନକଥା ମନେ ମାରି ।

କୃପା ଥିଲେ ବନ୍ଧୁ ! ମୋର ତୁଲେ ଏଥି

କଟାଅ କିଛି ଦିବସ

ଯିବି ସଙ୍ଗେ ତବ ଦେଶ ଦେଖିବାକୁ

ବଳୁଛି ମୋର ମାନସ ।’’

କ୍ଷମା ଅନୁରୋଧେ ହେଲା ସନମତ

ହରଷରେ ଦୟାନିଧି

ଏଣେ ପିତାମାତା କାନ୍ଦିଲେ ବିକଳେ

ହରାଇ ନୟନ ନିଧି ।

(୫)

ଥିଲା ଏକାକିନୀ କ୍ଷମା, ଦୟାନିଧି

ସାଥୀ ହେଲା ଏବେ ତାର

ବ୍ରତୀ ହେଲେ ଦୁହେ କରିବା ନିମନ୍ତେ

ସେ ଦେଶ ରୁଚି ସଂସ୍କାର ।

ନିତି ଯାଇ ଦୁହେଁ ବୁଝାନ୍ତି ଜନଙ୍କୁ

‘‘ଛାଡ଼ ଏ ମନ୍ଦ ପଣକୁ

ବୃଥା ହିଂସା କରି କି ସୁଖ ଲଭୁଛ

ଆଚର ଭଲ ଗୁଣକୁ ।

ଆନ ଦେଶ ଲୋକେ ନିର୍ବିବାଦେ ରହି

କାଟୁଛନ୍ତି ସୁଖେ କାଳ

ତୁମେ କିଆଁ କରି ନିଷ୍ଠୁରାଚରଣ

ବଢାଅ ଦୁଃଖ ଜଞ୍ଜାଳ ?’’

ଆଜନ୍ମ ତେମନ୍ତ ସେ ଦେଶର ଲୋକେ

ସେ କିଆଁ ବୁଝିବେ ଭଲ

ଆପଣା ଗୁଣକୁ ଗଣ୍ଠିଧନ କରି

ଭଲକୁ ମଣିଲେ ଶଲ ।

ସେହିକ୍ଷଣି ଥୋକେ ନିଷ୍ଠୁର ନୃପଙ୍କ

ସନ୍ନିଧାନେ ବେଗେ ଯାଇ

ଜଣ ଜଣ ହୋଇ କ୍ଷମା ଗୁଣଯାକ

କହିଲେ ସବୁ ବୁଝାଇ ।

ଆଗରୁ ତ ଜାତ- କ୍ରୋଧ ହୋଇଥିଲେ

କ୍ଷମା ପ୍ରତି ନରବର

ସେ କ୍ରୋଧ-ଅନଳେ ଇନ୍ଧନ ଯୋଗାଇ-

ଦେଲା ବାକ୍ୟ ଲୋକଙ୍କର ।

ଦୟାନିଧି ନାମ- ପବନେ ଅନଳ

ଜଳିଲା ଉଚ୍ଚେ ବହନ

ତହିଁରେ କ୍ଷମାର ସଉଭାଗ୍ୟରାଶି

ବେଗେ ହୋଇଲା ଦହନ ।

ଡକାଇ କ୍ଷମାକୁ ପାଶେ ନରମଣି

ବୋଇଲେ ଅତି ଉଚ୍ଚରେ

‘‘ବିଦେଶୀ ଆଚର ବରଜିବା ପାଇଁ

କହିଥିଲି ପରା ଥରେ ।

ସେ ଦିନ କଥାକୁ ନ ଶୁଣିଲୁ ମୋର

ଥରେ ଡେରି ଦୁଇ କାନ ।

ଏବେ ପୁଣି କେଉଁ ବିଦେଶୀକି ଆଣି

ଦେଇଛୁ ମୋ ଗୃହେ ସ୍ଥାନ ?

ରହ ରହ ଆଉ ଘଡିକ ମଧ୍ୟରେ

ବୁଝୁଛି ମୁଁ ତୋର କଥା

ଏତେବେଳେ ଆସି ଦେଖିବି କିଏସେ

ରଖିବ ତୋହର ମଥା ।’’

ଖର ରୌଦ୍ରତାପେ ପ୍ରଫୁଲ୍ଲ ଗୋଲାପ

ଯେସନେ ପଡ଼େ ଝାଉଁଳି ।

ଏ କଠୋର ବାକ୍ୟେ ତେସନେ ବାଳାର

ଶ୍ରୀମୁଖ ଗଲା ମଉଳି ।

ବିଚାରିଲା ‘‘ହିତେ ହେଲା ବିପରୀତ

ପିତା ବି ବୁଝିଲେ ତାହା

ବଞ୍ଚାଇ ବନ୍ଧୁକୁ ସହିବି ମୁଁ ସବୁ

ଥିବ ମୋର ଭାଲେ ଯାହା ।

ପିତାଙ୍କ ଆଦେଶେ ସୌନ୍ଦର୍ଯ୍ୟ-ପ୍ରତିମା

କୋମଳ-କୃଷ୍ଣକୁମାରୀ

ଅମ୍ଳାନ ବଦନେ ପ୍ରାଣହାରୀ ବିଷ

ପାନ କଲେ ସୁକୁମାରୀ ।

ପିତୃ ଆଦେଶରେ ଗାନ୍ଧାର ବାଳିକା

ପବିତ୍ରା ଗାନ୍ଧାରୀ ସତୀ

ଜଳାଞ୍ଜଳି ଦେଇ ଆତ୍ମସୁଖେ ଧୀରେ

ବରିଥିଲେ ଅନ୍ଧ ପତି ।

ପିତୃଆଜ୍ଞା ପାଳି ଶର୍ମିଷ୍ଠା ସୁନ୍ଦରୀ

ଦେଶର ମଙ୍ଗଳ ପାଇଁ

ଶୂକ୍ରାଚାର୍ଯ୍ୟ-କନ୍ୟା ଦେବଯାନୀଙ୍କର

ଦାସୀ ହୋଇଥିଲେ ଯାଇ ।

ଏହିପରି କେତେ ଘଟନା ତ ନିତି

ଘଟୁଅଛି ଏ ଜଗତେ

ମୁଁ କିଆଁ ହୋଇବି କାତର ଏଥିକି

ଭାଳି ଏହା ହୃଦଗତେ ।

ନୀରବରେ କ୍ଷମା ଦଣ୍ଡକୁ ପ୍ରସ୍ତୁତ

ହୋଇ ହୃଦୟେ ଝଟତି

ଧାଇଁ ଯାଇ ଦୟା- ନିଧିକି ସତ୍ୱରେ

କହିଲା କରି ମିନତି

‘ରଖ ବନ୍ଧୁ ମୋର ଅନୁରୋଧ ଶୀଘ୍ର

ଯାଅ ଏଥୁଁ ଏହି ବେଶେ

ପଚାରି ପଚାରି ପଥ ପରବେଶ

ହୁଅ ଯାଇ ନିଜ ଦେଶେ ।

ଆକୁଳରେ ଥିବେ ତବ ପିତା ମାତା

ଦେଖିଲେ ତବ ବଦନ

ଚିନ୍ତା ଯାଇ ତାଙ୍କ ଜୀବନତ୍ୱ ତ ଦେହେ

ପଶିବୁ ନବଜୀବନ ।

ଏତିକି ମିନତି ଯାଅ ଶୀଘ୍ର ଏଥୁଁ

ସ୍ନେହ ଯେବେ ଅଛି ମନେ

ମନେ ରଖିଥିବ ତବ କଥା କ୍ଷମା

ଭୁଲିବ ନାହିଁ ଜୀବନେ ।’’

ଦୃଢ଼ ମନେ ଦେଇ ବନ୍ଧୁକୁ ବିଦାୟ

ବାହୁଡ଼ିଲା କ୍ଷମା ଘରେ

ଏକାଳେ ତା ପାଶେ ପ୍ରବେଶିଲା ରାଜ-

ଆଦେଶେ ରାଜକିଙ୍କରେ ।

ରାଜଅନୁଜ୍ଞାରେ କ୍ଷମା ହସ୍ତ ପଦ

ଦୃଢ଼େ ବାନ୍ଧି ଅନୁଚରେ

ବହି ନେଇ ତାକୁ ଫିଙ୍ଗି ଦେଲେ ବେଗେ

ଗଭୀର ନଦୀସ୍ରୋତରେ

ତୃଣପ୍ରାୟେ କ୍ଷମା ସ୍ରୋତ ଅନୁକୂଳେ

ଯାଉଥାଏ ଭାସି ଭାସି

ବହୁଥାଏ ତାର ବେନି ଗଣ୍ଡ ଦେଇ

ଅବିଚ୍ଛନ୍ନ ଅଶ୍ରୁରାଶି ।

ଦୁଃଖିନେତ୍ରପତ୍ର- ଅନ୍ତରାଳେ ଅଶ୍ରୁ

ଥାଏ ସିନା ନିରନ୍ତରେ

ଅଳ୍ପ ଦୁଃଖେ ସୁଦ୍ଧା ଉତ୍ତରଳ ହୋଇ

ଝରି ପଡ଼େ ଝର ଝରେ ।

କାନ୍ଦିବାକୁ ପରା ଥିଲୁ ତୁ ଜନମି

କାନ୍ଦ କାନ୍ଦ ଅଭାଗିନୀ

କାନ୍ଦି କାନ୍ଦି ପାହୁ ତୋ ବିଷାଦମୟ-

ଜୀବନର ନିଶୀଥିନୀ ।

ଅତୃପ୍ତ ହୃଦୟେ କ୍ରନ୍ଦନେ କ୍ଷମାର

ଲିଭିଲା ଜୀବନ-ଦୀପ

କ୍ଷମି କ୍ଷମା ତାର ଅତ୍ୟାଚାରୀ ଜନେ

ଗଲା ବିଭୁଙ୍କୁ ସମୀପ ।

ମାତ୍ର ହୋଇଥିଲା କ୍ଷମା ହୃଦୁଁ ଯେଉଁ

ଦୀରଘ ଶ୍ୱାସ ଉନ୍ନତି

ଚାହିଁ ସେ ସେ ଦେଶେ ଘଟାଇଲା ବଡ଼

ଘଟନାଏ ଆଚମ୍ବିତ ।

କିଛି କାଳ ଅନ୍ତେ କ୍ଷମାର ଜନକ

ଲିଭିଲେ ବୃଦ୍ଧ ଅବସ୍ଥା

ଆରମ୍ଭିଲେ ତାଙ୍କ ପ୍ରତି ପ୍ରଜାମାନେ

ସେହିପରି ନିଷ୍ଠୁରତା ।

ବୃଦ୍ଧ ବୟସରେ ନ ଥିଲା ଶକତି

ହେଲା ତା ଅସହ୍ୟ ବୋଧ

ପୂର୍ବକୃତ କର୍ମ ସ୍ମୃତି ଆସି ମନେ

ଦୁଃଖ କଲା କଣ୍ଠରୋଧ ।

ସ୍ମରଣେ ଆସିଲା ଏଥିଲାଗି କ୍ଷମା

କରୁଥିଲ କେତେ ଯତ୍ନ

ମାତ୍ର ମୂଢ଼ପଣେ ବିସର୍ଜନ କଲେ

ତେମନ୍ତ ଦୁହିତାରତ୍ନ ।

କ୍ରମେ ଅନୁତାପ ଜାତ ହେଲା ମନେ

କ୍ଷମାକୁ ସଦା ସୁମରି

କ୍ଷମା ଗୁଣ ସବୁ ପ୍ରଜାଙ୍କୁ ଶିଖାଇ

ରହିଲେ ଆପେ ଆଚରି ।

କ୍ଷମା ପ୍ରଦର୍ଶିତ ପଥରେ ଚଳିଲେ

ସେ ଦେଶର ନରନାରୀ

ସେହି କାଳୁଁ ସର୍ବେ ପାଞ୍ଚି ଆପଣାକୁ

ରାଜକନ୍ୟା ହତ୍ୟାକାରୀ ।

ବିରାଜିଲା ପୂର୍ଣ୍ଣ ଶାନ୍ତି ତହିଁ ଦୁଃଖ-

ଅନ୍ଧକାର ଗଲା ଦୂରେ

ହିଂସୁକ ନିଷ୍ଠୁର ଅଧାର୍ମିକ କେହି

ରହିଲା ନାହିଁ ସେ ପୁରେ ।

ସ୍ଥାପିଲା ସେ ଦେଶେ       ସୁଖଲୋକ କ୍ଷମା

ନିଜ ପ୍ରାଣ ବିନିମୟେ

ଉଚ୍ଚ ଆଶା ପୋଷି ସେ ଦେଶବାସୀଏ

ରହିଲେ ତହିଁ ନିର୍ଭୟେ ।

ଏକମନ ହୋଇ ସେ ଦେଶ ପ୍ରଜାଏ

କ୍ଷମାର ଜନକ ତୁଲେ

କ୍ଷମାର ସ୍ମାରକ ସ୍ୱରୂପ ମନ୍ଦିର

ରଚିଲେ ସେ ନଦୀକୂଳେ ।

ନିର୍ମାଇ କ୍ଷମାର ସ୍ୱର୍ଣ୍ଣ ପ୍ରତିମୂର୍ତ୍ତି

ସେ ମନ୍ଦିର ଅଭ୍ୟନ୍ତରେ

ସ୍ଥାପିଣ ଯତନେ ପୂଜିଲେ ଭକ୍ତିରେ

ନିତି ପୁଷ୍ପ ଚନ୍ଦନରେ ।

ନିଶୀଥ ସମୟେ ନିତି ସେ ମନ୍ଦିରୁ

ଶୁଭଇ ଦଇବ ବାଣୀ

‘‘ତେଜ ଅହମିକା କ୍ଷମା, ଦୟା, ମୈତ୍ରୀ

ଆଚର ସଦା ହେ ପ୍ରାଣି !

•••

 

ସୁଖ ସନ୍ଧାନ

 

ଦୁର୍ଲ୍ଲଭ ମାନବ ଦେହ ବହି ବିଭୁବରେ

ଜନମି ଏ ଭବେ ଜ୍ଞାନ ଲିଭି ଯଥାକାଳେ

ଶୁଣିଲି ସୁଖର ନାମ ପ୍ରତି ମୁହୂର୍ତ୍ତରେ

ମାତ୍ର ନଦେଖିଲେ ମୁହିଁ ଜନ୍ମୁ ଏପର୍ଯ୍ୟନ୍ତ

କେମନ୍ତ ତାହାର ରୂପ କିସେ ଗଢ଼ା ସେହି

ବିତରକ କି ପଦାର୍ଥ ସେ ପ୍ରାଣୀମାନଙ୍କୁ,

ଲୋଡ଼ନ୍ତି ଯାହାକୁ ଏତେ ସକଳ ପରାଣୀ ।

ହେଲାଣି ତ ଆସି ମୋର ଜୀବନର ସନ୍ଧ୍ୟା

ମାତ୍ର ଏତେ ଦିନେ ଭେଟ ନପାଇଲି ତାର

ଯାଉଛି ଖୋଜିବି ଏବେ ଏ ତିନି ଭୁବନ

କେଉଁଠାରେ ଲୁଚିଛି ସେ ଦେଖିବି ତାହାକୁ

ଏତେ ଭାଳି ବାହାରିଲି ସୁଖ ସନ୍ଧାନରେ ।

ଖେଳୁଥିଲା ପଥେ ବସି ବାଳକ ଗୁଡ଼ିଏ

ଧୂଳିଖେଳ ନିରିମାଇ ଧୂଳି ଘରଦ୍ୱାର

ପୁଚ୍ଛିଲି ତାଙ୍କୁ ‘‘ଅଛି କି ସୁଖ ତୁମପାଶେ ?’’

ସେ ବୋଇଲେ ‘‘ଜାଣିନାହୁଁ ସୁଖ କିସ ଆମେ

ଜାଣିବାକୁ ତାହା ନାହିଁ ଆଗ୍ରହ ଆମର

ଜାଣିଥିଲେ ଜାଣିଥିବେ ଆମଠୁଁ ଯେ ବଡ଼’’

ଏତେ ବୋଲି ରତହେଲେ ପୁଣି ସେ କ୍ରୀଡ଼ାରେ

ତହୁଁ ଯାଇ କର୍ମେ ରତି ଯୁବକ ଦେଖିଣ

ପଚାରିଲି ‘‘ସୁଖ କହେ ଅଛି ତବ ପାଶେ ?’’

ସେ ବୋଇଲା ‘‘କାହିଁ ସୁଖ ? ନାହିଁ ମୋ ନିକଟେ

ଦେଖିନାହିଁ ଆଜିଯାଏ ଏକେବେ ମୁଁ ତାହାକୁ ।’’

ସେଠାରୁ ନିରାଶହୋଇ ଗଲି ମୁହିଁ ବେଗେ

ଦେଖିଲି ଦୁଇଟି ପୁତ୍ର ବସାଇ କୋଳରେ

ପୌଢ଼ ଏକ ବସିଛନ୍ତି ଗୃହର ଅଳିନ୍ଦେ,

ଜିଜ୍ଞାସିଲି ‘‘ପାଇଛ କି ସୁଖର ସନ୍ଧାନ ?’’

ସେ କହିଲେ ‘‘କାହିଁ ସୁଖ ? ଦିନରାତି ମୁଁ ତ

ଏମାନଙ୍କ ଜଞ୍ଜାଳରେ ଏହାଙ୍କ ଚିନ୍ତାରେ

କାଟୁଥାଏ କାଳ କେହ୍ନେ ରହିବେ ଏ ଦୁହେଁ

ସୁଖର ଆଶ୍ରୟେ, ମୋର ଲୋଡ଼ା ନାହିଁ ତାହା

ୟାଙ୍କ ଲାଗି କେବଳ ମୁଁ ଖୋଜୁଛି ତାହାକୁ’’

ଦେଖାଇ ବେନିପୁତ୍ରଙ୍କୁ ବୋଇଲେ ସେ ଏତେ ।

ତହୁଁ ଯାଇ ପ୍ରବେଶିଲା ଏକ ଧନୀ ଗୃହେ

ଛୁଟିଅଛି ତହିଁ ସଦା କର୍ମ୍ମର ପ୍ରବାହ

ଲାଗିଅଛି ବୁଝା ସୁଝା କାଗଜ ପତର-

ଦିଆ ନିଆ ଖିଆ ପିଆ ଆମୋଦ ପ୍ରୋମଦ,

ପଚାରିଲି ତହିଁ ମୁହିଁ ସମସ୍ତ ଜନଙ୍କୁ

‘‘ଅଛି କି ହେ ସୁଖ ଏଥି ? ଥିଲେ କହ ମୋତେ’’

ସେମାନେ କହିଲେ ‘‘ତୁମେ ଦେଖୁଛ ଆଖିରେ

ବୁଡ଼ିଅଛି ଆମେ ଏହି କରମ-ଜଳରେ

ଦେଖିବାକୁ ସୁଖ ମୁଖ ଅଛି କାହିଁ ବେଳ ?

ରହଇ କି ସୁଖ କେବେ ବିଷୟ ଜଞ୍ଜାଳେ ?’’

ଗଲି ତହୁଁ କିଛି ପଥ ଏକ ଅନ୍ତଃପୁରେ

ପହଞ୍ଚିଣ ନିରେଖିଲି, ଶିଶୁ ସନ୍ତାନକୁ

କୋଳେ ଧରି ଅତି ଯତ୍ନେ ଜନନୀ ତାହାର

ପରମ ଆଦରେ ତାର କୋମଳ ଆନନ

ଚୁମ୍ବୁଅଛି ବାରମ୍ବାର ସସ୍ନେହ ଅନ୍ତରେ ।

ଦେଖି ମୋତେ ପାଶେ ଉଭାପୁଛିଲା ସେ ମାତା

‘‘କି ଲାଗି ଆସିଛି ଏଥି ଅଛି କିବା କାମ ?’’

ମୁଁ ବୋଇଲି ‘‘ଦେଖିଛକି ସୁଖର ବଦନ ?

ଦେଖିଥିଲେ କହ କାହିଁ ଭେଟିବି ତାହାକୁ !’’

ସେ ଭାଷିଲା ‘‘ଦେଖିନାହିଁ ମୁଁ ତ ସୁଖ ରୂପ

ଅଦୃଶ୍ୟେ ଏ ପଥ ସେ’ ବା ଯାଉଥିଲା ଚାଲି

କିଞ୍ଚିତ ମାତର ତାର ଶ୍ରୀଅଙ୍ଗ ଅନିଳ

ବାଜିଥିବ ଏହି ଶିଶୁ ସରଳ ଶ୍ରୀମୁଖେ ।

ଦେଖିଲେ ତାହାକୁ ତେଣୁ ଲଭଇ ମୁଁ ତୃପ୍ତି

ତା ଲାଗି ଜୀବନ ଦାନେ ନୁହଇ କୁଣ୍ଠିତା;

ଏ ବ୍ୟତୀତ ସୁଖ କଥା ମୋତେ ଅଗୋଚର

ନିରନ୍ତର ଘାରେ ମୋତେ ଏ ଶିଶୁର ଚିନ୍ତା

ଅନ୍ୟ କଥା ଭାଳିବାକୁ ନ ପାଏ ମୁଁ ବେଳ ।’’

ମେଲାଣି ଘେନିଣ ତହୁଁ ଚଳିଲ ମୁଁ ବେଗେ

ପ୍ରବେଶିଲ ଯାଇ ଏକ ନୃପତି ନବରେ

ପୁଚ୍ଛିଲି ନୃପଙ୍କୁ ‘‘ଏଥି ଅଛଇ କି ସୁଖ !’’

ବନ୍ଧା ହୋଇ ତବ ଐଶ୍ଚର୍ଯ୍ୟ ରଡ଼ୋରେ ?’’

ସେବଇ ଲୋକାହିଁ ସୁଖ ନାହିଁତ ମୋ ପାଶେ

ଦେଖିନାହିଁ ଏ ପର୍ଯ୍ୟନ୍ତ ତା ବଦନ ମୁହିଁ,

ରାଜା ପାଶେ ସୁଖ ଥାଏ ଭାଳନ୍ତି ସକଳେ

ମାତ୍ର ତାହା ତାହାଙ୍କର ବୁଝିବାର ଭ୍ରମ

ରାଜା ସଦା ପ୍ରଜାପୁଞ୍ଜ ଶାସନେ ପାଳନେ

ରତଥାଏ କୂଟ ରାଜ ନୀତି କରମରେ

ବହି ଶିରେ ପ୍ରଜା ଚିନ୍ତା ରାଜ୍ୟ ମହାଭାର,

ଦେଖିବ ସେ କାହୁଁ ସୁଖ ଦୁର୍ଲଭ ରତନ ।’’

ପ୍ରବେଶିଲା ଆସି ତହିଁ ମହିଷୀ ତାଙ୍କର

ପୁଚ୍ଛିଲି ‘ଅଛି କି ସୁଖ ତୁମର ଏ ଚାରୁ-

ବହୁମୂଲ୍ୟ ବସନର ଅଞ୍ଚଳ ଗ୍ରନ୍ଥିରେ ?’’

ଉତ୍ତରିଲେ ରାଣୀ ‘‘କାହୁଁ ପାଇବି ମୁଁ ତାକୁ,

ଥାଏ ମୁଁ ତ ଚଉପାଶେ ସୁଦୃଢ଼ ପ୍ରାଚୀର -

ବେଷ୍ଟିତ ରାଜାନ୍ତଃପୁର ଚିର ଅନ୍ଧକାରେ,

ଇନ୍ଦ୍ର ସୂର୍ଯ୍ୟ ମୁଖ ମୋତେ ଦେଖିବାକୁ ମନା,

ଶୁଣିଛି ମୁଁ ଅଛି ତାର କିଛି ମାତ୍ର ଅଂଶ

ପତିମୁଖ ଦରଶନେ ପତିଙ୍କ ସେବାରେ;

ମାତ୍ର ମୋର ପତି ସଦା ବ୍ୟସ୍ତ ରାଜକାର୍ଯ୍ୟେ

ତାଙ୍କ ମୁଖ ଦରଶନ ନ ଘଟେ ବହୁତ

ଭାଗ୍ୟୋ ମୋର ଆଉ ସତି ସେବା ସେହିପରି ।’’

ଶୁଣି ସେଠାରେ ଏମନ୍ତ ନିରାଶାର ବାଣୀ

ବାହୁଡ଼ି ମୁଁ ତହୁଁ ଗଲି ସୁଖ ସନ୍ଧାନରେ ।

ଯାଉଁ ଯାଉଁ ପଥପାର୍ଶ୍ୱେ ଦେଖିଲି କୁଟୀର

ବସିଛନ୍ତି ତଥିମଧ୍ୟ ଶ୍ରମକ ଦମ୍ପତ୍ତି ।

କହିଲି ତାହାଙ୍କୁ ମୁହିଁ ‘‘ଶୁଣ ମୋ ବଚନ

ଅଛି କି ନିକଟେ ତବ ଜୀବ-କାମ୍ୟ ସୁଖ ?

ଥିଲେ କହ ବେଗେ ମୋତେ କହିଲ ସେ ବେନି

‘‘ଦେଖୁଛ ତ ନେତ୍ରେ ଆମ୍ଭ କୁଟୀର ଅବସ୍ଥା

କେମନ୍ତେ ରହିବ ଏଥି ସେ ଦୁର୍ଲଭ ସୁଖ ?

ଲାଗିଅଛି ପେଟଚିନ୍ତା ସର୍ବଦା ଆମ୍ଭଙ୍କୁ

ନିତି ଯାଉଁ ପରିଶ୍ରମେ ଆଣୁ ତହୁଁ ଯାହା

ନ ଅଣ୍ଟେ ଦିନକ ପାଇଁ ଏ ଦୁଇ ପେଟକୁ

ଅନ୍ୟଦାନ ହେବ କିସ ଭାଳୁ ତା ରାତିରେ ।

ମିଳିଲେ ଉଦର ତୋଷୁ ନତୁ ଉପବାସେ

କଟିଯାଏ ବେନିଙ୍କର ନ ମିଳିବା ଦିନ

ଦିଅଇ କି ଦେଖା ସୁଖ ଏମନ୍ତ ଦଶାରେ ?’’

ଶୁଣି ଏହା ତାଙ୍କ ପାଶୁ ଘେନି ମୁଁ ମେଲାଣି

ଚଳିଲି ଦୂରକୁ, ପଥେ ଦେଖିଲ ଗୋଟିଏ

ଯାଉଛି ଭିକ୍ଷୁକ ଦ୍ରୁତ ପଦେ ଭିକ୍ଷା ଆଶେ ।

ପଚାରିଲି ତାକୁ ମୁହିଁ ସୁଖର ସମ୍ବାଦ,

ସେ ବୋଇଲା ‘‘ଘୋର ମୋର ପାଞ୍ଚୋଟି ପରାଣୀ ।

ତୋଷିବାକୁ ସାମନଙ୍କୁ ଜଣେ ଏକା ମୁହିଁ ।

ନଜାଣଇ ଅନ୍ୟ କର୍ମ୍ମ ଜାଣେ ଭିକ୍ଷାମାଗି

ମାତ୍ର ମୋହପରି ଦରିଦ୍ରକୁ ଦେବା ଲାଗି

ନଥାଏ କାହାରି ଧନ, ଥାଏଟି କେବଳ

ନିଜ ନିଜ ବିଳାସର ଉପଚାର ଲାଗି ।

ତଥାପି ନିର୍ଲ୍ଲଜ ମୁଖେ ମାଗେ ମୁଁ ବିନୟେ

ଦାନକରେ ଯେହୁ ଯାହା ଅନାଦରଭାବେ

ଆଣି ତାହା ଅର୍ଦ୍ଧହାରେ ବଞ୍ଚିଅଛୁ ସର୍ବେ

ନ ମିଳିଲେ ରହୁପଟେ ଓଦାକନା ଦେଇ,

ଏମନ୍ତେ ଚଳୁଛି ଯାର ଜୀବନର ଯାତ୍ରା

ତା ପାଶେ ଲୋଡ଼ନ୍ତି ପୁଣି ସୁଖର ସନ୍ଧାନ

ଅଦୃଷ୍ଟର ପରିହାସ ଅଟେ ସିନା ଏହା !’’

ତା ଠାରୁ ଏମନ୍ତ କଥା ଶୁଣି କ୍ଷୁର୍ଣ୍ଣ ମନେ

ଗଲି ଚଳି, ଏହିମତେ କିଛି ଦୂର ଯାଉଁ

ଦେଖିଲି ରଥ୍ୟାରେ ଏକ ମଧ୍ୟବିତ୍ତ ଜନେ,.

ପଚାରିଲି ‘‘ତୁମ ପାଶେ ଅଛି କି ହେ ସୁଖ ?

ସେ ଭାଷିଲେ ‘‘ଜଗତରେ ଥାଉଁ ଏତେ ଜନ

ମୋ ପାଶେ ଆସିଛି ତୁମେ ସୁଖ ଲୋଡ଼ିବାକୁ !

ରହିଛି ଯେ ସୁଖ ଦୁଃଖ ବେନିଙ୍କ ମଧ୍ୟରେ

ନିରୁପାୟେ ବନ୍ଧା ହୋଇ ନିୟତିର ଜାଲେ

ଘୁଞ୍ଚିବାକୁ ତହୁଁ ତିଳେ ନାହିଁଟି ଶକତି

ଯିବାଲାଗି ସୁଖ ଅବା ଦୁଃଖର ସମୀପେ ।

ବଳାଇଲେ ମନ ସୁଖ ଲଭିବା ନିମନ୍ତେ

ନ ମିଳଇ ତାହା ଦେଖି ଧନଶାଳୀଙ୍କର

ଅବସ୍ଥା ସର୍ବଦା ଘାରି ହେଉଥାଇ ମନ

ହେବାକୁ ତାଙ୍କରି ପରି ସୁଖୀ ମଣି ତାଙ୍କୁ,

କିବା ଦେଖି ଦରିଦ୍ରଙ୍କ ସଦାନନ୍ଦ ଭାବ

ହେବାପାଇଁ ଇଚ୍ଛାକଲେ ସେମାନଙ୍କ ପରି

ହୋଇ ନ ପାରଇ ତାହା, ରହି ମଧ୍ୟସ୍ଥଳେ

ନ ହୋଇବ କହି ଯେତେ ମନେ ଅସନ୍ତୋଷ;

ହୋଇବ ଉତ୍ତମ କିବା ଅତ୍ୟନ୍ତ ଅଧମ

ମଧ୍ୟମ ନୋହିବ କଦା, ସେ ବଡ଼ କଦର୍ଯ୍ୟ ।’’

ତାଙ୍କଠାରୁ ଶୁଣି ଏହା ଚଳିଲି ମୁଁ ବେଗେ

ଦେଖିଲି ସେ ପଥେ ଏକ ଅଭିନବ ଦୃଶ୍ୟ

ବହୁଅଛି ଖରସ୍ରୋତା ସ୍ରୋତସ୍ୱିନୀ ଏକ ।

ପରସ୍ପର ନେତ୍ରେ ରଖି କରୁଣ ଚାହାଣୀ

ବେନିଏ ବେନିଙ୍କ ମୁଖେ ଚାହିଁ ଅନିମେଷେ

ରହିଛନ୍ତି ବସି ଦୁଇ ତରୁଣ ତରୁଣୀ

ବେନିତଟେ ତାର, ମୁହିଁ ପୁଚ୍ଛିଲି ତାହାଙ୍କୁ

‘‘ଦିଅମୋତେ ଜାଣିଥିଲେ ସୁଖରବାରତା ।’’

ସେ କହିଲେ ‘‘ଡାକୁଛ ତ ତାକୁ ନିରନ୍ତରେ

ଆସନ୍ତା ସେଅବା ଆମ୍ଭେ ହୋଇଲେମିମଳିତ,

ମାତ୍ର ପାରି ହେବା ପାଇଁ ଏହି ବାଧାନଦୀ

ନାହିଁ କ୍ଷମତା ଆମ୍ଭର ଜୀବନଟା ଯାକ

ବେନି ତଟେ ଏହିପରି ଏକା ଏକା ଦୁହେଁ

ବସିରହି ହୃଦୟର ସମସ୍ତ ପୀରତି

ଦେଉଥିବୁ ନିଡ଼ୋଇ ନୟନର ପଥେ

ଅଶ୍ରୁ ରୂପେ ହୋଇ ବ୍ୟର୍ଥ ପ୍ରେମିକ ପ୍ରେମିକା;

ଏ ଦାରୁଣ ବେଦନାର ଶିଷ୍ୟ ଶିଷ୍ୟା ଆମ୍ଭେ

ସୁଖବାର୍ତ୍ତାତୁମ ପାଶେ କାହୁଁ ଦେବୁ ଆଣି ?’’

ଚଳିଲି ସେଠାରୁ ହୋଇ ଭଗ୍ନମନୋରଥ,

କିଛିଦୂରେ ହେଲା ମୋର ନୟନପଥିକ

ଦୃଶ୍ୟ ଏକ ମନୋହର କ୍ଷୁଦ୍ର ଉପବନେ

ରୂପବାନ୍‌ ରୂପବତୀ ଯୁବକ ଯୁବତୀ

ଦେବ ଶିଶୁ ପରି ଏକ ସୁନ୍ଦର ଶିଶୁର

ଧରି ଦୁଇକର ଦୁହେଁ ଭ୍ରମୁଛନ୍ତି ଧୀରେ,

ମାତ୍ର ନାହିଁ ସେ ବେନିଙ୍କ ମୁଖ-ପଙ୍କଜରେ

ଆନନ୍ଦରେ ଦୀପ୍ତି, ତାହା ଅତି ବିଷାଦିତ,

ହେଉଛି ପ୍ରତିଫଳିତ କ୍ଷଣେ କ୍ଷଣେ ତାଙ୍କ

ହୃଦୟର ଚିନ୍ତାରେଖା ସେ ମ୍ଳାନ ବଦନେ,

ବୀଭବ ସେ ବେନି, ମାତ୍ର କରୁଅଛି ଭଗ୍ନ

ତହୁଁ ସେ ନୀରବ ତାକୁ ଶିଶୁ କଳ ଭାଷା ।

ମିଳି ମୁଁ ତାହାଙ୍କ ପାଶେ ପୁଚ୍ଛିଲି ତାହାଙ୍କୁ

‘‘ଅଛି କି ତୁମରି ପାଶେ ସୁଖ ଘର କରି ?’’

ତହୁଁ ବୋଇଲେସେନାରୀ ‘‘ଲଭିବକୁତାକୁ

ପରସ୍ପର ସ୍ୱଇଚ୍ଛାରେ ହୋଇଛି ମିଳିତ

ପୋଷି ହୃଦେ ବହୁ ଆଶା ଅଗାଧ ପୀରତି;

କିଛିକାଳ ଅନ୍ତେ ସେହି ମଧୁ ପ୍ରଣୟର

ଫଳ ଏହି ଦୁହିଁଙ୍କର ହୃଦୟର ଧନ

ଅମୂଲ୍ୟ ଶିଶୁଟି କୋଳେ ଦେଇଅଛି ଦେଖା,

ମାତ୍ର ଆମ୍ଭେ ବେନି ମିଳନର ଦିନଠାରୁ

ଅର୍ଥର ଅଭାବେ ଦିନେ ଏଭି ନାହୁଁ ଶାନ୍ତି;

ଅର୍ଥ ସିନା ଏ ଜଗତେ ସୁଖର କାରଣ

ତାହାର ଅଭାବେ ସଦା ମରୁଅଛି ଭାଳି

ଧରି ଆସୁଅଛି ଆମ ପ୍ରେମରେ କଳଙ୍କି,

ଅହର୍ନିଶ ପରିଶ୍ରମେ ମୋ ହୃଦଦେବତା

କରନ୍ତି ଯା ଉପାର୍ଜନ ନୋହେ ତା ବହୁତ;

ଚଳାଇ ତହିଁରେ ନିଜ ଉଦତ୍ତ ପୋଷଣ

ନ ଦେଲେ କୁଟୁମ୍ବେ ପୁଣି ହୁଅନ୍ତି ବିମୁଖ,

ତହୁଁ ସେ ଚେଷ୍ଟିତ ଜ୍ଞାତିମାନଙ୍କ ସାହାଯ୍ୟେ

ଅଳ୍ପହେଲେ ତହିଁ କେହି ନ ହୁଅନ୍ତି ତୁଷ୍ଟ

ଦେଖାନ୍ତି ତାଚ୍ଛଲ୍ୟ ଭାବ ତେଜ ଭକ୍ତି ସ୍ନେହ

ଜଗତେ କେବଳ ଲୋକେ ଚିହ୍ନନ୍ତି ଅର୍ଥକୁ;

ଅର୍ଥରେ ହୁଅଇ ସାଧି ସକଳ କରମ

ନ ଥିଲେ ତା କେହି ଥରେ ନଚାହେଁ ମୁଖକୁ

କେମନ୍ତେ ରଖିବେ ଏହି ଶିଶୁଟିକୁ ମୋତେ

ଅଗାଧ ସୁଖର କ୍ରୋଡ଼େ ପୁଣି ଅର୍ଥଦାନେ

ତୋଷିବେ ଜ୍ଞାତିଙ୍କ ମନ ମୋର ପ୍ରିୟତମ,

ଦିନ ଚାଳ ଭାଳି ଏବଂ ଅଛନ୍ତି ବିମର୍ଷେ,

ତାଙ୍କର ଭାବନା ଛାୟା ପଡ଼ିଛି ମୋ ହୃଦେ

ତାଙ୍କ ଶାନ୍ତି ଲାଗି ମୁହିଁ ଭାଳୁଛି ନିୟତ,

ଏହିପରି ଅବସ୍ଥାରେ ତ ଦେଖୁଛ ଆମ୍ଭର

କାହିଁ ସେହିସୁଖ,ଆମ୍ଭେ ଦେଖିବୁ କେସନେ ?’’

ଶୁଣି ଏହା ତାଙ୍କ ପାଶୁ ଆସିଲି ତୁରିତ ।

ଦେଖିଲି ମୁଁ ସରଣୀରେ ନାନାଗଳ୍ପେ ମାତି

ତିନୋଟି ଯୁବକ ଆସୁଛନ୍ତି ସେହି ପଥେ,

କହିଲି ତହାଙ୍କୁ ‘‘ଦିଅ ସୁଖର ବାରତା

ଜାଣିଥିଲେ ‘‘ତିଥି ମଧ୍ୟୁ ବଖାଣିଲା ଜଣେ

‘‘ଶୁଣ ମୋର ମନକଥା ବୁଝିବ ତହିଁରୁ

ଲଭିଛି କି ନାହିଁ ମୁହିର୍ ସୁଖର ଦର୍ଶନ ।

ଧାରଣା ମୋର ବିବାହ ବିଷମ ଜଞ୍ଜାଳ

ତେଣୁ ତହିଁ ପଡ଼ିବାକୁ ନାହିଁ ମୋର ସ୍ପୃହା

ଆପଣା ଇଚ୍ଛାରେ ବିଭା ନ ହେବା ନିମନ୍ତେ

କରିଅଛି ଭୀଷ୍ମପଣ ନାହିଁ ଅନ୍ୟ ବାଧା,

ତଥାପି ଭ୍ରମୁଛି ଏକା କେହି ନାହିଁ ମୋର

ସାହା ସାଥୀ ଏ ବିଶ୍ୱରେ, କରୁଅଛି ଯାହା

ତହିଁ ନଦିଏ କେ ବାଧା ଭଲେ ଅବାମନ୍ଦେ

ସ୍ୱାଧୀନ ଜୀବନ ମୋର, ମାତ୍ର ହୃଦୟରେ

ଜଳିଲେ ବିଷାଦ-ବହ୍ନି ଦେବାକୁ ସାନ୍ତ୍ୱନା

ଆସେନାହିଁ କେହି, ପୁଣି ଥିଲେ ରୋଶେଯେ

ନ କରଇ ସେବା କହି ମନପ୍ରାଣ ଦେଇ,

ସର୍ବଦା କାହାର ସ୍ନେହ-କୋମଳ ହସ୍ତର

ପରଶ ମୋର ଜୀବନେ ହୁଅଇ ଅଭାବ,

ନ କଳେ ଆହାର ମୁହିଁ ପ୍ରାଣ ରକ୍ଷା ଲାଗି

ନ କରେ କେ ଅନୁରୋଧ ଆକୁଳ ଅନ୍ତରେ,

ଏ ସବୁର ଅଭାବ ମୁଁ ମଣେ ନିରନ୍ତର,

ଅଗାଧ ଅଇଶ୍ଚର୍ଯ୍ୟର ସିଂହାସନେ ବସି

ଭାଳଇ ହୃଦୟେ ବିବାହିତ ଜନେ ଅବା ।

ଥିବେ ମୋଠାରୁ କୁଶଳେ ଲଭୁଥିବେ ଶାନ୍ତି

ଦେଖୁଥିବେ ସୁଖ-ମୁଖ, ମୁଁ ତହୁଁ ବଞ୍ଚିତ ।’’

ଅପର ବୋଇଲା ‘‘ମୁହିଁ ଶୁଣି ବାଳ କାଳୁ

ଦେଖି ଆନଙ୍କର ବିବାହର ମଧୁମୟ-

ମଧୁଜଳେ ସ୍ନାନ ବଳାଉଛି ମନ ସଦା

ପଶିବି ସେ ଜଳେ ହେବ ପ୍ରାଣ ସୁଶୀତଳ,

ପ୍ରେମ ପ୍ରୀତି ସୁଖ ଶାନ୍ତି ମୋର ସନ୍ନିଧାନେ

ଖଟିଥିବ ଅହର୍ନିଶ କିଙ୍କର ପରାଏ,

ମାତ୍ର ମୋର ଏ ବାସନା ହେଉ ନାହିଁ ପୂର୍ଣ୍ଣ

ରୂପ ଗୁଣ ଅର୍ଥ ଏହି ତିନିଙ୍କ ଅଭାବେ,

ଦେଖି ମୋହଠାରେ କେହି ନଦିଅନ୍ତି କନ୍ୟା

ନଦେଖିଲି ତେଣୁ ଆଜିଯାଏ ସୁଖ-ମୁଖ ।’’

ତୃତୀୟ ବୋଇଲା ‘‘ଶୁଣ ବଚନ ମୋହର

ଏ ଦୁହିଁଙ୍କ ବିପରୀତ ଅଟଇ ମୋ କଥା

ଚିନ୍ତାହୀନ ଶାନ୍ତିମୟ କୈଶୋର ଜୀବନ

ଅତିକ୍ରମ ଭେଟୁଁ ନଭେଟୁଣୁ ତରୁଣତ୍ୱେ

ଜନକ ଜନନୀ ମୋର ସୁଖର ନିମନ୍ତେ

ଛନ୍ଦିଲେ ମୋ କର ଏକ ତରୁଣୀ ଶ୍ରୀକରେ,

ବୋଧହେଲା ତାହା ମୋତେ ଆପାତଃମଧୁର

ଏବେ ମୁଁ ହୋଇଛି ଅଷ୍ଟ ପୁତ୍ର ଦୁହିତାର

ପିତା, ମୋତେ ଭାଗ୍ୟବାନବୋଲନ୍ତି ସକଳେ,

ମାତ୍ର ମୁଁ ମଣୁଛି ମୋଡଠାରୁ ବଳି ଦୁଃଖୀ

ଖୋଜିଲେ ନ ଥିବେ ଏହି ସାରାବ୍ରହ୍ମାଣ୍ଡରେ

ସେମାନଙ୍କ ଜଞ୍ଜାଳରେ ସଦା ଭାଳି ଭାଳି

ହୋଇଲାଣି ମୋର ଏବେ ଅସ୍ଥିଚର୍ମ ସାର,

ପିତାମାତା ବହୁକାଳୁଁ ହୋଇଲେଣି ଗତ

ସକଳର ଭାର ଏବେ ବହିଛି ମୁଁ ଶିରେ,

ସ୍ୱେଚ୍ଛାଚାରୀ ଜ୍ଞାନହୀନ ସନ୍ତାନେ ମୋହର

ଚଳୁଛନ୍ତି ଯେ ଯାହାର ସ୍ୱ-ନିର୍ଦ୍ଦିଷ୍ଟ ପଥେ,

ତାଙ୍କ ଦୁଷ୍କର୍ମର ଯେତେ ଲାଞ୍ଛନା ଗଞ୍ଜନା

ସେ ସବୁ ପଡ଼ୁଛି ଆସି ମୋହରି ମସ୍ତକେ,

ଭାଳୁଅଛି ଏବେ ମୁହିଁ ବିବାହରୁ ବଳି

ନାହିଁଟି କଷଣ ଆଉ ଏ ତିନ ଭୁବନେ,

ଭାଗ୍ୟ ଯେବେ ହୋଇଥାନ୍ତା ଉଚ୍ଚ ପରସନ୍ନ

ହୋଇଥାନ୍ତେ ପୁତ୍ରଗଣେ ମୋର ଅନୁଗତ

କେ ଜାଣି ବା ଦେଖିଥାନ୍ତି ସୁଖର ବଦାନ୍ୟ !’

ଶୁଣି ମୁଁ ଏ ତିନିଙ୍କର ମରମ କାହାଣୀ

ଗମିଲି ମୁଁ ଆଉ ତିଥି ନ କରି ଅପେକ୍ଷା;

ଯାଉ ଯାଉ ପୁଣି ହେଲା ନୟନ ଗୋଚର

ପ୍ରାସାଦର ଏକ କକ୍ଷେ ବସି ଏକ ବୃଦ୍ଧା,

ସୁନ୍ଦରୀ ଯୁବତୀ ଏକ, ଭିଆଇ କଳହ

ଉଚ୍ଚସ୍ୱରେ ହୋଇ ପୁଣି କ୍ରନ୍ଦନେ ତତ୍ପର

ମୁଖରିତ କରୁଛନ୍ତି ସେ ପ୍ରାସାଦ କକ୍ଷ;

ମିଳି ତାଙ୍କ ପାଶେ ମୁହିଁ ପୁଚ୍ଛିଲି ବେନିଙ୍କି

‘‘କି କାରଣେ ଏ ବିଗ୍ରହ ତୁମ୍ଭମାନଙ୍କର ?’’

ତହୁଁ ବଖାଣିଲା ବୃଦ୍ଧା ହୋଇ ଆଗଭର

‘‘ଶୁଣ ଆହେ ଭଦ୍ର ମୋର ଦୁଃଖର କାହାଣୀ;

ଯୌବନ ମଧ୍ୟାହ୍ନେ ନାରୀ ଜୀବନର ଦୋସର-

ଏ ଭବ ଭରାନଦୀର ଏକ ମାତ୍ର ତରୀ-

ହତଭାଗିନୀ ହୃଦୟ-ଦେବତା ମୋ ସ୍ୱାମୀ-

ଅପୋଗଣ୍ଡ ପୁତ୍ର ଏକ ସ୍ଥାପି ମୋ ନିକଟେ

କଲେ ଅକାଳରେ ଦିବ୍ୟ ଧାମକୁ ପ୍ରୟାଣ

ଛାଡ଼ି ମୋତେ, ଚାରିଦିଗ ଦିଶିଲା ଅନ୍ଧାର

କି ଘେନି ତରିବ ନଦୀ ନ ପାଇଲି କୂଳ,

ସେହି ଶିଶୁ ପୁତ୍ରଟିକୁ ତୃଣ ପ୍ରାୟ ଧରି

ଭାସିଲି ଏ ଭବ-ଜଳେ, ମାତ୍ର ନ ଭୁଲିଲି

ଜନନୀ ମୁଁ ପୁତ୍ରପ୍ରତି କଠୋର କର୍ତ୍ତବ୍ୟ,

ନାନା ବିଦ୍ୟାରେ ଭୂଷିତ କରାଇ ପୁତ୍ରକୁ

ବହୁ ଯତ୍ନେ ମୋ ଦୁଃଖକୁ ନଗଣି ଦୁଃଖରେ

ବଞ୍ଚିଲି ତା ମୁଖ ଚାହିଁ, କ୍ରମେ ସେହି ଶିଶୁ

ପରିଣତି ହେଲା ଏବେ ସୁନ୍ଦର ଯୁବକେ

ଅଙ୍କୁର ଯେସନ ହୁଏ ଉନ୍ନତେ ପାଦପ;

ବେଳକାଳ ଜାଣି ବିଭା ଦେଲି ମୁଁ ତାହାର

ବାଛି ବାଛି ଅଲକ୍ଷଣା ଏ ରୂପବତୀକୁ,

ମାତ୍ର ଏ ଡାକିନୀ ଘରେ ଆସିବା ଦିନରୁ

ପୂରି ନାହିଁ ଏକ ବର୍ଷ, ଏହାରି ମଧ୍ୟରେ

ଦିନୁଁ ଦିନ ହେଲା ମୋର ପ୍ରତି ଭକ୍ତିହୀନ

ଦେଖାଇଲା ଅନାଦର କି କୁହୁକେ ପଡ଼ି

ପୁତ୍ର ମୋର, ତଥାପି ମୁଁ ସହି ତା ନୀରବେ

କ୍ଷମିଲି ସନ୍ତାନେ ଭାଳି ଯୌବନର ଦୋଷ,

ଏବେ ସେହି ପୁତ୍ର ମୋର ଦୁଇ ମାସ ହେଲା

ହୋଇଅଛି ନିରୁଦ୍ଦେଶ ନ କହି କାହାକୁ

ପୁଣି ସନ୍ତାପ ଅନଳେ ପେଲିଦେଇ ମୋତେ;

କି ହେବ ଏ ଅଟ୍ଟାଳିକା କି ହେବ ସମ୍ପଦ

ନିଶାମଣିହୀନ ନିଶା ପର ଏ ଯୁବତୀ,

ଅକାରଣେ ସିନା ସବୁ, କେମନ୍ତେ ମୁଁ ଏବେ

ବଞ୍ଚିବ ହରାଇ ସେହି ଅଞ୍ଚଳର ନିଧି ?

କହିଲେ ସେ କଥା ଏବେ ଏ ପୋଡ଼ା ମୁହୀଁକି

ପ୍ରତିଉକ୍ତି କରି କ୍ରୋଧ ବଢ଼ାଉଛି ମୋର ।’’

ତା ଶୁଣି ମଳିନ ମୁଖେ ସେ ରୂପସୀ ବାଳା

କାନ୍ଦି ବହିଲାବଚନ ‘‘ବିନୋ ଦୋଷେ ମୋତେ

ଦେଉଛନ୍ତି ଦୋଷ, ମାତ୍ର ମୁହିଁ ନିର୍ଦୋଷିଣୀ

ବୁଝାଇବ କାହାକୁ ମୁଁ ହୃଦୟ ବେଦନା ?

କିଏ ସେ ବୁଝିବ ମୋର ବ୍ୟର୍ଥ ଜୀବନର

ଅନ୍ତର ନିଗୂଢ଼ ଦୁଃଖ ଦାରୁଣ ପିପାସା ?

ନବୁଝନ୍ତି, ଦିନେ ହେଲେ ପଡ଼ିବ ଝାଉଁଳି

ପତି-ପ୍ରେମବାରି ବିନା, ଯେସନେ ଲତିକା

ପଡ଼ଇ ଝାଉଁଳି ଗ୍ରୀଷ୍ମେ ସଲିଳ ଅଭାବେ,

ଅଛି ଯାହା ଭାଲେ ଲେଖା ସହୁଥିବ ତାହା,

ପରିଣୟ ହେଲା ଦିନୁ ଶୁଣି ନାହିଁ ଦିନେ

ପତିଙ୍କର ପ୍ରେମବୋଳା ମଧୁମୟ ଭାଷା,

ତାଙ୍କ ଅନ୍ତର ପୀରତି ମହିଁ ଅଭାଗିନୀ

ଦିନେ ଲଭିନାହିଁ ସେହି ପ୍ରାଣର ସୋହାଗ

ନାରୀ ଜୀବନକୁ ଯାହା କରଇ ସରସ,

ଶ୍ରେଷ୍ଠକାମ୍ୟ ଏ ଜଗତେ ଯାହା ଅବଳାର,

ତଥାପି ଏ ମୋ ଉପରେ କଲେ ଦୋଷାରୋପ ।’’

ଶୁଣି ସେ ବେନିଙ୍କ ଏହି କରୁଣ କାହାଣୀ

ବୁଝିଲ ମୁଁ ବୃଥା ସିନା ସେମାନଙ୍କ ପାଶେ

ଲୋଡ଼ିବା ସୁଖ ସନ୍ଧାନ, ଗଲି ତେଣୁ ଚଳି,

ଯାଉଁ ଯାଉଁ ହେଲା ଅମାବାସ୍ୟା ବିଭାବରୀ,

ଜନପ୍ରାଣହୀନ ଏକ ଉନ୍ମୁକ୍ତ ପ୍ରାନ୍ତରେ

ପଥଶ୍ରମ ବଶୁଁ ତହିଁ ହେଲି ମୁଁ ନିଦ୍ରିତ,

ସର୍ବ ସନ୍ତାପହାରିଣୀ ନିଦାଦେବୀ କୋଳେ

ଲଭନ୍ତେ ଆଶ୍ରୟ ଅଙ୍ଗୁ ଦୂରହେଳା କ୍ଳାନ୍ତି

ପ୍ରଭାତିବା ପାଇଁ ଅଛି ପ୍ରହରେ ରଜନୀ

ଅକସ୍ମାତ୍‌ ମୁଖଶବ୍ଦେ ନିଦ୍ରା ଗଲା ଭାଙ୍ଗି,

ଜାଗି ମୁଁ ଦେଖିଲି ବସି ନିକଟେ ମୋହର

ବିରଟ ମୂରତି ମହାବଳୀ ଦୁଇ ନର

ହେଉଛନ୍ତି କଥା ଭାଷା ଅତି ସତର୍କରେ,

ବୁଝିଲି ତାଙ୍କ କଥାରୁ ଅଟନ୍ତି ସେ ଚୋର,

ବୋଇଲି ତାହାଙ୍କୁ ଧୀରେ ‘‘ଶୁଣ ଆହେବନ୍ଧୁ

ମୋ ପାଶେ ଆସିଛ ମନେ ଯେଉଁ ଆଶା ପୋଷି

ନ ପୂରିବ ତିଳେ ତାହା ମୁଁ ଦୀନ ପଥିକ

ବହୁମୂଲ୍ୟ ରତ୍ନ କିଛି ନାହିଁ ମୋ ସଙ୍ଗତେ

ଭ୍ରମୁଛି ମୁଁ ନାନା ସ୍ଥାନେ ସତ୍ୟାନୁସନ୍ଧାନେ,

ପୁଚ୍ଛିବ କଥାଏ ଦିଅ ସରଳେ ଉତ୍ତର

ମୋଠାରେ ଅନିଷ୍ଟାଶଙ୍କା ନାହିଁଟି ତୁମ୍ଭର,

ଦେଖିଛ କି ବନ୍ଧୁମାନେ ସୁଖର ଆନନ ?

ଦେଖିଥିଲି କହ ମୋତେ ନକରି କପଟ ।’’

ବିଶ୍ୱାସ ସ୍ଥାପନ କରି ବତନେ ମୋହର

ସେ ବୋଇଲେ, ‘‘କହ ଏ କି ବିଡ଼ମ୍ୱଣ କଥା

ନ ଜାଣ କି ଆମ୍ଭେମାନେ ପ୍ରବୃତ୍ତି ତାନଡ଼େ

କରିଥାଉଁ ସିନା ଚୋରି ପେଟ ନିମନ୍ତରେ,

ମାତ୍ର କେତେବେଳେ କିଏ ପକାଇବଦେଖି,

ଲଭିବୁ ରାଜାର ଦଣ୍ଡ ଏହି ଭାବନାରେ

ନମାଡ଼ଇ ନିଦ ରାତ୍ରେ ମରୁଥାଉଁ ଦୁଃଖେ !’’

ଚଲିଲି ମୁଁ ତାଙ୍କତହୁଁ ଗଭୀର ନୈରାଶ୍ୟ

ପୋଷି ହୃଦୟରେ, ମାତ୍ର ନ ଛାଡ଼ିଲି ଆଶା,

ଯାଇ ପରବେଶି ଏକ ପର୍ବତ କନ୍ଦରେ

ଦେଖିଲି ସେଠାରେ ଏକ ସନ୍ୟାସି ପ୍ରବର

ରତ ହୋଇଛନ୍ତି ତପେ, ତାଙ୍କୁ ମୁଁ ପୁଚ୍ଛିଲି

‘‘କେଉଁଠାରେ ଥାଏ ସୁଖ ? ଲଭିଅଛନ୍ତି କି

ଆପଣ ତାହାକୁ ଦୃଢ଼ ତପସ୍ୟାବଳରେ ?’’

ସେକହିଲେ ‘‘ଆଜିଯାଏ ଲଭି ନାହିଁ ମୁହିଁ,

ବାଞ୍ଛା ନାହିଁ ଲଭିବାକୁ ତା ଇହଜୀବନେ,

ପରକାଳେ ଲଭିବାକୁ ଆଶ୍ରୟ ତାହାର

ହୋଇଅଛି ବ୍ରତୀ ଏହି କଠୋର ସାଧନେ;

ମାତ୍ର ଭବିଷ୍ୟତେ ସେହି ନେବ କିବା ନାହିଁ

କୋଳେତୋଳି ମୋତେ ତାହା ଅଜ୍ଞାତ ମୋହର;

ସାଧୁ ନ ଲୋଡ଼ଇ ସୁଖ ଇହ ଜୀବନରେ

ନଜାଣଇ ପୁଣି ତାହା ଥାଏ କେଉଁଠାରେ ।’’

ଆସିଲି ମୁଁ ତହୁଁ ବେଗେ ଭାଳିଲି ମାନସେ,

‘‘ଭ୍ରମିଲି ତ ସୁଖୋଦ୍ଦେଶେ ଏ ସାରା ଜଗତ

କିବା ରାଜା ପ୍ରଜା କିବା ଧନୀ ନିରଧନୀ

ବାଳକ ଯୁବକ ବୃଦ୍ଧ ଯୁବତୀ ଜରତୀ,

କେହି ତ ଦେଖି ନାହାନ୍ତି ସେ ସୁଖର ମୁଖ

ଥାଏ କି ସେ ସୁଖ ତେବେ ଅନ୍ୟ ପ୍ରାଣୀ ପାଶେ ?

ଯାଏ ଏବେ ପଚାରିବି ସକଳ ପ୍ରାଣୀଙ୍କି

ହେଲେ ହେବ ଅବା ତାର ସ୍ୱରୂପ ପ୍ରକାଶ ।’’

ଏ ବିଚାରି ଗଲି କୀଟ ପତଙ୍ଗଙ୍କ ପାଶେ

ପୁଚ୍ଛିଲି ‘‘ଅଛି କି ସୁଖ ତୁମରି ନିକଟେ ?’’

ଶୁଣି ସେ ବୋଇଲେ ‘‘କହ କେଉଁ ଲାଜେ ତୁମ୍ଭେ

ପଚାରୁଛ ଏବେ ଆସି ଏକଥା ଆମ୍ଭଙ୍କୁ ?

କୋଟି ଗୁଣେ ବଡ଼ହୋଇ ଆମ୍ଭଠୁଁ ମାନବେ

ବୁଦ୍ଧି ଆୟତନେ, ସେହି ନଲଭିଲେ ସୁଖ,

କ୍ଷୁଦ୍ର ଜୀବ ଆମେ ତାଙ୍କ ପ୍ରତି ପଦକ୍ଷେପେ

ଧ୍ୱଂସ ହେଉଁ ଏକାକାଳେ ସହସ୍ର ସହସ୍ର,

ଲାଗୁଥାଏ ଭୟ ବିଳୁଁ ହେବାକୁ ବାହର;

ମାତ୍ର ପୋଡ଼ା ପେଟଚିନ୍ତା ନ ଦିଅଇ ରଖି

ପର୍ବତ ପ୍ରମାଣେ ଠୁଳ ସେମାନଙ୍କ ଖାଦ୍ୟ

ଆମ୍ଭଲାଗି କେତେ ଅବା ସରଇ ତହିଁରୁ !

ଯାଉଁ ଯେବେ ପାଶେତାର ନିଷ୍ଠୁର ମାନବେ

ନିର୍ଦ୍ଦୟ ହୃଦୟେ ଦଳି ଦିଅନ୍ତି ଆମ୍ଭଙ୍କୁ,

ବିହଙ୍ଗମାନଙ୍କ ଭକ୍ଷ୍ୟ ଅଟୁ ଆମ୍ଭେ ପୁଣି

ଜଗି ବସିଥାନ୍ତି ଆମ୍ଭ ପଥକୁ ସେ ସଦା

ବାହାରିଲେ ହୃଷ୍ଟଚିତ୍ତେ କରନ୍ତି ଆହାର,

ସେଥିଲାଗି ଉରି ଥରି ମରୁଥାଉଁ ଦୁଃଖେ ।

ଦେଖାଇ ଅନଳ ଅତି ମନୋରମ ରୂପ

ଡାକଇ ଆମ୍ଭଙ୍କୁ ଯେବେ ଯାଉଁ ତା ନିକଟେ

ତୀବ୍ର ତାପେ ଦହି ପ୍ରାଣେ ମାରଇ ନୃଶଂସ ।

ଏହିମତି କେତେ ଦୁଃଖ କହି ନ ସରଇ

କ୍ଷୁଦ୍ରଜୀବ ଆମ୍ଭେ ସୁଖ ଲଭିବୁ କେସନେ ?’’

ବାହୁଡ଼ିଲି ତାଙ୍କ ପାଶୁଁ, ମାନବଙ୍କ ଗୃହେ

ପୋଷା ହୋଇଛନ୍ତି ଯେଉଁ ପଶୁଏ ଯତନେ

ପୁଚ୍ଛିଲେ ତାହାଙ୍କୁ ଯାଇ ସୁଖର ବାରତା ।

ସେ କହିଲେ, ‘‘ଭାଷା ଥାଉଁ ଆମ୍ଭମାନଙ୍କର

ମୂକ ପଶୁ ବୋଲି ନାମ ଜଗତେ ବିଦିତ,

ନ ବୁଝନ୍ତି ନରେ ଆମ୍ଭ ହୃଦୟର କଥା,

ନ ପାଉଁ ଆହାର ଜଳ ବେଳ କାଳ ଜାଣି

ମାତ୍ର ତିଳେ ତ୍ରୁଟି ହେଲେ କର୍ତ୍ତବ୍ୟ କରମେ

ଅଥବା ବିନା ଦୋଷରେ ଲଭୁଁ ଘୋର ଦଣ୍ଡ,

ପୋଷନ୍ତି ଆମ୍ଭଙ୍କୁ ନରେ ନିଜ ସ୍ୱାର୍ଥ ଲାଗି,

ତିଳେ ଯେବେ ସ୍ୱାର୍ଥେ ହାନି ହୁଅଇ ତାଙ୍କର

ତକ୍ଷଣେ ବିଦାୟ ଦାନେ ନୁହନ୍ତି କୁଣ୍ଠିତ,

ଦେଖୁଛ ତ ଏ ଦୁଃଖର ଅବସ୍ଥା ଆମ୍ଭର

ପରାଧୀନ କେବେ କାହିଁ ଲଭିଲାଣି ସୁଖ ?

କିବା ନର କିବା ପଶୁ ଯେ ପ୍ରାଣୀ ସେହେଉ,

ଲଭେ ଯେବେ ସେ କେବଳ ବିମ୍ୱଫଳ ତୁଲ୍ୟ

ବାହାର ସୁନ୍ଦର ମାତ୍ର ଭିତର କଦର୍ଯ୍ୟ ।’’

ଆସିଲି ବିରସେ ତହୁଁ ସଲିଳ ନିକଟେ

ଥିଲେ ତଥି ମଧ୍ୟେ ଯେତେ ଜଳଜନ୍ତୁ କୁଳ

ପଚାରିଲି ‘‘ଆହେ ସୁଖ ଭୋଗୁଛ କି ତୁମ୍ଭେ

ଅହର୍ନିଶ ତାକୁ ରଖି ବାରିରେ ବୁଡ଼ାଇ ?’’

ଉତ୍ତରିଲେ ମତ୍ସ୍ୟଗଣ ଦେଖି ନାହୁଁ ତାକୁ,

ରଖିବୁ କେସନେ ? କ୍ଷୀଣଜୀବୀ ମତ୍ସ୍ୟ ଆମ୍ଭେ

ମାନବ ରସନା ତୃପ୍ତି ନିମନ୍ତେ ଜନମ

ଲଭିଛୁ ଜଗତେ, ନିତି ତାଙ୍କରି ହସ୍ତରେ

ହେଉଥାଇ କୁଳକ୍ଷୟ ଦେଖଇ ନୟନ,

ଆକୁଳ ହୃଦୟେ ନିଜ ପ୍ରାଣ ରକ୍ଷା ପାଇଁ

ଧାଉଁ ଥାଉଁ ବୁଡ଼ି ରହି ଗଭୀର ଜଳରେ,

ମାତ୍ର ଏହି ଜଳେ ପୁଣି ଛନ୍ତି ଆମ୍ଭ ଶତ୍ରୁ

(ଦେଖିଲେ ଯାହାଙ୍କୁ ଭୟେ ଥରନ୍ତି ମାନବେ

ମାରନ୍ତି କୌଶଳେ ପୁଣି ନାନା ଉପାୟରେ)

ପଡ଼ିଯାଉଁ ଯେବେକେବେ ତାଙ୍କ ହାବୁଡ଼ରେ

ଗୋଡ଼ାନ୍ତି ଖାଇବା ଲାଗି ବଦନ ବସ୍ତାରି ।

ଦେଖିବା ନିମନ୍ତେ ରବି-ସୁନ୍ଦର ଆଲୋକ

ଟେକୁଁ ଯେବେ ମଥା ତିଳେ ଭାସିଉଠି ଜଳେ

ଘେନିଯାନ୍ତି ଚିଲା ମାରି ଅରାତି ବିହଙ୍ଗେ,

ଏସବୁ ଚିନ୍ତାରେ ଆମେ ମରୁଥାଉଁ ଦୁଃଖେ;

ଏହାଠାରୁ ବଡ଼ ଭୟ ଅଛି ପୁଣି ଏଥି

ବଡ଼ କିବା ଛୋଟ ଜନ୍ତୁ ସମସ୍ତଙ୍କ ମନେ,

ଶୁଖିଯିବ ଯେବେ ଆମ୍ଭ ଆଶ୍ରୟ ସଲିଳ

କିହେବ ଆମ୍ଭର ଦଶା ଭାଳ ଦେଖି ତୁମ୍ଭେ !

ଶତ୍ରୁହସ୍ତ ବିନା ପ୍ରାଣ ଯିବ ଛଟପଟେ,

ନିରନ୍ତର ମୃତ୍ୟୁ ଯାର ବସିଛି ଶିୟରେ

ଘେନିଯିବା ପାଇଁ ଦେହୁଁ ପ୍ରିୟ ପ୍ରାଣଟିକ

ଦେଖିବ ସେକେହ୍ନେ କହ ସୁଖର ଆନନ ?’’

ଏଅନ୍ତେ ପ୍ରବେଶି ମୁହିଁ କାନନ ଭିତରେ

ପୁଚ୍ଛା କଲି ଗୋଟି ଗୋଟି ଳତିକା ପାଦପେ

‘ସୁଖକୁ ଦେଖିଛ କି ହେ କହ ମୋତେ ବେଗେ’

ସେମାନେ ତାଙ୍କର ପତ୍ର ମର୍ମ୍ମର ଭାଷାରେ

ଜଣାଇଲେ ନିଜ କଥା ଗୋଟି ଗୋଟି କର

‘‘ଖରା ବର୍ଷା ଶୀତ ବାତ ସହି ସଦା ଅଙ୍ଗେ

ପରଲାଗି ରହିଅଛୁ ନୀରବ ନିଶ୍ଚଳେ ।

ଅରପଣ କରି ଫୁଲ ଫଳ ଯଥାକାଳେ

ନିଜେ କଷ୍ଟ ସହି କରୁଅଛୁ ଛାୟାଦାନ,

ତଥାପି ନ କରି ଦୟା ନିଷ୍ଠୁର ମାନବେ

ବିନାଦୋଷେ ଇଚ୍ଛାମତେ କୁଠାର ଆଘାତେ

ଛେଦନ୍ତି ଆମ୍ଭର ତନୁ ଜୀବ ଥାଉଁ ଥାଉଁ

ନ ବୁଝନ୍ତି କେହି ଆମ୍ଭ ମର୍ମ୍ମର ବଚନ,

ଅନୁଭବ କରିବାର ଶକ୍ତି ଆମ ଅଙ୍ଗେ

ଅଛି ବୋଲି କେହି ହେଲେ ନଭାଳନ୍ତି ଥରେ

ଚଳନେ ଅକ୍ଷମ ମୂକ ଜଡ଼ ତରୁ ବୋଲି

ପରିଚିତ ଏ ଜଗତେ ସମାଜ ଆମ୍ଭର,

ରହି ଏହି ଅବସ୍ଥାରେ ଦେଖିବୁ କେସନେ

ସୁଖର ବଦନ ଆମ୍ଭେ ହେ ପଥିକବର ?

ଆମ୍ଭ ଦେହେ ବାସ କରିଅଛନ୍ତି ବହୁତ

ସୁନ୍ଦର ଚଞ୍ଚଳ ସଦା ସ୍ୱାଧୀନ ପ୍ରୟାସୀ

ବିହଙ୍ଗମେ ଉଡ଼ି ବୁଲୁଥାନ୍ତି ଏଣେତେଣେ

ପଚାର ତାହାଙ୍କୁ ସେହି ଦେଖିଥିବେ ଅବା ।’’

ତାଙ୍କ ବାକ୍ୟେ ମୁଁ ପତନ୍ତ୍ରିସମୂହ ସମକ୍ଷେ

କହିଥିଲି ଯାହା, ସେହି ପାଦପମାନଙ୍କୁ

କଲି ତା ପୁନରାବୃତ୍ତି ପୋଷି ମନେ ଆଶା,

‘‘ଶୁଣି ସେ ବୋଇଲେ ତାଙ୍କ କଳକାକଳିରେ

ଉଦର ଚିନ୍ତାରେ ଆମ୍ଭେ ବୁଲୁ ଦିନମାନ

ଆସିଲେ ରଜନୀ ଆସୁ ନୀଡ଼କୁ ବାହୁଡ଼ି,

କିରାତି ଭୟରେ ସଦା ହୋଇଣ ଦୁଃଖିତ

କାଟୁଥାଉଁ କାଳ କାହିଁ ନ ବିଶ୍ରମି ଦଣ୍ଡେ ।

ଉଡ଼ି ଉଡ଼ି ଥକିଯାଏ ଡେଣା ଦୁଇ ଖଣ୍ଡ

ତଥାପି ନିମନ୍ତେ ଦିନେ ପତର ଗହଳେ

ନିର୍ଦ୍ଦୟ ବ୍ୟାଧର ତୀକ୍ଷ୍ମ ଦୃଷ୍ଟିକି ଏଡ଼ାଇ,

ଚଉଦିଗେ ଆଖି ତାର ଭ୍ରମେ ନିରନ୍ତର,

ବସେ ଯେହୁ କ୍ଷଣେ କାହିଁ ଶ୍ରମଶାନ୍ତି ପାଇଁ

ବାଜେ ଆସି ଦେହେ ତାର ଅଠାକାଠିମୁନ,

ତକ୍ଷଣେ ସେ ବ୍ୟାଧ ହସ୍ତେ ଯାଏ ଯମପୁର

ଅଥବା ପିଞ୍ଜରେ ପଶେ ଚିରଦିନ ଲାଗି,

ଏତିକିରେ ତୃପ୍ତ ନୋହି ନିର୍ଦ୍ଦୟ ଶବର

ଫାଶ ବସାଇ ଦେଖାଇ ଆହାରର ଲୋଭ

ପ୍ରବଞ୍ଚନା କରି କେତେ ଘେନିଯାଏ ଧରି,

ଏହିପରି କେତେ ଆମ୍ଭ ସଙ୍ଗୀଙ୍କ ଦୁର୍ଦ୍ଦଶା

ହୋଇଅଛି ଦେଖିଅଛୁ ବେନି ନୟନରେ ।

ଏ ତ ଗଲା ଦିନକଥା, ପୁଣି ରଜନୀରେ

ବିନିଦ୍ର ହୋଇଣ ବସୁ ଭୁଜଙ୍ଗମ ଡରେ,

ହୋଇଲେ ଅସାବଧାନ କିଞ୍ଚିତ ମାତର

ପତନେ ନ ରହେ ବାକି ଉରଗ-ଉଦରେ,

ଭକ୍ଷିବା ନିମନ୍ତେ ଦୁଷ୍ଟ ଭୃଜଙ୍ଗମାନଙ୍କୁ

ଜନ୍ମିଥିଲେ ଆମ୍ଭ ବଂଶେ ଜଣେ ମହାବଳୀ

ଗରୁଡ଼ ତାଙ୍କର ନାମ ବିଦିତ ଜଗତେ;

ମାତ୍ର କରିବାରୁ ସେହି ଶ୍ରୀହରିଙ୍କ ସେବା

ପରମାର୍ଥ ଲଭି ଏବେ ଅଛନ୍ତି ବୈକୁଣ୍ଠେ,

ହେଲେଣି ଏ ସର୍ପମାନେ ତେଣୁ ବଳୀୟାର

ଖାଆନ୍ତି ଦିବସେ ଆମ୍ଭ ଶାବକମାନଙ୍କୁ

ଆସନ୍ତି ରାତିରେ ଆଶା ରଖି ଆମ୍ଭଠାରେ,

ଥିବାରୁ ସତର୍କ ଉଡ଼ି ପଳାଉ ବିକଳେ;

ଏହିପରି ସବୁ ଆମ ଦୁଃଖର କାହାଣୀ

କେତେବା ଗାଇବୁ, ଆଉ ଦେଖିବୁବା କାହୁଁ

ଆନନ୍ଦ ଆଧାର ସେହି ସୁଖର ମୂରତି ?’’

ଶୁଣି ଏହା ତାଙ୍କ ପାଶୁଁ ଆସିଲି ଲେଉଟି

ନିବିଡ଼ କାନନେ ପଶି ସେ ବନପଶୁଙ୍କୁ

ପଚାରିଲି କହିବାକୁ ସୁଖର ଉଦ୍ଦେଶ;

ସେ ବୋଇଲେ ‘‘ଅଛୁ ଏଥୁ ବହୁତ ପରାଣୀ

ସାନଠାରୁ ବଡ଼ ଯାଏ ଏକୁଁ ଏକ ବଳୀ,

ଡରି ତାକୁ ଯେ ଯାହାଠୁଁ ବଳେ ବଳୀୟାର

ରହିଥାଉଁ ଲୁଚି ଦିନେ ନହୋଇ ବାହାର,

ଆହାର ଲୋଡ଼ିବା ପାଇଁ ରଜନୀ ଅନ୍ଧାରେ

ସତର୍କ ଚରଣ କ୍ଷେପେ ଗହନୁ ବାହାରି

ଭ୍ରମୁ ଯେବେ ସେହିକ୍ଷଣେ ଦୁର୍ବଳ ଜୀବକୁ

ଭକ୍ଷଇ ପ୍ରବଳ ଯେହୁ ଅଟେ ଯାର ଭକ୍ଷ୍ୟ,

ଏଥୁଁ ଆନ ହେଲେ କାଳ କଟେ ଉପବାସେ;

ଏହି ଦୁଖେଃ ମରୁ, ପୁଣି ଏହାଠାରୁ ବଳି

ଆସଇ ମଡ଼କ କେବେ କେବେ ସଭିଙ୍କର

ତାହାର ବିଧାନକର୍ତ୍ତା ଅଟନ୍ତି ମାନବେ-

ଦଳେ ଦଳେ ନର ଧରି ହସ୍ତେ ନାନାଅସ୍ତ୍ର

ଆମୋଦ ଲଭିବା ଲାଗି ଆସନ୍ତି ଏ ବନେ,

ଭୀଷଣ କୁହାଟେ ତଡ଼ି ବାସରୁ ଆମ୍ଭଙ୍କୁ

ପ୍ରହାରି ଦାରୁଣ ଅସ୍ତ୍ର ଘେନନ୍ତି ଜୀବନ;

ତାଙ୍କପରି ଦେହପ୍ରାଣ ଲଭିଛୁ ତ ଆମ୍ଭେ

ଅଛି ଆମ୍ଭ ହୃଦୟରେ ଦୟା ମାୟା ସ୍ନେହ

ସନ୍ତାନ ବାତ୍ସଲ୍ୟ ପୁଣି ପ୍ରୀତି କୃତଜ୍ଞତା;

ମାତ୍ର ଏହା ନ ବୁଝନ୍ତି ନିର୍ଦ୍ଦୟ ମାନବେ

ମୂକ ପଶୁ ବୋଲି ସଦା କରି ହେୟଜ୍ଞାନ

ଜୀବନ ଆମ୍ଭର ଘେନି ଲଭନ୍ତି ଆନନ୍ଦ;

ଏକ ମୃତ୍ୟୁ ଯନ୍ତ୍ରଣାରେ ହୋଏ ଛଟପଟ

ଆନ ତା ଦେଖି ଭୋଗଇ ନିଷ୍ଠୁର ଆମୋଦ;

ଏହି ଆମ୍ଭ ଭାଗ୍ୟଲେଖା ସହୁଛୁ ନୀରବେ

କହିବୁ କା ଆଗେ ! ତୁମେ ପଚାରିଲ ବୋଲି

ସୁଖର ବାରତା, ତାର ଭୂମିକା ସ୍ୱରୂପ

ଶୁଣିଲ ଏତକ ମାତ୍ର ସେ ସୁଖର ରୂପ

ଦେଖିନାହୁଁ ଆଜିଯାଏ ଶୁଣିନୁ ତା କଥା ।’’

ଶୁଣି ତାଙ୍କର ଏ ବାଣୀ ବିଚାରିଲି ମନେ

‘‘ପୃଥିବୀଟା ଯାକ ମୁଁ ତ ଭ୍ରମିଣ ଆସିଲି

ଅଛନ୍ତି ଜଗତ ମଧ୍ୟେ ଯେତେ ପ୍ରାଣୀ ରହି

ସମସ୍ତେ କହିଲେ ସୁଖ ନାହିଁ ତାଙ୍କ ପାଶେ ।

କି ଆଶ୍ଚର୍ଯ୍ୟ ! ସୁଖ ଯେବେ ନାହିଁ ମର୍ତ୍ତ୍ୟଭୂମେ

କେଉଁଠୁ ଆସିଲା ତାର ନାମ ଏ ଧରାକୁ ?

ଅଛଇ କି ନାଗଲୋକେ ତେବେ ସେହି ସୁଖ

ରଖିଛନ୍ତି ବାନ୍ଧି ତାଙ୍କ ପାଶେ ନାଗଗଣେ ।

ଯାଏଁ ତେବେ ଆଶା ଧରି ନିକଟେ ତାଙ୍କର

ଦେଖି ମୁଁ ଆସିବି ତହୁଁ ସୁଖର ସ୍ୱରୂପ ।

ଏତେ ପାଞ୍ଚି ବାନ୍ଧି ହୃଦ ଅସୀମ ସାହସେ

ପ୍ରବେଶିଲି ନାଗଲୋକେ ଦେଖିଲି ସେଠାରେ

ହେଉଛନ୍ତି ଭେଳା ଭେଳା ନାନାଜାତି ନାଗ,

ପୁଚ୍ଛିଲି ତାହାଙ୍କୁ ଧୀର ମଧୁର ବଚନେ

‘‘ଅଛିକି ହେ ତବରାଜ୍ୟେ ସୁଖ କରି ଘର ?

କରୁଛ କି ଭୋଗ ତାକୁ ମିଳି ଅନୁକ୍ଷଣ ?

ନିଜ ବଳେ ଯେବେ ତାକୁ ଲଭିଅଛ ତୁମ୍ଭେ

ରଖିଥାଅ ସେଥିଲାଗି ନାହିଁ ମୋ ଆପତ୍ତି,

ତେବେ ଏତିକି ମୋ ବାଞ୍ଛା ଅନୁକମ୍ପା କରି

ଦେଖାଅ ତାହାର ରୂପ ମୋ ବେନିନୟନେ;

ପୁରୁ ମୋ କାମନା ଦେଖି ମୂରତି ତାହାର

କେମନ୍ତ ସେ କି ଅମୃତେ ଗଢ଼ା ତାର ତନୁ,

ଯାହା ଲାଗି ଏତେ ପଥ ଆସିଅଛି ଧାଇଁ ।’’

ଶୁଣି ମୋର ଏ ବଚନ ମିଳି ନାଗଗଣେ

ଉତ୍ତରିଲେ ସମସ୍ୱରେ ‘‘ହେ ଭ୍ରାନ୍ତ ମାନବ !

କି ଭ୍ରାନ୍ତିରେ ପଡ଼ି ଧାଇଁ ଆସିଛ ଏ ସ୍ଥାନେ ?

କିବା ବୀର୍ଯ୍ୟେ କି ବୁଦ୍ଧିରେ ଈଶ୍ୱର ତୁମ୍ଭଙ୍କୁ

ଗଢ଼ିଛନ୍ତି ସବୁ ପ୍ରାଣୀ ଠାରୁ ଶ୍ରେଷ୍ଠ କରି,

ଦେଇଛନ୍ତି ହୃଦୟରେ ଅସୀମ ସାହସ

ସେହି ଗୁଣେ ଜୁର କରି ଶତ୍ରୁର ଜୀବନ

କିବା ସାନ କିବା ବଡ଼ ସବୁ ପ୍ରାଣିଗଣେ

ବଶ କରି ଜୟ କରି ନିଜ କ୍ଷମତାରେ

ନିଷ୍କଣ୍ଟକେ କରୁଅଛ ବାସ ଧରଣୀରେ,

ତଥାପି ନ ଦେଖି ତହିଁ ସୁଖର ମୂରତି

ଆସିଛ ଦେଖିବା ଲାଗି ପାତାଳ ଅନ୍ଧାରେ ?

ଆମ୍ଭେ ତ ଅକ୍ଷମ ଜୀବ ହସ୍ତପଦହୀନ

ଘୁଷୁରି ଘୁଷୁରି ଧୀରେ ଚାଲୁ ଧରଣୀରେ,

ଲଭିଲେ ସୁଯୋଗ ହେଉଁ ବିଲରୁ ବାହାର

ଆହାର ଲୋଡ଼ିବା ଲାଗି ଅତି ସତର୍କରେ,

ଆମ୍ଭଙ୍କୁ ଦେଖିବାକ୍ଷଣି ନିର୍ଦ୍ଦୟ ମାନବେ

ଆସନ୍ତି ଗୋଡ଼ାଇ ଶୀଘ୍ର ନେବାକୁ ଜୀବନ,

ବିକଳେ ମରିବା ଭୟେ କାମୁଡ଼ୁ ତାହାଙ୍କୁ,

ନହେଲେ ଜୀବନଯାଏ ତାଙ୍କ ଯଷ୍ଟ୍ୟାଘାତେ,

ବିନା କାରଣରେ ଆମ୍ଭେ କାହାରି ଅନିଷ୍ଟ

ନକରୁ କେବେହେଁ, ମାତ୍ର ବୋଲନ୍ତି ସମସ୍ତେ

ସର୍ବଦା ଆମ୍ଭଙ୍କୁ ବଡ଼ ମନ୍ଦ ମନ୍ଦ ବୋଲି ।

ସବୁଠାରୁ ବଡ଼ ଶତ୍ରୁ ମାନବ ଆମ୍ଭର

ଗୋଡ଼ାଇ କରନ୍ତି ଆମ୍ଭ ବଂଶକୁ ନିପାତ,

ଥିଲେ ଥରେ ଧରଣୀରେ ପରୀକ୍ଷିତ ନାମେ

ରାଜା ଏକ, ୠଷିଶାପେ ତାଙ୍କର ପରାଣ

ଯାଇଥିଲା ଆମ୍ଭ ବିଷ ଦାନ୍ତର ଆଘାତେ,

ସେଥିଲାଗି ତାଙ୍କ ପୁତ୍ର କରି ସର୍ପଯଜ୍ଞ

ବହୁତ ଆମ୍ଭ ଗୋତ୍ରରୁ ମାରିଥିଲେ ପୋଡ଼ି;

ମାତ୍ର ଆମ୍ଭ କୁଳୁଁ ଏକ କନ୍ୟାଙ୍କ ଗର୍ଭରୁ

ଜାତ ହୋଇଥିଲା ଏକ ମାନବ ଔରସେ

ପୁତ୍ରୋତ୍ତମ ନାଗଜାତି ଜୀବନରକ୍ଷକ

ତାର ଲାଗି ବରତିଲେ ବାକି ସର୍ପଗଣ;

ସେହି ଦିନୁ ଦୁଷ୍ଟ ନରଗଣଙ୍କ ଭୟରେ

ରହିଥାଉଁ ଲୁଚି ବିଲେ ନିବିଡ଼ ଅନ୍ଧାରେ

ଏ ପାତାଳପୁରେ, ମାତ୍ର ଆମ୍ଭ ଖାଦ୍ୟଦ୍ରବ୍ୟ

ନ ମିଳଇ କିଛି ଏଥି ଥାଉ ବଡ଼ ଦୁଃଖେ

ଅନ୍ଧକାରେ ଅନାହାରେ କଟାଇ ଦିବସ;

ଏସନ ଯାହାର ସ୍ଥିତି ତାଙ୍କର ନିକଟେ

କେମନ୍ତେ ରହିବ ସୁଖ ବୁଝ ହେ ମାନବ !’’

ଫେରିଲି ନିରାଶେ ତହୁଁ ଶୁଣି ଏ ବଚନ

ପୁଣି ଉପଗତ ହେଲି ଆସି ଧରାପରେ,

ବିଚାରିଲି ମନେ ‘‘ଆଉ ରହେ କାହିଁ ସୁଖ !

ନାହିଁ ଏ ମର୍ତ୍ତ୍ୟ ଭୁବନେ ନାହିଁ ନାଗଲୋକେ

ଅଛଇ କି ତେବେ ଏହି ଊର୍ଦ୍ଧ୍ୱେ ସୀମାହୀନ

ନୀଳ ଗଗନର ଦିବ୍ୟ ଜ୍ୟୋତିମୟ ସ୍ଥଳ

ତପନ ତାରକା ଶଶୀ ବିହାର ଅୟନେ ?

ଯାଏଁ ତେବେ ତାଙ୍କ ପାଶେ ସୂକ୍ଷ୍ମ ରୂପ ଧରି

ଦେଖି ଆସେ ସୁଖ ତହୁଁ ନିକଟୁ ତାଙ୍କର ।’’

ଏତେ ଭାଳି ଚିତ୍ତେ ମୁହିଁ ଗଲି ତ୍ୱରା ହୋଇ

ପବନରୁ ଗତିଶୀଳ ମନ-ଯାନେ ଚଢ଼ି,

ପ୍ରବେଶିଲି ଯାଇ ଜ୍ୟୋତିର୍ମୟ ଧ୍ରୁବଲୋକେ,

ଦେଖିଲି ସେଠାରେ ତେଜେ ଏକୁଁ ଏକବଳି

ଯେଝା କେନ୍ଦ୍ରେ ସ୍ଥିତ ହୋଇ ଅଗଣିତ ଗ୍ରହ

ଘୂରୁଛନ୍ତି ଅହର୍ନିଶ ନିଜ ନିଜ କକ୍ଷେ;

ଜିଜ୍ଞାସିଲି ତାଙ୍କୁ ମୁହିଁ ‘‘ହେ ଜ୍ୟୋତିଷ୍କପୁଞ୍ଜ !

ଝଟକାଇ ଅମ୍ୱରରେ ମହୋଜ୍ୱଳ ଆଭା

କରୁଛ ତ ଅନୁକ୍ଷଣ ଊର୍ଦ୍ଧ୍ୱରେ ବିହାର,

ଶୁଣିଥିବ ସୁଖ ବୋଲି ଅଛି ନାମ ଏକ,

ଦେଖିଛକି କେବେ ହେଲେ ସ୍ୱରୂପ ତାହାର

ଅଥବା ସେ ତବ ପାଶେ ପଡ଼ିଅଛି ବନ୍ଧା !

ଥାଏ ଯେବେ ଦେଖିବାକୁ କେମନ୍ତ ତା ରୂପ,

ଏତେ ପଥ ଅତିକ୍ରମି ଆସି ଅଛି ଧାଇଁ

ବହୁ ଦୁଃଖ ସହି ତବ ଉଜ୍ଜ୍ୱଳ ଆଲୋକେ,

ଦେଖାଅହେ ଥରେ ମୋତେ ମୂରତି ତାହାର

ସାର୍ଥକ ହେଉ ମୋ ଯାତ୍ରା ଯାଏଁ ତୋଷ ହୋଇ ।’’

ଏ ବଚନ ମୋହଠାରୁ ଶୁଣି ସେହିମାନେ

ଉତ୍ତରିଲେ ‘‘ଶୁଣ ଆହେ ମର୍ତ୍ତ୍ୟର ମାନବ !

ଯାହାଲାଗି ଏତେ ପଥ ଆସିଅଛ ଧାଇଁ

କାହିଁ ସେ ଆମ୍ଭ ନିକଟେ ? ଆମ୍ଭେ ତ ସର୍ବଦା

ବିନା ଅବଲମ୍ୱେ ଭ୍ରମି ମରୁଅଛୁ ଶୂନ୍ୟେ,

ଅନୁକ୍ଷଣେ ଭୟମନେ, ତିଳେ କେନ୍ଦ୍ରଚ୍ୟୁତ

ହେଲେ ପଡ଼ିବୁ ଧରାରେ ତେଜଃପୁଞ୍ଜ ତେଜି

ନ ରହିବ ଆଉ ଏହି ଶୋଭାମୟ ରୂପ,

ପରଶି ଧରାର ଉଷ୍ମ କ୍ଳେଦପୂର୍ଣ୍ଣ ବାୟୁ,

ପରିଣତ ହୋଇଯିବୁ କଠିନ ଶିଳାରେ;

ଏହି ଦୁଃଖେ ସାବଧାନେ ରହୁ ଦିବାନିଶି

ସୁଖ ମୁଖ ଦେଖିବାକୁ କାହିଁ ଅବସର ?’’

ସେଠାରୁ ଏ କଥା ଶୁଣି ଚଳିଲେ ମଉନେ

ପ୍ରବେଶିଲି ଦେବଲୋକେ ସୁଧର୍ମା ସଭାରେ

ଦେଖିଲି ଭାସ୍ୱର ମଣିମୟ ସିଂହାସନେ

ଦେବଙ୍କ ମଧ୍ୟରେ ବସିଅଛନ୍ତି ମଘବା,

ତେଜୋମୟ ଅଙ୍ଗେ ଶୋଭେ ଉଜ୍ଜ୍ୱଳ ବସନ

ଶିରେ ଝଟକେ ମୁକୁଟ ଜିଣି ରବିପ୍ରଭା,

ପାଶେ ବିରାଜିତା ଶଚୀ ଅନନ୍ତଯୌବନା

ଉଜ୍ଜ୍ୱଳି ସେ ସଭା ତନୁ କନକଛଟାରେ,

ରସାଣ ହାଟକ ପ୍ରାଏ ଶ୍ରୀମୁଖ ଝଟକ

ସ୍ମିତ ହାସ ଶୋଭା ତାର ବଢ଼ାଏ ଅଧିକ,

ଚଉପାଶେ ସୁରଗଣ ବସିଛନ୍ତି ବେଢ଼ି

ଯେ ଯାହା ଯୋଗ୍ୟାନୁଯାୟୀ ଲଭିଣ ଆସନ,

ହୋଇଥିଲେ ନୃତ୍ୟେ ରତ ଅପସରୀବାର

ସୁନୃତ୍ୟ-କଳା କୁଶଳା ଅମର-ମୋହିନୀ,

ବାୟକ ଗନ୍ଧର୍ବ ବାଦ୍ୟତାଳେ ରଖି ତାଳ

ଗାଇ ଦିବ୍ୟ ଗାନ ସୁଧା ମିଶାଇ ସେ ସ୍ୱରେ ।

ଦେଖି ତାହା ହେଲା ମୋର ନୟନ ସାର୍ଥକ

ବିସୋରିଲି କେଉଁ କାର୍ଯ୍ୟ ମୋର ଆଗମନ

ଏହିକାଳେ ସୁରେଶଙ୍କ ଇଙ୍ଗିତେ ସ୍ଥକିତ

ହେଲା ସେ ଅପୂର୍ବ ନୃତ୍ୟ ଅମର ସଙ୍ଗୀତ

ଏଅନ୍ତେ ଆଦେଶଦେଲେ ଦେବେ ପୁରନ୍ଦର

ଗୋଚରାର୍ଥେ ସେ ଦିନର ଧରା ହାଲଚାଲ,

ଜଣାଇଲେ ତାଙ୍କ ପାଶେ ଜଣ ଜଣ ହୋଇ

ସମ୍ପାଦିଥିଲେ ଯେ ଯାହା ଯେଝା କରଣିରେ;

ଶୁଣି ତାଙ୍କଠୁଁ ସମସ୍ତ ପୁଲୋମଜାପତି

ଆଉ ଯାହା କରିବାକୁ ହେବ ସେମାନଙ୍କୁ

ଭାବି ଚିନ୍ତି ଜଣେ ଜଣେ କହିଲେ ବୁଝାଇ;

ମର୍ତ୍ତ୍ୟ କଥା ତାଙ୍କ ମୁଖୁଁ ଶୁଣି ମୋର ମନେ

ପଡ଼ିଗଲା କି ଲାଗି ମୁଁ ଆସିଛି ଏଠାକୁ,

ତାଙ୍କର ଆଦେଶ ଶେଷେ ଧୀରେ ଧୀରେ ଯାଇ

ଉଭା ହେଲି ଶଚୀ ଶଚ-ପତିଙ୍କ ସମ୍ମୁଖେ,

ଦେଖି ମୋତେ ସେବେନିଏ ହେଲେ ଆଚମ୍ୱିତ

ଥିଲେ ଯେତେ ତହିଁ ଦେଗଗଣଙ୍କ ସହିତେ,

ପୁଚ୍ଛିଲେ ମହେନ୍ଦ୍ର ଧୀରେ ‘‘ହେ ବୃଦ୍ଧମାନବ !

କେମନ୍ତେ କି ଲାଗି ତୁମ୍ଭେ ଆସିଲ ଏସ୍ଥଳେ ?

କହ ହେ ବୁଝାଇ, ଅତି ଲାଗଇ ବିସ୍ମୟ;

ଯୁଧିଷ୍ଠିର ନାମେ ଏକ ସତ୍ୟବନ୍ତ ନୃପ

ଥିଲେ ଧରଣୀରେ, ସେହି ମସିଲେ ଏସ୍ଥଳେ

ନରଦେହ ବହି ଚଢ଼ି ପୁଷ୍ପକ ବିମାନେ,

ତାଙ୍କ ବିନୁ ଆସିଛି କେ ନ ପଡ଼ଇ ମନେ

ଏ ଅମରଧାମେ ବହି ନର ଅପଘନ ।’’

ମୁଁ ବୋଇଲି ‘‘ହେ ଦେବେଶ, ଶୁଣ ମୋ ବଚନ

ଆସିନାହିଁ ମୁଁ ଏ ରାଜ୍ୟେ ଚିରଦିନ ଲାଗି,

କେବଳ ଦଣ୍ଡକ ପାଇଁ କଳ୍ପନା ବଳରେ

ପ୍ରବେଶିଛି ତବ ପୁରେ ମନୋରଥେ ଚଢ଼ି

ମନର ସଂଶୟ ଜାଲ ବିଚ୍ଛିନ୍ନ ନିମନ୍ତେ,

ଏତିକି ପ୍ରାର୍ଥନା-ତିଳେ ଅନୁକମ୍ପା କରି

ପୁଚ୍ଛିବି ଯା ଦେବା ହେଉ ଯଥାର୍ଥ ଉତ୍ତର,

ଦେଖୁଛି ତ ଛନ୍ତି ଏଥି ସର୍ବ ଦେବଗଣ,

ସଭାମଧ୍ୟେ ପୂଜ୍ୟ ଯେହୁ ମାନବ ସମାଜେ

ମାତ୍ର ସେ କାହାନ୍ତି ସୁଖନାମ ଯାହାଙ୍କର ?

ଦୁର୍ଲ୍ଲଭ ଅଟନ୍ତି ସେହୁ ବସୁମତୀ କୋଳେ,

ଦେଖିବାକୁ ଥରଟିଏ ତାଙ୍କୁ ଇଚ୍ଛା ମୋର,

ଏତେଦିନେ ନ ପାଇଲି କାହିଁ ତାଙ୍କ ଭେଟ

ଖୋଜି ଖୋଜି ବିଶ୍ୱସାରା ହେଲିଣି ଅବଶ,

ବହୁ ଦମ୍ଭ ଧରି ମନେ ଆସିଛି ଏଥକୁ

ସ୍ୱରୂପ ତାଙ୍କର ଥରେ ଦେଖି ଯିବିବୋଲି

ଦେଖାଅ କରୁଣା କରିଥିଲେ ସେ ଏଦେଶେ’’

ଉତ୍ତରିଲେ ଦେବରାଜ ‘‘ଶୁଣ ହେ ମନୁଜ !

ଧରଣୀର କାର୍ଯ୍ୟ ଲାଗି ଦେବତାଙ୍କ ସୃଷ୍ଟି

ପୂଜନ୍ତି ଯାହାଙ୍କୁ ନରେ ବଡ଼ ମଣି ମନେ,

ନ ବୁଝନ୍ତି ଅଟନ୍ତି ସେ କିଙ୍କର ତାଙ୍କର

ଖଟୁଛନ୍ତି ଦିବାନିଶି ତାଙ୍କରି ସକାଶେ,

ବିଶ୍ୱ ମଙ୍ଗଳାର୍ଥେ ବିଶ୍ୱପିତାଙ୍କ ଆଦେଶେ

ପାଳୁଛନ୍ତି ବିଧିମତେ କଠୋର କର୍ତ୍ତବ୍ୟ,

ତଥାପି ଅହିତ ତିଳେ ଧରାବାସୀଙ୍କର

ଘଟିଲେ କି ଲାଗି ଦୋଷ ନାନା ପରକାରେ

ଦେଉଥାନ୍ତି ଅହର୍ନିଶ ଦେବତାମାନଙ୍କୁ,

ଲଭନ୍ତି ଯେ ପୂଜା ଦେବେ ମାନବଙ୍କ ପାଶୁ

ତହୁଁବଳି ବୋଧେ ତାଙ୍କ ଦତ୍ତ ଅପବାଦ,

ସହନ୍ତି ନୀରବ ଦୁଃଖେ ତାହା ଦେବତାଏ

ନାହିଁ ତାର ପ୍ରତୀକାର ତାଙ୍କ କ୍ଷମତାରେ,

କି କରିବେ, ବିଭୁଙ୍କର ଅଲଙ୍ଘ୍ୟ ଆଦେଶେ

କରନ୍ତି ସେ କର୍ମ ହୋଇ ନିୟମେ ଚାଳିତ,

ଯା କିଛି ସୁନ୍ଦର ଅବା ବିଚିତ୍ର ଅତ୍ୟନ୍ତ

ଧରଣୀକୁ ବିଭୁ ତାହା କରିଛନ୍ତି ଦାନ,

ତେଣୁ ଆମ୍ଭେ ଭାଳୁ ସୁଖ ଅଛି ଧରାପୃଷ୍ଠେ,

ତହିଁ ନ ଲଭିଲି ଯେବେ ତାର ଦରଶନ

ନାହିଁ ସେ ଏଠାରେ, ପୁଚ୍ଛ ପିତାମହେ ଯାଇ

ରଖିଥିବେ ଯହିଁ ତାକୁ କହିବେ ତୁମ୍ଭକୁ ।’’

ତାଶୁଣି ମୁଁ କ୍ଷୁଣ୍ଣମନେ ତେଜି ଦେବଭୋଗ୍ୟା

ଦେବଙ୍କ ନିବାସସ୍ଥଳୀ ଅମରାବତୀକୁ

ଉଠିଲି ଉର୍ଦ୍ଧ୍ୱକୁ ଯହିଁ ରାଜନ୍ତି ସ୍ୱୟମ୍ଭୁ

ସତ୍ୟଲୋକେ ଉଜ୍ଜ୍ୱଳେ ଯେ ସତ୍ୟର ଆଲୋକେ

ପ୍ରବେଶେ ଅକ୍ଷମ ତହିଁ ମିଥ୍ୟା ମଳିନତା,

କୋଟି ଚନ୍ଦ୍ର ମୟୂଖକୁ ଜିଣି ତାର ପ୍ରଭା

ନ ଦିଏ ନୟନେପୀଡ଼ା ସେ ସ୍ନିଗ୍‌ଧ ଆଲୋକ,

ଦେଖିଲି ସେ ରାଜ୍ୟେ ମିଳି ବ୍ରହ୍ମର୍ଷି ସକଳ

ପବିତ୍ର ବେଦାଧ୍ୟୟନେ ହୋଇଛନ୍ତି ରତ,

ଅଙ୍ଗୁ ତାଙ୍କ ଜ୍ୟୋତୀରାଶି ହେଉଛି ନିର୍ଗତ,

ମଧ୍ୟ ସ୍ଥଳେ ସମାସୀନ କମଳ ଆସନେ

କମଳନନ୍ଦନ କରେ ଶୋଭେ ଚତୁର୍ବେଦ,

ବିଶଦ ବଦନ ଦିବ୍ୟ କାନ୍ତିରେ ଭାସ୍ୱର,

ଶୋଭୁଅଛି ଶ୍ରୀଅଙ୍ଗରେ ପୂତ ଯଜ୍ଞସୂତ୍ର

ଯେସନେ ହିମାଦ୍ରି ଅଙ୍ଗେ ସୁରଧୁନୀ ହାର;

ପ୍ରାଣମାନ୍ତେ ଉଭା ହୋଇ ସମକ୍ଷେ ତାଙ୍କର

ବୋଇଲି ମୁଁ ‘‘ହେ ବିରଞ୍ଚି ଜାଣ ତ ସକଳ

ଧରଣୀର ସମାଚାର କି କହିବି ଆଉ !

ରୋଗ ଶୋକ ତାପେ ଧରା ହୋଛି ଆଚ୍ଛନ୍ନ

ଦୁର୍ଲ୍ଲଭ କେବଳ ତହିଁ ସୁଖର ମୂରତି,

ଜୀବନରେ ବହୁ ବାର ଶୁଣିଛି ଶ୍ରବଣେ

ସୁଖ ନାମେ ବସ୍ତୁ ଏକ ସୃଜିଛ ଆପଣ,

ଭ୍ରମି ଆସିଲିଣି ମୁଁ ତ ଏ ବ୍ରହ୍ମାଣ୍ଡ ସାରା

ଏତେ ଦିନେ ଥରେ ତାର ନପାଇଲି ଭେଟ;

ରଖିଛ ତାହାକୁ କାହିଁ କହି ମୋତେ ବାରେ

ଛିନ୍ନକର ମନୁ ମୋର ଗଭୀର ସନ୍ଦେହ;

ଅଥବା ସେ ଦେଖି ଏହି ପ୍ରଭାମୟ ପୁର

ଅଛି ଏଥି ସୃଷ୍ଟି ଦିନୁ କେଣିକି ନ ଯାଇ,

ଦେଖାଅ ବାରେକ ମତେ ବଦନ ତାହାର,

ସାର୍ଥକ ହେଉ ମୋ ଏତେ ପଥ ଆସିବାର,

ସଫଳତା ଆନନ୍ଦରେ ଫେରିବି ନିଶ୍ଚିନ୍ତେ ।’’

ସହାସ୍ୟ ବଦନେ ଧୀର ଗମ୍ଭୀର ବଚନେ

ବୋଇଲେ ହୀରଣ୍ୟଗର୍ଭ ‘‘ଶୁଣ ହେ ମାନବ

ଯା କିଛି ହୋଇଛି ସୃଷ୍ଟି ଧରିତ୍ରୀ ନିମନ୍ତେ,

ସକଳ ତାହାରି କୋଳେ ହୋଇଛି ଅର୍ପିତ

ସୁଖ ଅବା ଦୁଃଖ କିଛି ନାହିଁଏ ଭୁବନେ;

ସୁଖ ଦୁଃଖ ପାପ ପୁଣ୍ୟ ପ୍ରେମ ପ୍ରୀତି ଆଦି

ଭ୍ରମନ୍ତି ଅବନୀ ବକ୍ଷେ ଯେ ଯାହାର ଯୋଗ୍ୟ,

ଲଭିଲେ ଆସନ ତହିଁ ରଚନ୍ତି ଆବାସ,

ମାତ୍ର ଯାହା କଷ୍ଟକର ପ୍ରାଣୀଙ୍କ ନୟନେ

ପତିତ ହୋଏ ସେ ଅଗ୍ରେ, ମଣନ୍ତି ତାହାକୁ

ଚିରସ୍ଥାୟୀ ପରି ଜୀବେ, ସୁଖର ତରଳ

ମୂର୍ତ୍ତି ଦେଖୁ ଦେଖୁ ହୋନ୍ତି ନଦେଖିଲାପରି,

ପୁଣି ସେ ଅଟଇ ଯେଣୁ ଆନନ୍ଦଦାୟକ

କ୍ଷଣପରି ମଣନ୍ତି ତା ଦୀର୍ଘ ଅବସ୍ଥାନେ,

ଅମୂର୍ତ୍ତ ସୃଜନ ସେହୁ ଅନୁଭବଯୋଗ୍ୟ

ଯାଅ ତୁମେ ମର୍ତ୍ତ୍ୟ ଧାମେ ନିଅ ତା ସନ୍ଧାନ,

ଦେଖିବ ନୟନେ ତାର ଅମୃତ ମୂରତି,

ଏତେ ପଥ ଶ୍ରମ ତବ ନହେବ ବିଫଳ,

ହୃଦୟେ ବିଶ୍ୱାସ ରଖ ଏ ମୋର ବଚନେ

ଏ ସତ୍ୟଲୋକରେ ନାହିଁମିଥ୍ୟା ପ୍ରବଞ୍ଚନା ।’’

ଶୁଣି ଏ ସମ୍ବାଦ ଧୀରେ ନମି ତାଙ୍କ ପଦେ

ଶୂନ୍ୟ ସରଣୀରେ ଖସି ଆସିଲି ମୁଁ ତହୁଁ,

କିଛି କ୍ଷଣ ଏହି ମତେ ଶୂନ୍ୟପଥେ ଆସି

ପରଶିଲା ପାଦ ମୋର ହିମାଦ୍ରି ଶିଖର,

ଠିଆହୋଇ ତହିଁଦଣ୍ଡେ ଚାହିଁଲି ଚୌଦିଗେ

ଭୁଲିଲି ନିଜକୁ ଶୋଭା ଦେଖି ସୁମେରୁର,

ତା ରୁଦ୍ର ସୁନ୍ଦର ରୂପେ ଭରିଗଲା ମନ,

ଅହୋ କି ବିରାଟ ରୂପ କି ମହାନ ଶୋଭା !

କେତେ ଦିନେ କିଏ ୟାକୁ ନିର୍ମାଣିଲା ବସି !

ଏହାର ନିର୍ମ୍ମାତା ଯେହୁସେ କେଡ଼େ ମହତ !

ଦର୍ଶନେ ଏ ଭାବ ସ୍ୱତଃ ଜାଗଇ ହୃଦୟେ;

ଯେତେ ଦୂରେ ଚଳେ ଆଖି ଶିଳୋଚ୍ଚୟବିନା

ନ ଦିଶେ କିଛି ହିଁ ଆଉ ସେ ତୁଙ୍ଗ ଶିଖରୁ,

ସେ ଶିଖର ରାଜ ଶୃଙ୍ଗେ ଚାହିଁ ଆପଣାକୁ

ପିପୀଲିକାଠାରୁ କ୍ଷୁଦ୍ର ମନେ ହେଲା ମୋର,

ଧୀରେ ଧୀରେ କଲି ତହୁଁ ମୁଁ ଅବତରଣ

ବିଷମ ବନ୍ଧୁର ପଥେ ଅତି ସାବଧନେ,

ଆସୁ ଆସୁ ପଥେ ଗଲା କେତେ ଦିନ ବହି,

ଜନ ପ୍ରାଣୀଟିଏ ମୋର ନ ପଡ଼ିଲେ ନେତ୍ରେ,

କେବଳ ଚୌଦିଗେ ମୋର ଅଭ୍ରଭେଦୀ ଗିରି

ଉଠିଛନ୍ତି ଊର୍ଦ୍ଧ୍ୱୁ ଊର୍ଦ୍ଧ୍ୱେ ନଭସ୍ପର୍ଶ ଆଶେ,

କ୍ରମେ ତାଙ୍କୁ ଅତିକ୍ରମି ପ୍ରବେଶିଲି ଆସି

ଏକ ମନୋହର ଉପତ୍ୟକାର ପ୍ରାରମ୍ଭେ;

ପୂରିଅଛି ତହିଁ ନାନାବର୍ଣ୍ଣ ତରୁ ଲତା,

ଫଳଭାରେ ଶାଖିବୃନ୍ଦ ହୋଇଛନ୍ତି ନତ,

ଶୋଭୁଛନ୍ତି ତାଙ୍କ ଦେହେ ପୁଷ୍ପିତା ବ୍ରତତୀ,

ନାନା ଜାତି ପତିତ୍ରିଙ୍କ ମଧୁର ଆଳାସେ

ଅଧିକ ମଧୁର ହୋଇ ଉଠିଛି ସେ ସ୍ଥଳୀ,

ପୁଷ୍ପ ପରିମଳ ଘେନି ବହୁଛି ସମୀର,

କେବେ ବା କୀଚକ କୁଞ୍ଜେ ବଜାଉଛି ବଂଶୀ,

ଗୁଞ୍ଜରନ୍ତି ଅଳିକୁଳ କୁସୁମ ସମୀପେ,

ଚରୁଛନ୍ତି ସୁଖେ ତହିଁ ମୟୂର ମୟୂରୀ,

ଚଞ୍ଚଳନୟନ ଚାରୁ କୁରଙ୍ଗ କୁରଙ୍ଗୀ

ଭ୍ରମୁଛନ୍ତି ଏଣେ ତେଣେ ଦଳ ଦଳ ହୋଇ

ନିର୍ଭୟରେ ନାହିଁ ତହିଁ ଶ୍ୱାପଦଙ୍କ ବାସ;

ଦେଖି ଦେଖି ଏ ସୁଷମା ହେଲି ଅଗ୍ରସର,

ଯାଉଁ ଯାଉଁ ସେହି ଉପତ୍ୟକା ମଧ୍ୟସ୍ଥଳେ

ଅତ୍ୟନ୍ତ ଅପୂର୍ବ ଦୃଶ୍ୟ ପଡ଼ିଲା ନୟନେ,

ମନୋରମ କୁଞ୍ଜଟିଏ ପ୍ରକୃତି-ନିର୍ମିତ,

ବେଢ଼ିଛି ତା ଚଉପାଶେ କୁସୁମିତା ଲତା,

ସୁମନେ ସଜ୍ଜିତ କୁଞ୍ଜ ଦିଶଇ ରୁଚିର,

ମଧ୍ୟେ ତାର ବିରାଜିତ ଲତିକା ଦୋଳାରେ

ନରନାରୀ ମୂର୍ତ୍ତିଦୁଇ ଅପୂର୍ବ ଜ୍ୟୋତିରେ,

ଉଦ୍‌ଭାସିତ ସେ ବେନିଙ୍କ ବଦନ ମଣ୍ଡଳ,

ସ୍ମିତ ହାସେ ହୋଇଛି ସେ ଅତି ମନଲୋଭା,

ଝରୁଛି ଅମିୟ ଲୋକ ସେ ବେନିଙ୍କ ଅଇ,

ସେ ପ୍ରଭାରେ ଆଲୋକିତ ସେହି କୁଞ୍ଜଗୃହ,

ଧୀରେ ଧୀରେ ଗନ୍ଧବହ ଦେଉଛି ଦୋଳାଇ,

ସେ ବ୍ରତତୀ ଦୋଳା ଦୁହେଁ ଦୋଳୁଛନ୍ତି ତହିଁ,

ନିକଟେ ନିରେଖି ମୋତେ ସେ ପୁରୁଷମୂର୍ତ୍ତି

ଆହ୍ୱାନିଳେ ହାତ ଠାରି ତାଙ୍କ ସମ୍ମୁଖକୁ,

ସମକ୍ଷେ ତାଙ୍କର ଉଭା ହେଲା କ୍ଷଣି ଯାଇ

ଅପୂର୍ବ ଭାବରେ ପୂର୍ଣ୍ଣ ହେଲା ମୋ ହୃଦୟ,

ଦୂର ହେଲା ଅଙ୍ଗୁ ତାଙ୍କ ଆଲୋକ ପରଶେ

ଭ୍ରମଣ ଶ୍ରମ ଜନିତ ସକଳ ବେଦନା,

ପୁଲକରେ ତନୁ ମୋର ପୁରିଲା ତକ୍ଷଣେ,

ନୀରବେ ଦଣ୍ଡାୟମାନ ଦେଖି ମୋତେ ସେହି

ନରମୂର୍ତ୍ତ ଜିଜ୍ଞାସଲେ ‘‘ଚିହ୍ନୁଛକି ମୋତେ ?’’

ମୁଁ ବୋଲଇ ‘‘ନାହିଁ ମୁଁ ତ ନପାରଇ ଚିହ୍ନି,

ଏ ତବ ମୋହନ ମୂର୍ତ୍ତ ଦେଖିଥିଲା ପରି

କେବେ ବି ପଡ଼ଇ ମନେ ସ୍ୱର୍ଗେ ବା ମରତେ,

ନୟନେ ପଡିଲା ବେଳୁଁ ମୂରତି ତୁମର

ଅପୂର୍ବ ରସରେ ଭରି ଉଠିଛି ହୃଦୟ,

ଲଭିଛି ମୁଁ ନବ ବଳ ନାହିଁ ଆଉ କ୍ଲାନ୍ତି,

କେ ତୁମେ ହେ ଶୋଭା କରନରବା ଦେବତା ?

ଦେଇଅଛ ଯେବେ ଦେଖାଏ ଦୁର୍ଗମ ପଥେ

ଦିଅ ତେବେ ପରିଚୟ ପ୍ରକାଶି କରୁଣା ।’’

ଅତୀବ ମଧୁର ସ୍ୱରେ ଭାଷିଲେ ବିଗ୍ରହ

‘‘ହେ ମାନବ ! ମୁଁ ତୁମର ଈପ୍ୱିତଦେବତା,

ସୁଖ ମୋର ନାମ, ଶାନ୍ତି ଏ ମୋର ସଙ୍ଗିନୀ,

ପରସ୍ପତ ଏକ ସଙ୍ଗେ ଥାଉଁ ନିରନ୍ତର,

ନିମିଷେ ନ ସହିପାରୁ କେକାର ବିଚ୍ଛେଦ !’’

ଶୁଣି ସେ ବଚନ ମୋର ହୃଦୟ-ସାଗରେ

ଉଠି ହ୍ଲାଦ-ବୀଚି ମତେ କଳାକ ବିହ୍ୱଳ;

ଦଣ୍ଡକ ପର୍ଯ୍ୟନ୍ତେ ତୁଣ୍ଡ ନୋହିଲା ସକ୍ଷମ

ଭାଷିବାକୁ ବାଣୀ ସେହି ବିଗ୍ରହବରଙ୍କୁ,

ଅନ୍ତରେ ଜାଗିଲା ଭାଷା ‘‘ଏହି ସେହି ସୁଖ !

ଯାର ଲାଗି ନିରନ୍ତର ପ୍ରାଣୀଏ ବ୍ୟାକୁଳ,

ଯା ଦର୍ଶନ ଲାଗି ମୋର ଏ ବିଶ୍ୱେ ଭ୍ରମଣ !’’

କ୍ଷଣ ପରେ ପ୍ରକୃତିସ୍ଥ ହୋଇ ମୁଁ ଭାଷିଲି

‘‘ହେ ଆନନ୍ଦମୟ କିପାଁ ତେଜି ଜୀବାଳୟ

ବିଜନ ପ୍ରାନ୍ତରେ ଏଥି ବିହରୁଛି ଆସି ?

ତବ ଦରଶନ ଲାଗି ଭ୍ରମି ମୁଁ ଏ ବିଶ୍ୱେ

ଖୋଜି ଚଉଦିଗେ ସ୍ୱର୍ଗମତ୍ତ ପାତାଳରେ

ଫେରୁଥିଲି ହୋଇ ଶେଷେ ଭଗ୍ନ ମନୋରଥ,

ଏତେ ଦିନେ ଏ ବିଜନେ ଲଭିଲି ମୁଁ ଭେଟ

ଏହି କି ନିଳୟ ତବ ?’’ ସେ ବୋଇଲେ ତହୁଁ

‘‘ଏ ନୁହେଁ ନିବାସ ମୋର ଚଞ୍ଚଳ ମୁଁ ଅତି,

ବିହରୁଛି ଚିରକାଳ ସ୍ଥାନୁ ସ୍ଥାନାନ୍ତରେ,

ଏ ନୁହେଁ ମୋ ରୂପ, ମୁହିଁ ଅଟଇ ଅରୂପ,

ଯେ ଲଭେ ଯେ ରୂପେ ମୋତେ ସେହି ରୂପ ମୋର

ସେ ରୂପେ ମୁଁ ଥାଏ ବିଶ୍ୱେ, ସୌନ୍ଦର୍ଯ୍ୟ ଭିତରେ

ଶିଶୁର ମଧୁର ହାସ୍ୟେ, ଦାତାର ମାନସେ,

ବିରହାନ୍ତ ମିଳନରେ, ଆଶା ପୂରଣରେ,

ଯାଚଞ୍ଜା ପ୍ରାପ୍ତିରେ ପୁଣି ଅଭାବ ବିହୀନେ,

ପ୍ରିୟ ଦଣଶନେ, ସ୍ତୁତିବାଦ ଶବଣରେ,

ବିଜୟୀ ବୀରର ମନେ, ମୁକ୍ତିର ସ୍ୱପନେ,

ସ୍ୱାଧୀନ ପ୍ରାଣୀ ହୃଦୟେ, କର୍ମ ସମାପନେ,

ସାଧକର ସିଦ୍ଧିଲାଭେ, ବିଭୁ ନାମାମୃତେ,

ଉଦର ତୃପ୍ତିରେ, ଭୟଶୂନ୍ୟ ହୃଦୟରେ,

ଏ ସକଳେ ବାସ ମୋର, ଏହା ପରେ ପୁଣି

ଯେ ମନେ ପାଞ୍ଚଇ ମୁଦିଁ ଅଛି ତାର ପାଶେ,

ଲଭିଥାଏ ମୋତେ ସେହୁ ସକଳ କରମେ,

ପ୍ରାଣୀଙ୍କ ହୃଦୟ ମୋର ଅଟଇ ସଦନ,

ଥାଏଁ ମୁଁ ତହିଁରେ, ମୋର ମୁହୂର୍ତ୍ତେ ମୁହୂର୍ତ୍ତେ

ଆବିର୍ଭାବ ତିରୋ ଭାବ ହୁଏ କେତେ ରୂପେ,

ଯହିଁ ମୁଁ ଉପୁଜେ ତହିଁ ଏ ମୋର ସଙ୍ଗିନୀ

ହୁଅନ୍ତି ବିରାଜ ମୋର ଅବସ୍ଥାନ ଯାଏ

ମୋହରି ପରାଏ ଏହୁ ଅରୂପା ସୁନ୍ଦରୀ

ମୋର ଅନ୍ତର୍ଦ୍ଧାନ ସଙ୍ଗେ ହୁଅନ୍ତି ବିଲୀନା,

ଆଜି ଏହି ଉବପନ ସୌନ୍ଦର୍ଯ୍ୟ ଭିତରେ

ଭ୍ରମୁଥିଲୁ ଆମେ ତୁମ ଆସିବାର ଦେଖି

ଜାଣି ବହୁକାଳ ଆମ ଦର୍ଶନ ପିପାସୀ

ତୁମକୁ, ଧରିଲୁ ଆମେ ଏହି ସ୍ଥୂଳ ରୂପ

ତବ ହୃଦୟ ସଂଶୟ ଛିଣ୍ଡାଇବା ପାଇଁ,

ହେ ପାନ୍ଥ ! ଏଣିକି ହେଲେ ସୁଖ ଦର୍ଶନନେଚ୍ଛା

ବୃଥା ନ ଭ୍ରମିଣ ଖୋଜ ଆପଣା ହୃଦୟ,

ସେଠାରେ ଯେବେ ମଣିବ ଅଭାବ ତାହାର

ଚିତ୍ତତୃପ୍ତି କର୍ମ୍ମକଲେ ଦେବ ସେ ଦର୍ଶନ ।’’

ଏତେ ଭାଷି ବେନି ମୂର୍ତ୍ତି ସମୀର ପରାଏ

ତକ୍ଷଣେ ସମୀର ସଙ୍ଗେ ଗଲେକ ମିଳାଇ,

ନ ଦେଖି ମୁଁ ଆଉ ତାଙ୍କ ସ୍ଥୂଳ ରୂପ ତହିଁ

ଆପଣା ଆବାସ ପଥେ ହେଲି ଅଗ୍ରସର,

ଏତେଦିନ ଶ୍ରମେ ଲଭି ସୁଖର ସନ୍ଧାନ ।

Image